Unknown

 

 

 

 

 

 

 

 

 

 

 

 

ଶଙ୍ଖ-କୋଇଲି

ଶ୍ରୀ ମୋହନ ମୁରାରି ବାରିକ

 

ଉପହାର

 

................................................................

 

..........................................................

 

....................................................

 

..........................................

 

ଶିଲୁ,

 

ଆକାଶରେ ରାତି ଆସେ, ତାରାର ଝିଲିମିଲି ଭିତରେ ତା’ର କାଉଁରୀ କାଠି ବୁଲିଯାଏ । ନିଦ...ସପନ, ସପନ ... ନିଦ ! ଏଇଥିରେ ଦୁନିଆ ଉବୁଟୁବୁ ହୁଏ । ଏତିକିବେଳେ ତୋ’ରି ଟିକି ଗଳାର ଅଳି ଆସେ—ବାପୁ, କଥାଣୀ କହନା ! ନେଳିଆ ପକ୍ଷୀରାଜ ଘୋଡ଼ା, କଳାଠାକୁର ଧଳାଠାକୁରଙ୍କ ଲଢ଼େଇ, ରାମାୟଣର ଲବକୁଶଙ୍କ କାହାଣୀ, ଯେତେବେଳେ ଯାହା ମନେ ପଡ଼େ ସତମିଛ ଯୋଡ଼ାଯୋଡ଼ି ଭିତରେ ମୁଁ ଗପିଚାଲେ ଏକ ଅଛିଣ୍ଡା ଗପ । କାରଣ ଗପ ଛିଣ୍ଡିଗଲେ, ତୁ ଯେ ଆଉ ଗୋଟିଏ ଗପପାଇଁ ବରାଦ ଦେଉ ! ତେଣୁ ଗପର ମୁଣ୍ଡି ମରେନି । କେତେବେଳେ ତୁ ଚୁପ୍‍କରି ଶୋଇଯାଉ । ସପନ ଦେଶରେ କଥାଣୀର ଏଇ ଘୋଡ଼ା, ହାତୀ, ଧନୁତୀରର କଳ୍ପନା କରିଯାଉ । ମୁଁ ଚୁପ୍ ହେଇ ଶୋଇପଡ଼େ । ହଠାତ୍ ତୋ’ ନିଦ ଭାଜେ, ତୁ ପୁଣି ଜିଦ୍ ଧରୁ କଥାଣୀ–କଥାଣୀ ! ଆଖିରେ ନିଦ ଗଦେଇ ହୋଇଯାଇଥାଏ । ଗପିବା କି ସହଜ ! ଚିଡ଼ିମାଡ଼େ । ପାଟିତୁଣ୍ଡ କରି, ବେଳେବେଳେ ହାତ ଉଞ୍ଚାଇ ବାଡ଼ାଏ ବି । ହେଲେ ତୋ ବାପୁଠାରୁ ତୁ କଥାଣୀ ପାଇଁ ଅଳିଠୁ ଆରମ୍ଭ କରି ବିଳାପ ଯାଏ ଯାଉ । ମୁଁ ପୁଣି ଧରେ ଆଉ ଗୋଟିଏ ଗପର ଖିଅ । ସବୁ ମିଛିମିଛିକା । ସେଥିରେ ତୋ’ର କି ଅପାର ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦ !

 

ତିନି ବରଷର ଶିଶୁ ତୁ । ତୋ’ର ଏକ କୌତୂହଳ ଓ କଥାଣୀ ଶୁଣିବାର ପ୍ରବଳ ଆଗ୍ରହଠି ମୁଁ ହାର ମାନିଚି ଅନେକ ଥର । ତୋତେ ଯେ ବେଳେବେଳେ ନିଦ ହୁଏନି—କୁଆଁ ତାରା ଲିଭିବା ଯାଏ । ଏତିକି କଥାଣି-ପାଗଳା !

 

ଏ ଶଙ୍ଖ-କୋଇଲି ସେଇପରି ଏକ ଉଦ୍‍ଭଟ ଗପ । ତୋ’ର ତୃତୀୟ ସ୍ୱନକ୍ଷତ୍ର ଦିବସରେ ତୋ ଗପୁଡ଼ି ବାପୁ ତା’ ଗପ-ପାଗଳ ‘ଶିଲୁ’ କୁ ସେଥିଲାଗି ଆଜି ଉପହାର ଦେଉଚି ଏଇ ଗପଟି ।

 

ଏତିକି—

 

ବୀରମିତ୍ରପୁର

ତୋ’ର ଶୁଭାକାଂକ୍ଷୀ

ତା ୨୭ । ୬ । ୬୦

‘ବାପୁ’

☆☆☆

 

ପଦେ କହିରଖେ–

 

ଶଙ୍ଖ କୋଇଲି । ଦୁଇଟି ଉପନଦୀ । ଯେଉଁଠି ଦିହେଁ ମିଶିଛନ୍ତି, ସେଠି ବେଦବ୍ୟାସ । ତା’ପରେ ବହିଯାଇଛନ୍ତି ବ୍ରାହ୍ମଣୀ ହୋଇ ।

 

ଏ ପାଖରେ ବେଦବ୍ୟାସ, ସେ ପାଖରେ ପାନପୋଷ । ଏ ଜାଗାରେ ବ୍ୟାସଦେବଙ୍କ ଜନ୍ମ ହୋଇଥିଲା ବୋଲି ଜନଶ୍ରୁତି ଅଛି । ଅଦୂରରେ ନୀଳ ପର୍ବତ ଓ ଛୋଟ ଛୋଟ ପାହାଡ଼ । ବୁଦା ବଣ । ଆହୁରି ଦୂରକୁ ଗାଙ୍ଗପୁର, ବଣାଇ, ବାମଣ୍ଡା ଓ ବିହାରର ପର୍ବତମାଳା । ଏ ଦୃଶ୍ୟ ଏଡ଼େ ଚମତ୍କାର, କେବଳ ଦେଖିହୁଏ ସିନା ! ଏ ଦୃଶ୍ୟକୁ ଲେଖି ହୁଏନି ।

 

ବେଦବ୍ୟାସ ଓ ଶଙ୍ଖକୋଇଲି ମୋତେ ବହୁ ଦିନରୁ କୌତୂହଳୀ କରି ସାରିଥିଲେ । ଭାଗ୍ୟକୁ କର୍ମକ୍ଷେତ୍ର ମୋତେ ଅନୁକୂଳ ହୁଏ । ଅବସର ଭିତରେ ମୁଁ ସନ୍ଧାନ ପାଏଁ ଗୋଟିଏ ଛୋଟ ଜନଶ୍ରୁତିର । ସେଇ ଜନଶ୍ରୁତିକୁ କେନ୍ଦ୍ର କରି ମୁଁ ମୋର କଳ୍ପନାର ପକ୍ଷୀରାଜ ଘୋଡ଼ାକୁ ବେ-ଲଗାମ କରି ଛୁଟାଇଦିଏଁ । ଫଳରେ ‘ଶଙ୍ଖ-କୋଇଲି’ ରୂପ ପାଏ ।

 

ଏ ଗପଟି ‘ସଂସାର’ ମାସିକ ପତ୍ରରେ ଧାରାବାହୀ ଗଳ୍ପ ହିସାବରେ ପ୍ରକାଶ ପାଇଥିଲା । ସେ ସମୟରେ ଗପଟି ମୋ’ ଦେଶର ବାଳକ ବାଳିକାମାନଙ୍କ ମନରେ ବେଶ୍ ଆନନ୍ଦ ଦେଇଥିଲା । ମୁଁ ପାଇଥିଲି ସେଥିଲାଗି ଅଭିନନ୍ଦନ ‘ସଂସାର’ ର କେତେକ ପାଠକ ପାଠିକାଙ୍କଠାରୁ । ଆଜିର ଏ ବହିରୂପ ସେଇ ଲମ୍ବା କାହାଣୀଟିର ପୁନର୍ମୁଦ୍ରଣ ମାତ୍ର । ୧୯୫୪ରେ ଯେଉଁ ଗପଟି ପ୍ରଥମେ ପ୍ରକାଶ ପାଇଥିଲା, ତା’ ଆଜି ବହି ଆକାର ନେଉଚି, ଏଇ ମୋର ଆନନ୍ଦ । ‘ସଂସାର’ ସଂପାଦକ ଶ୍ରୀଯୁକ୍ତ ରାମକୃଷ୍ଣ ନନ୍ଦ, ବି. ଏ. ଡି. ଇଡ଼ି. ଏହାର ପ୍ରକାଶନ ପାଇଁ ସାଗ୍ରହ ଅନୁମତି ଦେଇଥିବାରୁ ମୋର ଧନ୍ୟବାଦାର୍ହ ।

 

ଗପଟି ଯେଉଁମାନଙ୍କ ପାଇଁ ଲେଖାଯାଇଚି, ସେମାନେ ଯଦି ଏହାକୁ ପାଠକରି କିଛି ଆନନ୍ଦ ଓ ଲାଭ ପାଆନ୍ତି, ସବୁଠୁ ବେଶୀ ଖୁସି ହେବି ମୁଁ ।

 

ଶ୍ରୀ ମୋହନ ମୁରାରି

ବୀରମିତ୍ରପୁର

୧୫ । ୮ । ୬୦

☆☆☆

 

–ଏକ–

 

କଳ........କଳ...........କଳ... !

 

ପଥର ଶେଯ । ଗୋଲ, ଚେପା, ତିନି କଣିଆ—କେତେ କିସମର ପଥର ଦେଖିବ ? କିଏ ଶେତା ଧଳା, କିଏ କଳା, କିଏ ନାଲି ଆସିଆ ।

 

ଅଲିଅଳୀ ଝିଅ କୋଇଲି; ବୁଲୁଥିଲା ଏଣେତେଣେ । ଦିହଟି ତା’ର ଶ୍ୟାମଳ । କଳା ମୁଗୁନି ପଥର ଉପରେ ଦେବଶିଳ୍ପୀ ବିଶ୍ୱକର୍ମା ନିହାଣ ପିଟି ଗଢ଼ିଥିଲା ଏଇ ନିଖୁଣ ପ୍ରତିମାଟି ।

 

ପାଟିଟି ଖଲଖଲ । ସବୁବେଳେ ଗାଏ ଗୀତ । ଦୁଃଖ ନାଇଁ..... ନାଇଁ ସୁଖ । ନାଇଁ ହସ, ନାଇଁ କାନ୍ଦ, ନାଇଁ ଆଲୁଅ, ନାଇଁ ଅନ୍ଧାର । ଗୀତ..... ଗୀତ....ଗୀତ.... ! ଗୀତ ଇ ତା’ର ଜୀବନ ।

 

ପଳାଶ ରଙ୍ଗର ନରମ ଓଠ ଦି’ଫାଳି । ସେଇଥିରୁ ଥରି ଥରି ସୁର ତା’ର ଘୂରିବୁଲେ...ପବନରେ ଲହର ତୋଳି ତୋଳି । ଯିଏ ଶୁଣେ, ସେ ଖୁସି ହୁଏ । କି ମଧୁର ତା’ ଗଳା-! ସତେ ଯେପରି କିଏ ଅମୃତ ମେଞ୍ଚା ମେଞ୍ଚା ଢାଳି ଦେଉଚି । ତା’ର ଏଇ ଗଳା ସାଙ୍ଗ ସାଥି ସାଇ ଓଡ଼ିଶା ସମସ୍ତଙ୍କୁ ଆନନ୍ଦରେ ବୁଡ଼ାଇ ଦିଏ, ଶତ୍ରୁକୁ ଆଶ୍ଚର୍ଯ୍ୟ କରିଦିଏ । ସେଥିପାଇଁ ସିଏ କୋଇଲି-

 

ଯାଆଁଳା ହେଇ ଜନମ ନେଇଥିଲା କୋଇଲି । ଗୋଟିଏ ନାଡ଼ରେ ଦୁଇଟି ଫୁଲ । ଗୋଟିଏ ଫୁଲର ଦୁଇଟି ପାଖୁଡ଼ା । ଗୋଟିଏ ପାଖୁଡ଼ାର ଦୁଇଟି ରଙ୍ଗ । ଏଇ କୋଇଲିଟି କଳା-ଆରଟି ଧଳା, ସଜ ମଲ୍ଲୀ ଫୁଲ ପରି ତୋଫା । ଦେଖିଦେଲେ ଦିହିଙ୍କି ପେଟ ପୂରିଯାଏ, ଆଖି ପଲକ ବନ୍ଦ ହୋଇଯାଏ ।

 

ସାନଟିର ପାଟିଟି ଟିକିଏ ବଡ଼ । କଥା କହିଲେ ତିନି ସାଇ ଚମକେ । କାନ୍ଦିଲେ ଘର, ଦୁଆର, ଦାଣ୍ଡ ବାଟ ଉଛୁଳେ । ଅବଶ୍ୟ ସେ ଗଳାରେ କୁଆଗଳାର କର୍କଶତା ଥାଏ ନି । ପୁରାଣର ଅସୁରର କିଳିକିଳା ରଡ଼ି ବି ସେ ନୁହେଁ । ସେ ଡାକରେ ଥାଏ ମାଧୁରୀ, ମଣିଷର ମନ ଓ ମରମକୁ ଜିଣିବାର କୁହୁକ । ସିଏ ଲୋକମୁଖରେ ଶଙ୍ଖ ।

 

କୋଇଲି...ଶଙ୍ଖ... ! ଶଙ୍ଖ... କୋଇଲି !

 

ଦୁଇଟି ଯାଆଁଳା ଭଉଣୀ । ବଡ଼ଟି କୋଇଲି, ସାନଟି ଶଙ୍ଖ । ଗାଆଁ ଦାଣ୍ଡରେ ବାଲି—ସେମାନେ ସେଠି ଘର ତିଆରନ୍ତି । ଚୁଲି ବନାଇ ରୋଷେଇ କରନ୍ତି । ବାଲିର ଘରେ ବାଲିର ଭୋଜି-। ଦିହେଁ ରଚନ୍ତି ବାଲିଖେଳ ।

 

ଗାଆଁ ମୁଣ୍ଡରେ ପୋଖରୀ । ଏମାନେ ପୋଖରୀରେ ପହଁରନ୍ତି । ତୋଳି ଆଣନ୍ତି କଇଁ...ନାଲି, ଧଳା, ନୀଳ କଇଁ । ଆମ୍ବ ତୋଟାରେ ବୁଲନ୍ତି । ଗୁଣ୍ଡୁଚିର ଟିକି ଛୁଆକୁ ଧରି ଆଣନ୍ତି, ପିଆନ୍ତି କ୍ଷୀର । ଯୁଆଡ଼େ ଯାଆନ୍ତି—ଏକାଠି ଯାଆନ୍ତି । ଖାଆନ୍ତି ଏକାଠି, ବୁଲନ୍ତି ଏକାଠି, ଶୁଅନ୍ତି ଏକାଠି । ଛୁଆ ଦି’ଟିକୁ ସଭିଏଁ ଭାରି ଭଲ ପାଆନ୍ତି । ଗୋଟିଏ ରାତି ତ ଆରଟି ଦିନ । ଗୋଟିକର ନରମ ସୁର, ଆରଟିର ଗରମ ଗଳା—ଅଥଚ ଦିହେଁ ଦିହିଙ୍କର ପ୍ରିୟ । ଗୋଧୂଳି ଓ ରାତିର ମିଳନ... ସୁନ୍ଦର, ମନୋରମ !

 

X X X

 

ନିପଟ ମଫସଲ । ଗରିବ ଲୋକଟିଏ.... ଚାଷୀ । ତା’ରି ଘରେ, ତାରି ଘରେ ଉଇଁଥିଲେ ଏ ଦୁଇଟି ଚାନ୍ଦ । ହେଲେ, ଏମାନଙ୍କୁ ଯିଏ ଜନମ ଦେଇଥିଲା—ସେଇ ଗର୍ଭଧାରିଣୀ ମା’ ନଥିଲା ଏଇ ଜଗତରେ । ଜନମ ଦେଉ ଦେଉ ସେ ଥରେ ବି ପୂରାକରି ଦେଖି ପାରି ନଥିଲା ଏମାନଙ୍କୁ । ସେଇ ପ୍ରସୂତି ଘରେ—ପିଲା ଦୁଇଟି ଡାକୁଥିଲେ କୁଆଁ–କୁଆଁ–। କିଏ ଜାଣିଚି ସେମାନଙ୍କ ମାଆର ଆଶ୍ରା ସେମାନେ ଖୋଜୁଥିଲେ କି ନାଇଁ ? କିନ୍ତୁ ଆଶ୍ରୟ ଦେବାର ମାଆଟି ସେତେବେଳକୁ ମରଣ କୋଳରେ ଆଶ୍ରୟ ନେଇସାରିଥିଲା ।

 

ବାପା; ହେଲେ ବି ଏମାନଙ୍କୁ ସେ ହୀନସ୍ଥା କରି ନ ଥିଲା । ଅନ୍ତରର ସବୁଯାକ ସିନିଅଁ ଅଜାଡ଼ି ସେ ଝିଅ ଦୁଇଟିଙ୍କି ପାଳିଥିଲା । ଏମାନଙ୍କ ଗୋଲ ଗୋଲ ମୁହଁ, ଟୁକୁ ଟକୁ କଥା, ଢଳ ଢଳ ତରଳ ଚାହାଣୀ, ଫୁରୁ ଫୁରୁ ଉଡ଼ିଲା ବାବୁରି ବାଳ, ବଳିଲା ବଳିଲା ହାତ ଗୋଡ଼ ତା’ର ଖାପଛଡ଼ା ଜୀବନରେ ଗୀତ ଦେଉଥିଲା, ଆଣୁଥିଲା ଶାନ୍ତି ଓ ବଞ୍ଚିବାର ସାନ୍ତ୍ୱନା ।

 

ସବୁଦିନ ସମାନ ଯାଏନି...

 

ମା’ ଛେଉଣ୍ଡ ପିଲା ଦୁଇଟି । ଯିଏ ଦେଖେ, ସିଏ ଆହା ଆହା କରେ, କୋଳକୁ ନିଏ; ଘରେ କ୍ଷୀର ଥିଲେ ଟୋପେ ଦିଏ । ଏଇପରି ସେ କଅଁଳା ଛୁଆ ଦୁଇଟି ଦେଖୁଁ ଦେଖୁଁ ବଡ଼ ହେଲେ-

 

କୋଇଲି ପଛରେ ଶଙ୍ଖ । ଦିହ ପଛରେ ଛାଇ । ଲାଗି ଲାଗି ରହିଥିବେ । ଟିକିଏ ଅନ୍ତର ନାଇଁ । ଟିକିଏ ବି କରଛଡ଼ା ନାଇଁ । କୋଇଲି ମନ ପୂରାଇ ଗାଏ ଗୀତ । ଶଙ୍ଖ ଧରେ ପାଳି । ବୁଲନ୍ତି ଦିହେଁ ଘରୁ ଘର, ଦୁଆରୁ ଦୁଆର । ଗୀତର ଲହର ଭାଜି ଭାଜି ପବନରେ ବାଜି ଯାଉଥାଏ ।

 

ନାଚି ଖେଳି ଗାଇ ଦିନ ଯାଏ ଗଡ଼ି ।

 

ସମସ୍ତଙ୍କ ମୁହଁରେ ‘ଶଙ୍ଖ କୋଇଲି’—ସମସ୍ତଙ୍କ ଆଖିରେ ‘ଶଙ୍ଖ କୋଇଲି’ । ବାପର ଭୋକିଲା ଶୁଖିଲା ପେଟ ପୂରିଆସେ, ଗାଡ଼ୁଆ ଗାଡ଼ୁଆ ଆଖିରେ ଲୁହ ଜକେଇ ଆସେ—ଆହା, ମାଆଟି ଥାଆନ୍ତା ହେଲେ !

 

କ୍ରମେ ସଂସାର ହେଲା ଅଚଳ । ଚାଷବାସ, ରନ୍ଧାବଢ଼ା, ଏ ସବୁଥିକି ବୁଢ଼ା ପାରିଲାନି । ସିଏ ଦୁତୀଅ ହେଲା । ଘରକୁ ଆସିଲା ମାଆ ନୁହେଁ, ନୂଆ ମା’ । ମାଆ– ? କି ଜିନିଷ ସେ ? ଛୁଆଟି ଦିନୁ ମାଆକୁ ଖାଇ ଶଙ୍ଖ କୋଇଲି ସ୍ନେହକାଙ୍ଗାଳିଆ ହେଇପଡ଼ିଥିଲେ । ହେଲେ, ନୂଆ ମା’–ମା ନୁହେଁ–ମାୟା । ଆଖିରେ ତା’ର ଈର୍ଷାର ହଳ ହଳ, ପାଟିରେ ବଜ୍ରର ଘଡ଼ଘଡ଼ି, ଭାଷାରେ ଧୂମକେତୁର ଅଶୁଭତା ।

 

ଛୁଆ ଦି’ଟିକି ସେ ଦୁଇ ଆଖିରେ ଦେଖିବାକୁ ଚାହିଁଲା ନି । ଖୋଜି ବୁଲିଲା ସୁବିଧା । ବେଳ ମିଳିଲେ ସେମାନଙ୍କୁ ପିଟିବ, ଯାବତ ହଇରାଣ କରିବ । ଏମାନଙ୍କ କାନ୍ଦ ଦେଖିଲେ ସେ ହସେ, ଏମାନଙ୍କ ଶୁଖିଲା ମୁହଁରେ ଶୁଖିଲା ଚିହ୍ନ ଦେଖି ସେ ଗାଏ ଗୀତ । ଏମାନଙ୍କ ପିଠିର କଳା କଳା ନୋଳା ଦେଖି ତାଳି ମାରି ସେ ନାଚିଯାଏ ପରସ୍ତେ । ଏମାନଙ୍କ ଦିହରୁ ଲୁହ ବାହାରି ଟୋପା ଟୋପା ତଳେ ପଡ଼ିଲେ ସେ ହୁଏ ଆନନ୍ଦରେ ଉନ୍ମାଦିନୀ ।

 

କଥା କଥାକେ ଗାଳି, ପଦ ପଦକେ ମାଡ଼ । କୋହଛତ୍ର ସେ ମାଡ଼ । ତେନ୍ତୁଳିର ଛାଇଁ ଛାଇଁଆ ଛାଟ ଛିଣ୍ଡିଯାଏ, ପିଠି, ପେଟ, ହାତ ଗୋଡ଼ରେ କଳା କଳା ନୋଳା ବସିଯାଏ, ଲାଲରକ୍ତ ପୂରେ ।

 

X X X

 

ଗହ୍ମା ପୁନିଆଁ.... !

 

ଚାଷୀଘରେ ଆଜି ଆନନ୍ଦ । ପିଠା ପଣା, ଆନନ୍ଦ ଉଚ୍ଛବ, —ଏଇ ତ ଜୀବନ ! ଏ ଦୁନିଆଁରେ ଏତେ ଦୁଃଖ ଭରି ଯାଇଚି ଯେ, ଏଠି ଜୀବନ ନାଇଁ କହିଲେ ଚଳେ । ସେଇଲାଗି ଜୀବନକୁ ଜାହିର କରିବାକୁ ଏ ଆନନ୍ଦ ଉତ୍ସବ—ଏ ହଇ ହଲ୍ଲା—ଏ ପାଟି ଗୋଳ ।

 

ସାଙ୍ଗ ସାଥିଏ ଖୋଜିଲେ ଶଙ୍ଖ କୋଇଲିକି । କାହାନ୍ତି ? କାହାନ୍ତି ସେମାନେ ? ଦୂର ଗହୀରରେ ଘାସ ଉପାଡ଼ୁଛନ୍ତି ବିଲରୁ । ସାବତ ମା’ କହିଚି । ଚାରି ଚାରି ଦିନର ଉପାସିଆ ଛୁଆ ଦି’ଟି—ଶାଗୁଆ ବିଲ ଭିତରେ କୋଉଠି ବୁଡ଼ି ଯାଇଚନ୍ତି । ପଲ ପଲ ପୋକ, ସଲ ସଲ ଜୋକ, ଦଳ ଦଳ ମଶା ଡାଆଁଶ । ସେମାନେ ରକତ ଶୋଷୁଚନ୍ତି । ତଥାପି ହସୁଚନ୍ତି ଦିହେଁ । ଚାରିଦିନ ପରେ କୁଆଡ଼େ ଆଜି ଭାତ ମୁଠାଏ ମିଳିବ ଖାଇବାକୁ । ଇଏ କି କମ୍ କଥା ? ଆଶା–ଆଶା ନେଇ ଯେ ମଣିଷ ବଞ୍ଚେ । ଯୋଉଦିନ ତା’ର ଏ ଆଶା ବୁଡ଼ିଯିବ–ସେଦିନ ସେ ରହିବ କିଆଁ ଯେ ? ସେଇ ବଞ୍ଚି ରହିବା ଆଶା ମୁଠାଏ ଭାତ ଖାଇବାର ଆଶାରେ ଛୁଆ ଦି’ଟା ଲୁହ ଲୁହାଣ ହେଇ, କାଦୁଅ ପଙ୍କରେ ଘାସ ବାଛିବାରେ ଲାଗି ଯାଇଛନ୍ତି ।

 

ବେଳ ଗଡ଼ିଗଲାଣି ମୁଣ୍ଡ ଉପରୁ ।

 

ବାପ ଏସବୁ ଦେଖେ । ଏମାନଙ୍କ ବୁକୁକୋରା କାନ୍ଦ ଶୁଣେ । କିଛି କହିପାରେ ନି । ଥରେ ଦି’ଥର ପହିଲେ ପହିଲେ ପାଟି ଫିଟାଇଥିଲା । ତା’ପରେ ସ୍ତ୍ରୀର ଉଗ୍ରଚଣ୍ଡୀ ମୂର୍ତ୍ତି । ଘରଟା ପାଟିରେ ଉଠିଲା ପଡ଼ିଲା । ଦେଖି ଦେଖି ସେ ଅନ୍ଧ ହୋଇଗଲା । ଶୁଣି ଶୁଣି ସେ କାଲ ହୋଇଗଲା-

 

ସବୁ ସେ ସହେ । ବେଳେ ବେଳେ ଆଖିରୁ ତା’ର ଲୁହ ଝରେ, ସେ ପଥର ପାଲଟିଯାଏ-

 

ଝିଅ ଦୁଇଟି କାମ ସାରିଲେ ।

 

ପାଖରେ କୂଅ । ପାଣି ପୂରିଚି, ଗାଧୋଇବେ । ଆସି ପହଞ୍ଚିଲେ ଦୁଇ ଭଉଣୀ ।

 

କୂଅର ଉପରେ ଦୁଇଟି ଅଣ୍ଡା, ମୟୂର ଅଣ୍ଡା ହେବପରା !

 

କଇଁ...କଇଁ...କଇଁ... !! ପେଟ ଡାକୁଚି, ଭୋକିଲା ପେଟ ଆଉଟି ପାଉଟି ହେଇ ଡାକ ଛାଡ଼ୁଚି । ସେ ଯେ କ୍ଷୁଧା ! ପ୍ରଳୟଙ୍କରୀ ।

 

ଆଗପଛ ଭାବିବାକୁ ତର ନାହିଁ । ଆଖି କାନ ସବୁ ବନ୍ଦ । ଦି’ ଭଉଣୀ ଅଣ୍ଡା ଦି’ଟିକି ପାଟିରେ ପକାଇଦେଲେ ।

 

ଆରେ ଏ କ’ଣ ? ସେମାନଙ୍କ ସେ ସୁନ୍ଦର ରୂପ ଗଲା କୁଆଡ଼େ ? ଦିହେଁ ଅଧା ସାପ, ଅଧା ମଣିଷ । ଅଣ୍ଟାଠୁ ଉପରକୁ ମଣିଷ, ତଳକୁ ସାପ । କରିବେ କ’ଣ ? ସେଇ କୂଅରେ ପହଁରି ବୁଲିଲେ ।

 

ଲୁଚା–ପାହାଡ଼ର ଶିଖରରେ ସୂରୁଜର ସୁନାରଥ ଅଟକିଲା, ବାୟୁକୋଣରୁ କଳା ମେଘ ଖଣ୍ଡେ ମୁଣ୍ଡ ଟେକୁଥାଏ ।

 

ଝିଅ ଦି’ଟି କ’ଣ କରିବେ ? ସେମାନେ କି ଜାଣିଥିଲେ ଏପରି ହେବ ବୋଲି ? ହଁ–ଇଏ ବି ଏକ ରକମ ଭଲ ହେଲା । ସାବତ ମା’ର ଦାଉରୁ ତ ରକ୍ଷା ମିଳିବ !

 

ବାପ ଖୋଜି ଖୋଜି ଆସି ସେଇଠି ପହଞ୍ଚିଲା । ଝିଅ ଦି’ଟିର ଏ ଅବସ୍ଥା ଦେଖି ସେ ଆଉ ଲୁହ ସମ୍ଭାଳି ପାରିଲା ନି । ଭୋ ଭୋ ଡକା ପକାଇ ସେ କାନ୍ଦିଉଠିଲା ।

 

ଶଙ୍ଖ କୋଇଲି କାନ୍ଦି କାନ୍ଦି ବାପକୁ ସବୁ ଘଟଣା କହିଲେ । ଏଇ ସମୟରେ ଜଳ ଭିତରୁ ଶୁଣାଗଲା ଏକ କରୁଣ ଗାନ–

 

ଶଙ୍ଖ କୋଇଲି ଯାଆଁଳା ଭଉଣୀ

ହରାଇ ବସିଲେ ମାଆ,

ଦିନରାତି ଦାଉ ସାଧିଲା–ସାଧିଲା–

ସାବତ ମାଆଟି ଆହା !

ଗାଆଁର ଗୁଣୀ ସେ ଡକାଇ ଆଣିଲା

ଅଣ୍ଡା ତିଆରି ହେଲା,

ସେଇ ସେ ଅଣ୍ଡା ଏଇ କୂଅଟିରେ

ଭାସୁଥିଲା ଭାସୁଥିଲା ।

ଭୋକରେ ଜଳିଲା ଜଠର ଯେବେ ହେ

ପାଟିରେ ପକାଇଦେଲେ,

ଶଙ୍ଖ କୋଇଲି ଅବୋଧ ବାଳିକା

ତେଣୁ ଏଇ ରୂପ ନେଲେ ।

 

ଶଙ୍ଖ-କୋଇଲି ଏ କଥା ଶୁଣିଲେ । ଶୁଣିଲା ବୁଢ଼ା ବାପ, ଶୁଣିଲେ ଘାସ ଲତା, ଶୁଣିଲା ପବନ । ଶଙ୍ଖ କହିଲା—ଶୁଣିଲ ତ ବା ! ଏ ଆମରି ସାବତ ମା’ର କାମ । ଯାହା ହେବାର ହେଇଗଲାଣି, ଦୁଃଖ କରି ଆଉ ଲାଭ ନାଇଁ ।

 

ଭକ୍–ଭକ୍–ଭକ୍– ! କୂଅ ତଳୁ ବୁଦ୍‍ବୁଦ୍ ସବୁ ଉଠିଲା । ପାଣିସୁଅ ବିଦାରି ଏଇ ଉପରକୁ ଉଠିଲା ଛାଇଟିଏ । ହାତରେ ତା’ର ଗୋଟିଏ ଲାଲ ଫରୁଆ ।

 

ସେ ଛାଇଟିକି ଦେଖି ବୁଢ଼ା ଚିହ୍ନି ପାରିଲା । ତା’ର ଆଗ ଭାରିଯା–ଶଙ୍ଖ କୋଇଲିଙ୍କ ମା-

 

ଛାଇ କହିଲା—ତମରି ହାତରେ ମୁଁ ମୋ’ର ଆଖିର ପିତୁଳି ଦୁଇଟିକି ଛାଡ଼ି ଯାଇଥିଲି । କିନ୍ତୁ ତମେ ସେମାନଙ୍କୁ ସମ୍ଭାଳି ପାରିଲନି । ତେବେ ଏ ଖେଳକୁ ଶେଷ କରିବାର ଉପାୟ ମୁଁ କରି ସାରିଚି । ମୁଁ ଯେଉଁ ସିନ୍ଦୂରର ଫରୁଆଟି ଆଣିଚି–ତୁମେ ଢେଙ୍କିର ମୁଣ୍ଡରେ ସେଥିରୁ ସିନ୍ଦୂର ନେଇ ଟୀକାଟିଏ ମାରିଦେବ । ଦେଖିବ ସେତେବେଳେ ଶଙ୍ଖ-କୋଇଲିଙ୍କ ସାବତ ମା’ ଯେପରି ଧାନ କୁଟୁଥାଏ । ତେଣିକି ଯାହା ଘଟିବ ଜାଣିବ ଯେ ।

 

ସେ ଛାଇ ବୁଢ଼ାକୁ ଲମ୍ବ ହେଇ ପ୍ରଣାମ କଲା । ମାଆର ମୁହଁକୁ ଦେଖି ଶଙ୍ଖ ଚାହିଁଲା କୋଇଲିକି–କୋଇଲି ଚାହିଁଲା ଶଙ୍ଖକୁ । ସତେ ଯେପରି ଗୋଟିଏ ରୂପର ତିନୋଟି ଛବି ।

 

ମାଆର କୋଳକୁ ଡେଇଁ ପଡ଼ିଲେ ଦିହେଁ ।

 

ଛାଇ ସେମାନଙ୍କୁ କୋଳରେ ପୂରାଇଲା, ସେମାନଙ୍କ ମୁହଁରେ ଚୁମା ଦେଲା । କହିଲା–ତୁମେ ଦିହେଁ ଯାହା କଷ୍ଟ ପାଇଲ ପାଇଲ, ଏଥର ସେ ସବୁ ଆଉ ରହିବନି । ତୁମେମାନେ ବାପାଙ୍କୁ ନମସ୍କାର, କର । ଆମେ ଯିବା–

 

ଶଙ୍ଖ କୋଇଲି ବାପାଙ୍କୁ ନମସ୍କାର କଲେ ।

 

ଶଙ୍ଖ କୋଇଲିର କପାଳରେ ସିନ୍ଦୂରର ସରୁ ବିନ୍ଦୁଟିଏମାନ ଲେଖିଦେଇଗଲା ଛାଇଟି ।

 

ସଙ୍ଗେ ସଙ୍ଗେ ଶଙ୍ଖ କୋଇଲି ଉଭାନ୍ ! କୂଅରୁ ଦୁଇଟି ସମାନ ଓସାରର ଜଳଧାର ବାହାରି ପଡ଼ିଲା । ଉଭୟଙ୍କ ମୁହଁ ବିପରୀତ ଦିଗକୁ ।

 

ଛାଇ ଆଉ ନାଇଁ । କୂଅରେ ସିନ୍ଦୂରର ଲାଲ ଫରୁଆ । ବର୍ତ୍ତମାନ କୋଇଲି ଗାଇଲା–କଳ–କଳ–କଳ– !!

 

ଶଙ୍ଖ ଗର୍ଜିଲା–ଘୋ–ଘୋ–ଘୋ– !!!

 

–ଦୁଇ–

 

କଳ–କଳ–କଳ– !!

 

ଘୋ–ଘୋ–ଘୋ– !!

 

ଦୁଇଟି ପୀଡ଼ିତ ଆତ୍ମା, ଦୁଇଟି ମୁକ୍ତି-ପାଗଳ ଜୀବନ ଆଜିଯାଏ ବନ୍ଧନରେ ପଡ଼ି ଛଟପଟ ହେଉଥିଲା । ମୁକ୍ତି ! ଏହାଠୁ ବଳି ପବିତ୍ର ଆଉ କ’ଣ ଅଛି ? ବିଚିତ୍ର କେଉଁ ଚିଜ ? ସୁନ୍ଦର–ଉଜ୍ଜ୍ୱଳ–ମଧୁର–ଆଉ କୋଉ ପଦାର୍ଥ ? ମୁକ୍ତିର ସେଇ ସ୍ୱର୍ଗୀୟ ମାଧୁରୀ—ଦୁଇ ଭଉଣୀ ସେଇଥିରେ ପାଗଳିନୀ । ଗଳା ମିଳାଇ ସେ ଦିହେଁ ବଡ଼ ପାଟିରେ ଗାଇଲେ ମୁକ୍ତିର ସେଇ ମହାନ ଉଦାର ସଙ୍ଗୀତ ।

 

ଆଉ ଦଣ୍ଡେ– ! ଆଉ ଦଣ୍ଡେ ଅଟକିଗଲେ ଦିହେଁ । କାହା ଯୋଗୁଁ ? ମୋହ–ମମତା ? ସଂସାରର ଆକର୍ଷଣ ? ମିଳନର ମାଧୁରିମା ? ଦିହେଁ ଏଡ଼ୁଟିରୁ ଏଡ଼ୁଟିଏମାନ ହେଲେ । ଏକାଠି ବଢ଼ିଲେ । ମାଆକୁ କେବେ ଦେଖି ନ ଥିଲେ । ଶେଷବେଳକୁ ଛାଇ ହେଇ ସେ ଦେଖା ଦେଇଗଲା-। ଯାଉ । କିନ୍ତୁ ଦିହେଁ ଯେ କେବେ ଅଲଗା ହେଇ ନ ଥିଲେ । ଆଜି କିପରି ଜଣେ ଆର ଜଣକୁ ଛାଡ଼ି ଚାଲିଯିବେ ? ଶଙ୍ଖ ଡାକିଲା–‘‘କୋଇଲି’’ ! କୋଇଲି ଡାକିଲା–‘‘ଶଙ୍ଖ ! କିପରି ? କିପରି ସହିବା ଏଇ ବିଚ୍ଛେଦର ଗୁରୁ ଭାର ?’’

 

ଉଭୟେ କିଛି ସମୟ ବିଚାର କଲେ । ଠିକ୍ ହେଲା–ଶଙ୍ଖ ଯିବ ଗୋଟିଏ ବାଟରେ । କୋଇଲି ବାଛିନେବ ଆର ବାଟଟି । ଅଳ୍ପ ବାଟ । ଛ’ ଦିନରେ ଯାଇହେବ । ସେମାନେ ବୁଲି ବୁଲି ଯାଇ ପହଞ୍ଚିବେ ପରାଶରଙ୍କ ଆଶ୍ରମ ନିକଟରେ । ଜଗତ୍‍ପ୍ରସିଦ୍ଧ ପରାଶରଙ୍କ ପୁଣ୍ୟ ଆଶ୍ରମ ନିକଟରେ ଶଙ୍ଖ କୋଇଲି ଏକାଠି ମିଳିବେ । ତା’ ଆଗରୁ କେହି ପଛକୁ ଚାହିଁବେ ନି । ସାମନାକୁ ମୁହଁ କରି ସେମାନେ କେବଳ ବାଟ ଚାଲିବେ । ଯିଏ ପଛକୁ ଚାହିଁବ ସିଏ ସେଇଠୁ ଚାଲିବ ଆଖି ବୁଜି ବୁଜିକା ।

 

ଟପ୍...ଟପ୍...ଟପ୍... ! ଗଡ଼ି ପଡ଼ୁଚି ଲୁହ । ତତଲା ତତଲା ଲୁହ । ସେ ଲୁହ ଦୁଃଖର । ବୁଢ଼ା ବାପାର ଆଖିରୁ ଝରୁଚି ଏ ଲୁହ । ଆଖିର ପିତୁଳି ତା’ର । ସେମାନେ ତାକୁ ଛାଡ଼ି ଚାଲିଯିବେ–ଚିରଦିନ ଲାଗି । ଅନନ୍ତ କାଳ ପାଇଁ !

 

ଦି’ ଭଉଣୀ ବାପା ଆଡ଼କୁ ଚାହିଁଲେ ।

 

ଘର, ଦୁଆର, ଗାଁ, ଗାଁର ପୋଖରୀ, ଗାଁର ଧୂଳିଆ ଦାଣ୍ଡ, ବାଲିଖେଳର ସାଙ୍ଗ ସାଥୀ, ଛୋଟ ପାହାଡ଼ଟି–ସଭିଏଁ ମନେ ପଡ଼ିଲେ । ଗୋଟି ଗୋଟି ହେଇ ସଭିଏଁ ଆଖି ଆଗରେ ନାଚିଗଲେ । ଏଇ ବାପା କାନ୍ଦୁଚି । ଯିଏ ଏତେ ସିନିଅଁ ଓ ମମତା ଦେଇଥିଲା... ସେଇ ବୁଢ଼ା ବାପା କାନ୍ଦିଚି । ହେଲେ ଆଉ ବାଟ ନାଇଁ । ଏ ସବୁକୁ ଛାଡ଼ିବାକୁ ହେବ । ବାପାକୁ ସେମାନେ ଶେଷ ନମସ୍କାର ଜଣାଇଲେ । ଗଲାବେଳେ...

 

‘‘ହୀନକପାଳୀ ଯାଉଚୁଁ ଆମେ,

ଯାଉଚୁଁ ବହୁଦୂରେ,

ତୁମରି ସେବା ପାରିନୁ କରି,

କରିନୁ କେବେ ହେଲେ ।

ସେଇଥିପାଇଁ ରହିଲା ଦୁଃଖ,

ଯାଉଚୁ ଆମେ ଚାଲି,

ତୁମରି ପଦେ ବା’ ଆମର,

ଜୁହାର ଦେଉଁ ଢାଳି !’’

 

ଗାଇ ଗାଇ ଚାଲିଗଲେ ଶଙ୍ଖ-କୋଇଲି । ବୁଢ଼ାବାପଟି ଝିଅ ଦୁହିଁଙ୍କର ଯିବା ବାଟକୁ ଚାହିଁ ରହିଲା । ଚାହିଁ ରହିଲା–ତା’ର ଲୁହଝରା ଦୁଃଖଭରା ଆଖିରେ ।

 

ଅନେକ ବେଳ କଟିଗଲା ତା’ର । ଆକାଶର ତୀରେ ତୀରେ ମେଘର ଗୁରୁଗୁରୁ ନାଦ ।

 

ଘରକୁ ସେ ଫେରିଲା । କାହିଁ ? କାହିଁ ତା’ର ଘର ? ଏ ଘର କ’ଣ ତା’ରି ? କାଇଁ, ଏଠି ତ ଶଙ୍ଖ-କୋଇଲି ଗୀତ ଗାଉ ନାହାନ୍ତି ! ସେମାନଙ୍କ ତରଳ ମଧୁର ସୁରରେ ତ ଏ ଘରର ପବନ ଥରି ଉଠୁନି !

 

ଜୀବନ ? ଦୁନିଆଁ ? କାଇଁ ସେ ଜୀବନ ତା’ର ? କାଇଁ ସେ ଦୁନିଆଁ ? ଆଉ କାହାପାଇଁ ତା’ର ଦରଦ ? କୋଉଥିପାଇଁ ଅବା ? ଘରର ସବୁ ମମତାର ଡୋରି ତା’ର ଛିଣ୍ଡିଗଲା-। ବୁଢ଼ିଆଣୀ ଜାଲରେ ଟେକାଟାଏ ପଡ଼ିଲେ ତା’ର ରେଶମୀ ସୂତା ଏଇପରି ଛିଡ଼ି ଅସ୍ତବ୍ୟସ୍ତ ହୋଇଯାଏ । ମନେ ମନେ ସେ ଆହୁରି ବିରକ୍ତ ଓ ଉଦାସ ହୋଇପଡ଼ିଲା ।

 

ତା’ ପରଦିନ...

 

ତା’ର ଦୁତୀଅ ସ୍ତ୍ରୀଟି ଏଇ ଧାନ କୁଟିବାକୁ ଆସିଗଲା । ଏ ଭିତରେ ସେ ଥରକ ପାଇଁ ହେଲେ ଶଙ୍ଖ-କୋଇଲିର ନାଁ ଧରିନି । ସତେ ଯେପରି ଏ ଘରେ ସେମାନେ କେବେ ନ ଥିଲେ । ଅଥବା ସେମାନଙ୍କ ସହିତ ତା’ର କେବେ ଚିହ୍ନା ପରିଚୟ ନ ଥିଲା । ସେ ଖାଇଚି ଆନନ୍ଦରେ । ଶୋଇଚି ଚିନ୍ତାହୀନ ଭାବରେ । କାମ କରି ଯାଉଚି ଖୁସିରେ ।

 

ବୁଢ଼ା ଢେଙ୍କି ମୁଣ୍ଡରେ ଆଙ୍କି ଦେଲା ସିନ୍ଦୂରର ଏକ ମସ୍ତ କଲି । ଆଖିରେ ତା’ର ପଲକ ପଡ଼ିନି–କାଠର ସେଇ ଢେଙ୍କିଟି–ଅନ୍ୟ ବେଳେ ଡାକୁଥାଏ–

 

‘‘ଢକର ଢାଇ...ଢକର ଢାଇ...

ଧାନ ପଣିଦେଲେ ଚାଉଳ ହେଇ...

ଚାଉଳ ହେଇ... !’’

 

ଏଇଲାଗେ ? ଏଇଲାଗେ ତାହା ଏକ ବିରାଟ ସାପ । ଲହ ଲହ ତା’ର ଜିଭ ଦି’ଟା ବାହାର କରି ସେ ପିଉଚି ପବନ । ମଣିପରି ଜଳିଲା ଆଖି ଦି’ଟା ଦପ୍ ଦପ୍ ଉଜଳୁଚି । ବାୟାଚଢ଼େଇ ବସା ଯେପରି ପବନରେ ଦୋହଲେ, ଠିକ୍ ସେଇପରି ସେ ଆଗକୁ ପଛକୁ ଦୋହଲୁଚି । ସୁ–ସୁ–ସୁ– । ରାଗରେ ସେ ଗରଜୁଚି । ସତେ ଅବା ତା’ର ବିଷଭରା ନିଃଶ୍ୱାସରେ ଜଳଯିବ ବୁଢ଼ାର ଏଇ ନଡ଼ାର କୁଡ଼ିଆଟି ! ବୁଢ଼ା ଡରି ଛାନିଆଁ । ସାଉତ ମା’ଟି ଗୋଟା ପଣେ ଡରି ଥରିବାକୁ ଲାଗିଚି ।

 

ଖପ୍ । ବେଶ୍ । ସେତିକି । କାହିଁ ସାପ ? କୁଆଡ଼େ ଗଲା ସେ ? ଆଉ ଶଙ୍ଖ-କୋଇଲିର ସାଉତ ମା,–ବୁଢ଼ାର ପଛ ସ୍ତ୍ରୀ ? କ’ଣ ସାପର ପାଟିରେ ? ସବୁ ଯେ ଉଭେଇଗଲା ! ସବୁ ମାୟା, ସବୁ କୁହୁକ । ବୁଢ଼ା ଦୁଇ ହାତରେ ମଳିଲା ଆଖି । ସପନ ନୁହେଁ ତ ! ଫଁ କିନା ନିଃଶ୍ୱାସଟାଏ ଛାଡ଼ି ସେ ତଳେ ବସିଗଲା ।

 

ଅବୋଧ ବାଳୁତ ଶଙ୍ଖ-କୋଇଲି,

ମରଣକୁ ତାଙ୍କୁ ଦେଲା ଯେ ଠେଲି;

ସେମାନଙ୍କ ମନ୍ଦ ଯେହୁ ଭାବିଲା,

ଦଇବ ତାହାରେ ଏ ଫଳ ଦେଲା;

ସେ ଲାଗି କିଛି ତ ଭାବିବ ନାଇଁ,

ପର ମନ୍ଦ ଭାବି ଏ ଫଳ ପାଇ !

 

ଚଢ଼େଇଟିଏ ଘରଚାଳରେ ଗାଇଦେଇ ଚାଳିଗଲା । ବୁଢ଼ା ଭାବିଲା, ହଁ ସତ କଥା–ଆପଣା କଲା କର୍ମମାନ, ଆଗୁଁ ହୋଇବ ସାବଧାନ !

 

ପାପ ତ ଗଲା !

 

–ତିନି–

 

ଏଇ ସାନ ମା’ର ଥିଲା ଝିଅଟିଏ । ତା’ ନାଁ ଟି ସର । ଲୋକେ ବୋଲନ୍ତି–‘‘ସର କହିଲେ ସେ ସରଟିଏ,

 

ଝିଅଙ୍କ ଭିତରେ ସାରଟିଏ ।’’

 

ଯେଉଁ ମା’ ଏଡ଼େ ସଇତାନ, ତା’ରି ଝିଅ ସର । ଠିକ୍ ଓଲଟା ତା’ ସ୍ୱଭାବ । ତା ଚାଲିଚଳନ ମା’ର ଠିକ୍ ଓଲଟା । ସେ ଥିଲା ଶାମୁକା ଭିତରର ମୁକୁତା ।

 

ଶଙ୍ଖ କୋଇଲିକି ସେ ପରାଣ ଭରି ଭଲପାଏ । ଛୋଟ ଛୁଆଟି ସେ । ପଛରେ ତା’ର ମା’ର ଦୁଇଟା ନାଲି ଆଖି ଘୂରି ବୁଲୁଥାଏ । ଆଉ ସଙ୍ଗେ ସଙ୍ଗେ ଛୋଟ ନାଟ କରୁଥାଏ । ତଥାପି ସେ ଲୁଚି ଲୁଚି ଶଙ୍ଖ କୋଇଲି ସଙ୍ଗରେ ଖେଳବୁଲ କରେ । ଲୁଚି ଲୁଚି ସେମାନଙ୍କ ସହିତ ମିଶେ । ମା’ର ଅଜାଣତରେ ବରା, ଏଣ୍ଡୁରି, ଚକୁଳି ନେଇ ଆସେ । ଶଙ୍ଖ-କୋଇଲିକି ଆଗ ଦିଏ । ନିଜେ ସେମାନଙ୍କ ସଙ୍ଗରେ ଖାଏ । ଶଙ୍ଖ-କୋଇଲିକି ସେ ଟିକିଏ ଛାଡ଼ି ପାରେନି । ଖାଲି ସେ ବେଳ ଉଣ୍ଡି ବସିଥାଏ । ମା’ କୁଆଡ଼େ ବୁଲି ଯିବକି ! ଶୋଇ ପଡ଼ିଲାଣି ନା ନାଇଁ ?

 

ଏ ଭିତରେ କେତେ ଘଟଣା ଘଟିଗଲାଣି । ସର ଏ ସବୁ କିଛି ଜାଣିନି । ସେ ନିଜର ନାନୀମାନଙ୍କୁ ବହୁତ ଖୋଜିଲା । ବାଡ଼ିଆଡ଼, କୂଅମୂଳ, ଦାଣ୍ଡ, ପୋଖରୀକୂଳ ଖୋଜି ବୁଲିଲା ସର ଶଙ୍ଖ କୋଇଲିକି । ମା’କୁ ବି ସେ ଦେଖି ନେଲା । ନ ହେଲେ ବାଡ଼େଇବ ଯେ ! କିନ୍ତୁ ଏ କ’ଣ ? ମା’ ତ ନାଇଁ ! ହେଲେ, ଶଙ୍ଖ କୋଇଲି କାହିଁ ।

 

ବହୁତ ଆଡ଼ ଖୋଜି ଖୋଜି ସେ ଥକିଲା । ଘରକୁ ଫେରି ଆସି ଘରର ଅନ୍ଦିକନ୍ଦି ସବୁ ପନ୍ଦର ଥର ଲେଖାଏଁ ଖୋଜିଲା । ବାପାକୁ ପଚାରିଲା । ବାପ ତାକୁ ବୁଝାଇ ପାରିଲାନି । ଆଳ ଦେଖାଇ କଥା ଏଡ଼ି ଦେବାକୁ ଲାଗିଲା ।

 

ଦିନ ବଢ଼ିଲା । ସାଙ୍ଗେ ସାଙ୍ଗେ ସରର ମନରେ ନାନା ପ୍ରକାର ଚିନ୍ତା ବି ବଢ଼ିଲା । ମା’ କଥା ମନେ ପଡ଼େ । ହେଲେ, ତା’ ମାଡ଼ କଥା ଭାବିଲେ, ସର ସେ କଥା ଭୁଲିଯିବାକୁ ଚେଷ୍ଟାକରେ-। ମଣିଷ ନିଜ ମନର ପ୍ରତିକୂଳ ଘଟଣା ଓ ବ୍ୟକ୍ତିକୁ ସବୁବେଳେ ଦୂରରେ ରଖିବାକୁ ଇଚ୍ଛା କରେ-। ଭଲ ଘଟଣା, ଭଲ ଜିନିଷ, ଭଲ ଗୀତ ମଣିଷର ପ୍ରିୟ । ଶଙ୍ଖ-କୋଇଲି ଯେ ସରର ଜୀବନର ଅଙ୍ଗ ହୋଇଯାଇଥିଲେ ! ସେ ବାପାକୁ ପଚାରେ, ‘‘ବା’, ବା’ ମ... ମୋ’ ନାନୀ ସବୁ ଗଲେ କୁଆଲେ-? ସେମାନେ କ’ନ ଆମ ଘରକୁ ଆଉ ଫେଲି ଆସିବେନି ?’’

 

ବୁଢ଼ା ଲୁହ ପୋଛେ । ଅନ୍ୟମନସ୍କ ହୁଏ । ସର ନିଠାଇ କରି ପଚାରି ବସେ । ଅଧୀର ହୁଏ । ଶହ ଶହ ଥର ସେ ପ୍ରଶ୍ନ କରି କରି ବୁଢ଼ାକୁ ହଇରାଣ କରେ । ତା’ ଓଠ ଧରି, ମୁଣ୍ଡରେ ହାତର ସରୁ ସରୁ ଅଙ୍ଗୁଳି ଚାଳି ସେ ପଚାରି ବସେ । ବୁଢ଼ା ବାଧ୍ୟ ହୋଇ କହେ–‘‘ନା ମା’, ସେମାନେ ଆଉ ଆସିବେନି । କୁଆଡ଼େ ଯେ ସେ ଦୁଷ୍ଟ ଛୁଆଗୁଡ଼ା ଗଲେ... !’’

 

‘‘ତମକୁ କନ ପଚାରିଲେ ନି ବା ? ଆଉ ମୋ’ କଥା ? ମୋ’ କଥା କ’ନ କହୁ ନ ଥେଲେ ? ନା...ନା... କହିଥିବେ ! ମୋତେ କ’ନ ସାଙ୍ଗଲେ ନେବେ ନାହିଁ ? ବା, ମୁଁ ଯିବି । ମୁଁ ତାଙ୍କ ସାଙ୍ଗରେ ଯିବି ।’’ ସର ଅଳି କରେ ।

 

‘‘ଆରେ ବାୟାଣୀ, ସେମାନେ ଯେ ନଈ ହେଇ ବହିଗଲେ । ଆଉ ଫେରିବେନି !’’ ବୁଢ଼ା ଉତ୍ତର ଦିଏ ।

 

‘‘ତା’ ହେଲେ ବା...ମୁଁ ନଈ ହେବି । ସେଇମାନଙ୍କ ପଲି ମୁଁ ବି ବଇଯିବି । ଆଉ ମିଶିଯିବି ସେମାନଙ୍କ ସାଥିଲେ । ଆଲେ...ତମେ ? ତମେ ବି ନଈ ହବ ? ନଇଲେ... ମୋ’ ପାନିଲେ ଭାସିଯିବ ସେଇମାନଙ୍କ ପାଖକୁ । ଆମେ ସବୁ ଏକାଠି ଲହିବା । ନାନୀ ହେଲିକା ଆମକୁ ଖୋଜୁଥିବେ ଯେ !’’ ଖଣ୍ଡିଆ ଖଣ୍ଡିଆ କଥା । ଅଧା ଫିଟିଚି । ଅଧା ବନ୍ଦ ରହିଚି । ପରିଷ୍କାର କରି କଥା କହି ପାରିନି ସର । ଏଇପରି.....ଏଇପରି ସେ ଅନେକ କଥା କହିବସେ ।

 

ବୁଢ଼ା ଚାହେଁ ସରର ମୁହଁକୁ । କେଡ଼େ ସୁନ୍ଦର...ସରଳ ଏ ମୁହଁ ଖଣ୍ଡିକ । ଏତେ ସିନିଅଁ ମମତା ଏ ମୁହଁଟି ଜାଣେ ! ‘‘ମା’’ଟା ମୋର ! ବାୟାଣୀଟା ମୋର ! କେତେ ବୁଦ୍ଧି ତୋ’ର ରେ ସର-।’’ ଆହୁରି ଆକୁଳ–ଆହୁରି ଆତୁର ସେ ହୁଏ । ଏଇପରି ତା’ ଜୀବନଟା ଚାଲିଯିବ କି-

 

‘‘କୋଇଲି ନାନୀ !’’ ‘‘ଶଙ୍ଖ ନାନୀ’’ ! ‘‘ଶଙ୍ଖ-କୋଇଲି’’ ‘‘ଶଙ୍ଖ-କୋଇଲି’’–ଏଇ କେତୋଟି କଥା କହି କହି ସର ଛାଡ଼ିଲା ଭାତ । ‘‘ମୋତେ ମୋ’ ନାନୀଙ୍କୁ ଆନି ଦିଅ । ନଇଲେ ମୁଁ ଖାଇବି ନାଇଁ । କିଛି ଛୁଇଁବି ନାଇଁ’’–ସର ରାହା ଧରି କାନ୍ଦିଲା । ବୁଢ଼ା ବୁଝାଇ ବୁଝାଇ ଥେୟା ।

 

କେତେ ଦିନ ଏପରି ଯିବ ? ଛୁଆ ଦିହ । ଏଣେ ଚିନ୍ତା ହେଲା ଜ୍ୱର । ତାତି ତବତି ଭାଙ୍ଗି ପଡ଼ିଲା । ଆଖିର ତେଜ ଖସିଗଲା । ବିହର ରଙ୍ଗ ବଦଳିଗଲା । ତା’ପରେ ଦିନେ କପାଳରେ ଦେଖାଦେଲା ଅଣଗନ ଝାଳବିନ୍ଦୁ । ହଠାତ୍ ସବୁ ଶେଷ । ସର ଶେଷ ଯାଏ କେବଳ ‘‘ମୋ’ ଶଙ୍ଖ ନାନୀ ଲୋ ! ମୋ’ କୋଇଲି ନାନୀ ଲୋ । କୁଆଲେ ଗଲଲୋ ? ମୋ’ ପାଇଁ ଫୁଲ ଆନିଚ ? ଆନିଚ ଗୁଣ୍ଡୁଚି ମୂଷା ଛୁଆଟିକି ? କୋଉଠୁ ଆନିଲ ମ ? ମାଆ–ମାଆକୁ ଡଲୁଚ କି ? ମାଆ ପଲା ଶୋଇପଡ଼ିଚି । ଡଲନି । ହେଇ–ମୁଁ ଯେ ଲଶି ମୁଆଁ ଆନିଚି ମା’କୁ ନୁଚେଇ କଲି, ଆଁ କଲ । ଏ ଶଙ୍ଖ ନାନୀ–ନେ ଖା’ ଲୋ’’ ! ଏଇପରି ଖାଲି କଥା ଉପରେ କଥା କହି କହି ସର ଜୀବନ ତେଜିଲା-

 

ବୁଢ଼ା ମୁଣ୍ଡ ଉପରେ ଆକାଶଟା ଭାଙ୍ଗି ପଡ଼ିଥିଲେ ସେ ହୁଏତ ଚମକି ପଡ଼ି ନ ଥାନ୍ତା । ଏପରି ଗୋଟାଏ ମସ୍ତ ଧକ୍‍କା ସେ ପାଇ ନ ଥାନ୍ତା । ସବୁତ ତାର ଯାଇଥିଲା, କ’ଣ ଥିଲା କି ? ତେବେ–ଥିଲା ସର । କେବଳ ଏଇ ଟିକି ଝିଅ ସରଟି ପାଇଁ ସେ ବଞ୍ଚି ରହିବାଟା । ନିତାନ୍ତ ଦରକାର ବୋଲି ଭାବୁଥିଲା । ତା’ରି ଛୋଟ ଓଠଟି ତଳେ ସେ ନିଜେ ବଞ୍ଚି ରହିବାର ଆଶା ପାଉଥିଲା । ଆଜି କିନ୍ତୁ ସେ ଯେ ଚାଲିଗଲା ।

 

‘‘ଶଙ୍ଖ-କୋଇଲି–ସର । ଶଙ୍ଖ-କୋଇଲି–ସର !’’ ବୁଢ଼ା ପାଗଳ ହେଇଉଠିଲା । ମଲା ଛୁଆର ଶବଟିକି ସେ କୋଳେଇ ଧଇଲା । ନାଚିଲା ତାକୁ ଧରି । ବେତାଳ ତା’ର ନାଚ । ମୁହଁରେ ଅଧା ଶୁଣାଯାଉଥିବା କଥା ଗୁଡ଼ିଏ–କାହାରି କାହାରି ସହିତ ସଂପର୍କ ନାଇଁ । ସବୁ ଯାଏ ଯାର, ସେ ଏଇପରି ସିନା ହୁଏ !

 

ହଠାତ୍ ସେ ଚାହିଁଲା ଆକାଶକୁ । ମେଘ ! ମେଘ ଉପରେ ମିଶୁଚି ମେଘ ! ତା’ରି ଭିତରେ ଦୁଇଟି ନେଳୀ ଆଲୁଅର ଧାରା ମିଶିଗଲା । ଦୁଇ ଦିଗରୁ ବହି ଆସିଲା । ତା’ ପରେ ଗୋଟିଏ ହେଇଗଲା । ମେଘର ଫାଙ୍କରେ ପୁଣି ଗୋଟିଏ ନେଳୀ ଆଲୁଅ ଦେଖାଦେଲା । ଆଗର ଆଲୁଅ ଧାରାଠୁ ଖୁବ୍ ସରୁ–ବହୁତ ପତଳା; ଅଥଚ ଖୁବ୍ ତେଜୀୟାନ୍ । ସେ ବି ମିଶିଗଲା ଏ ଦୁଇଟିର ସାଥିରେ । ସେଥିରେ...ସେଥିରେ ବୁଢ଼ା ପରିଷ୍କାର ଦେଖିପାରିଲା ତା’ରି ତିନି ଗୋଟି ଶିଶୁ ଝିଅ କୋଇଲି–ଶଙ୍ଖ–ସର– ! ସମସ୍ତେ ମିଶି ଏକ ହେଇଗଲେ । ସେମାନଙ୍କର ଖିଲି ଖିଲି ହସ ତା’ର କାନେ କାନେ ଗୁଞ୍ଜରି ଉଠିଲା ।

 

ଦେହ ତା’ର ଝିମ୍ ଝିମ୍ । ମୁଣ୍ଡ ତା’ର ଝାଇଁ ଝାଇଁ । କାନ ତାର ଭାଁ ଭାଁ । ଏଁ ଏଁ... ଏଯେ ମୋ’ରି ସର ! କହୁଁ କହୁଁ ଶିଥିଳ ଦୁର୍ବଳିଆ ପାଦ ଦୁଇଟି ତା’ର ଛନ୍ଦି ହେଇ ପଡ଼ିଲା । ହାତରୁ ଗଡ଼ିପଡ଼ିଲା ସରର ଛୋଟ ଶବଟି । ଗଛ କାଟିଲାପରି କଚାଡ଼ି ହେଇ ପଡ଼ିଲା ବୁଢ଼ା । ତିନୋଟି ଝିଅର ବାପା ।

 

‘‘ଶଙ୍ଖ-କୋଇଲି–ସ–ର– !’’ କରୁଣ–ଅସ୍ପଷ୍ଟ ସେ ସ୍ୱର । ଶୁଭା ଅଶୁଭା ଗଳା ।

 

ମାଟି ! ଏଇ ମାଟିରେ ସେ ଦିନ ସେ ପଡ଼ିଥିଲା ପ୍ରଥମ ହେଇ । ଆଉ ଆଜି ପଡ଼ିଲା—ଶେଷଥର ପାଇଁ । ସେଦିନ ପାଟିରେ ଥିଲା ଭାଷା, ଆଜି ମୁହଁ ବନ୍ଦ । ସେଦିନ ଦିହରେ ଥିଲା ଉଷୁମ-। ଆଜି ବରଫ ପରି ଦିହଟା କାକର । ସେ ଦିନ ଆଖିଖୋଲି ସେ ଚାହୁଁଥିଲା । ଆଜି ଆଖି ଖୋଲିବା ଶକ୍ତି ତା’ର କିଏ ଚୋରିକରି ନେଇ ଯାଇଚି । ପତଳା ଅସ୍ତବ୍ୟସ୍ତ ଶବଟି ତା’ର ଗଡ଼ୁଚି ତଳେ । ମରଣର ଶୀତଳ ପରଶ !

 

ଆକାଶରେ ମଳିଆ ଚାନ୍ଦ ମେଘ ଆଢ଼ୁଆଳରେ ଲୁଚିବାର ଚେଷ୍ଟା କରୁଥିଲା ।

 

–ଚାରି–

 

ଚାଲିଚି କୋଇଲି– ! ଛ’ ଦିନର ବାଟ ତ ! ଏଇ ଡାକି ଦେଲେ ଶୁଭିବ । କାହିଁକି ଏତ ତରତର ? ଦଉଡ଼ି ଦଉଡ଼ି ଲାଭଟି ବା କ’ଣ ? ଚାରିପାଖରେ ମୋ’ର ଏତେ ଯେ ଆନନ୍ଦ ମୋତେ ଛଟ ପଟ ହେଇ ଡାକୁଚି, ସେ ଡାକଟା କ’ଣ ଏତେ ମୂଲ୍ୟହୀନ ? ସେମାନଙ୍କୁ ଦେଖି ନ ଦେଖିଲା ପରି ଆଖି ବୁଜି ଦେବାଟା ଠିକ୍ ହେବ ତ ?

 

ସେ ସବୁଆଡ଼କୁ ଅନାଇଁ ଅନାଇଁ ଚାଲିଚି–ଧୀରେ–ଧୀରେ ।

 

ଦୁଇପାଖେ ତା’ର ଶହ ଶହ ଗଛଲତା । ଅଗନା ଅଗନି ବଣ ଶୋଇ ଶୋଇ ଘୁଙ୍ଗୁଡ଼ି ମାରୁଚି । କେଉଁ ଅସୁରୁଣୀ ବୁଢ଼ୀ ବା ଦିହରେ କୁହୁକ କାଠି ଛୁଆଁଇ ଦେଇଚି । ଏ ଜଙ୍ଗଲରେ ମହାବଳ ବାଘ କହେ–‘‘ମୁଁ ବଡ଼–ମୁଁ ବଣର ରାଜା !’’ ଶଙ୍ଖଚୂଡ଼ା ଫଣା ଦୋହଲାଇ କହେ–‘‘ଏଁ, ମୋ’ଠୁ ବଳୀୟାର ପୁଣି ଆଉ କିଏ ଅଛି ?’’

 

ମୁଣ୍ଡ ଉପରକୁ ଟେକି ଠିଆ ହେଇଚି ପାହାଡ଼ର ମାଳା । ଆଖିରେ ଅହଙ୍କାର–‘‘ମୋ’ଠୁଁ ଉଚ୍ଚ କିଏ ଅଛି ରେ ?’’

 

କୋଉଠି ଲମ୍ବି ଯାଇଚି ବିଲର ରେଖା । ଦୂର ଚକ୍ରବାଳ ଯାଏ ଖାଲି ଫସଲ–ଫସଲ–ଧାନ ଫୁଲର ଗନ୍ଧ । କଞ୍ଚା ପାଚିଲା ଧାନ । ଚାଷୀର ମନଫୁଲାଣିଆ ଗୀତ । ଚାଷୁଣୀ ଆସିଚି ଭାତ ଦେଇଯିବ ସ୍ୱାମୀ ପାଖରେ । ଚାଷୀର ମନ ପୂରୁଚି କିଆରୀକି ଦେଖି । ଭବିଷ୍ୟତର ଗୋଲାପୀ ସପନ ତା’ ମନରେ ।

 

ସବୁଜ ପଡ଼ିଆ–ଚରୁଚନ୍ତି ପଲେ ପଲେ ଛେଳି । ମା’ ଛେଳିଟି ଡାକୁଚି ତା’ ଛୁଆକୁ–

 

ମେଁ–ମେଁ–ମେଁ–

ତୋତେ ପରା ମୁଁ ଡାକି ମରୁଚି,

କୁଆଡ଼େ ଗଲୁ ଏଁ ?

 

ସେ ପୁଣି ଦୁବ ଟୁଙ୍କୁଚି । ପୁଣି ସେ ତା’ ଛୁଆକୁ ଖୋଜି ବୁଲୁଚି । ଛୁଆଟି ହୁଏତ ଟିକିଏ ଦୂରରେ ଅଛି । ନୂଆ ନୂଆ ସେ ଖାଇ ଶିଖୁଚି । କଅଁଳ ଗଳାରେ ସେ କହୁଚି–

 

ମିଁ–ମିଁ–ମିଁ–

ଏପରି ମାଆ କଅଁଳ ଘାସ

କୋଉଠି ଆଉ ନାଇଁ !!

 

ତା’ପରେ ଛୁଆ ଆସୁଚି ଦଉଡ଼ି । ଆଗଗୋଡ଼ ଦି’ଟିକୁ ଆଣ୍ଠୁ ମାଡ଼ି ତଳେ ପକାଇ ଦେଉଚି । ପଛ ଗୋଡ଼କୁ ଅଳ୍ପ ବଙ୍କେଇ ଦେଉଚି । ପିଉଚି ମାଆର ଚୀରରୁ କ୍ଷୀର । ଛୁଆ ଲାଞ୍ଜ ହଲାଉଚି । ମାଆ ତା’ ଦିହ ଲାଞ୍ଜ ଶୁଙ୍ଘି ବାରୁଚି–ଏଇ କ’ଣ ତା’ରି ମିଁ ମିଁ କା !

 

ସେଇଠି ଦଳେ ମେଣ୍ଢା । ତାଙ୍କର ବହଳ ଲୋମଗୁଡ଼ାକ ଅସନା ଭାବେ ଓହଳି ପଡ଼ିଚି । ସେଥି ଭିତରୁ ଗୋଟାଏ କହୁଚି–

 

ଭେଁ–ଭେଁ–ଭେଁ–

ଏଇ ଆଗରେ ସାଥୀ ଯାଉଚି,

ତା’ ପଛେ ମୁଁ ଯାଏଁ ।

 

ଆଗ ମେଣ୍ଢାର ପଛରେ ହୁଏତ ଗୋଟିଏ ଗୋଟିଏ ହେଇ ଦଳଟିଯାକ ମେଣ୍ଢା ଚାଲିଗଲେଣି । ସେଠି କୋଉଠି ଗାତରେ ପଡ଼ି ସେ ଦଳଟା ଭେଁ ଭାଁ–କରୁଛନ୍ତି ।

 

ଗାଈଟି ଏକଥା ଶୁଣୁଥିଲା । ତା’ ଛୁଆକୁ ସେ ତାଗିଦ୍ କରି ଦେଉଚି । ବୁଝାଇ କହୁଚି–‘‘ନା–ନା । ମେଣ୍ଢା ପରି ନ ବୁଝି ନ ଶୁଝି ଜଣକ ପଛରେ ଜଣେ ହେଇ ଚାଲିଲେ ବିପଦ–

 

ହମ୍ବା–

 

ଆଗ ପଛ ବିଚାର କରି କାମ କରିବୁ ଏ ମା !’’

 

କାଳିଆ ପଣ୍ଡାଟା ଭାରି ବଳୁଆ । ତା’ ମନକୁ ଗାଈର ଏ କଥା ଯାଉନି । ସେ ପ୍ରତିବାଦ କରୁଚି । କହୁଚି–ଦୁର୍ବଳ ଲୋକେ ଏଇପରି କହିଥାନ୍ତି–

 

ଅଇଁ–ଅଇଁ–ଅଇଁ–

ଜୀବନ ତା’ର ଦୁଃଖେ ଯାଏ

ବଳ ଯାର ନାଇଁ ।

 

ଶିଙ୍ଗକୁ ଶିଙ୍ଗ ଲଗାଇ ଲଢ଼େଇ କରୁଚି ମଇଁଷି । ଫାଟି ପଡ଼ୁଚି ମାଟି । ଢୋ ଢୋ ଶିଙ୍ଗ ପଡ଼ୁଚି । ଧୂଳି ଉଡ଼ୁଚି । ଦୂରରୁ ଦେଖି ଛେଳି–ମେଣ୍ଢା–ଗାଈ–ପଳାଇ ଯାଉଛନ୍ତି ଡରରେ–ଛାନିଆଁରେ ! ମେଁ–ମେଁ, ଭେଁ–ଭେଁ, ହମ୍ବା–ହମ୍ବା ସବୁ ମିଶି ଏକ ବିଚିତ୍ର ସ୍ୱର ଉଠୁଚି । ଘୋଡ଼ାର ତ ଶିଙ୍ଗ ନାହିଁ । ସେ ହସୁଚି–‘‘ହିଁ–ହିଁ–ହିଁ–ମୋର ଶିଙ୍ଗନାଇଁ ! ତଥାପି–କେତେ ସେ ମଜା ହେଇ !’’ ମିରିଗ ବଡ଼ ଡରକୁଳା ଜୀବଟି । ସେ ଲମ୍ବ ଗୋଡ଼ ପକାଇ ଦଉଡ଼ି ପଳାଉଚି । କଳା ଭାଲୁଟା ‘‘ଉହୁଁ ଉହୁଁ’’ କହୁଚି । ଏ କାମ କୁଆଡ଼େ ତାକୁ ପୋଷାଏ ନି । ଖରିଆ କାନକୁ ଟେକି ଛୁ । ସେ କୋଉ ବୁଦାମୂଳେ ଲୁଚିଲାଣି ।

 

ଆକାଶରେ ଉଡ଼ୁଚନ୍ତି ଚଢ଼େଇ । କେତେ ରଙ୍ଗର । କେତେ ରକମର ମିଠା କଡ଼ା ସୁର୍ ।

 

ପାଣିକୁଆ କହୁଚି–କଅ–କଅ–କଅ–

ପାଣି ଆସଇ–ପାଣି ଆସଇ

ତକେଇ କରି ରହ ।

 

‘‘ଟେଁ–ଟେଁ– । ମୁଁ ମାଛ ଖାଇବି । ମାଛ ଖାଇବି ।’’ ମାଛରଙ୍କା ପବନରେ ଉଡ଼ୁଛି ।

 

ପବନରେ ଏଇ ଯେ ଚକପରି ଘୂରୁଚି ଛୋଟିଆ ଚଢ଼େଇଟିଏ । ଉଜ୍ଜ୍ୱଳ ନୀଳ ରଙ୍ଗ । କୋଇଲିର କଳା ସୁଅ ତଳେ ତଳେ କେଉଁ ମାଛଁ ଛୁଆ ଫିଟିକି ବାହାରି ଆସିଚି–ସେ ଡେଣା ପିଟିପିଟି ସେଠୁ ଥାଇ ଦେଖୁଚି । ତଳକୁ ସେ ଆସୁଚି ସାଇଁ କରି । ଉଲ୍‍କା ଏଇପରି ଖସେ । ମାଛ ନେଇ ଚମ୍ପଟ୍ । ମନ ଆନନ୍ଦରେ ପାଟିରେ ପକାଉଚି । କେଡ଼େ ମିଠା ! ପୁଣି ସେ ଆସୁଚି । ପାଣି ଯମୁନା ତା’ ନାଁ ।

 

ଲତା କୋଳରେ ମୁହଁ ଲୁଚାଇଚି ଟିକି ଫୁଲଟି । କଳାଭଅଁର ଅଳି କରୁଚି–ମହୁ ଟୋପିଏ ଦେ ।

 

‘‘ଉହୁଁ–

ମୋତେ କିଆଁ ମାଗୁଚୁ ଆରେ–

ମୁଁ ଦେବିନି ମହୁ ।’’

 

ଫୁଲ ମୁଣ୍ଡ ଟୁଙ୍ଗାରି ମନା କରି ଦେଉଚି । ପବନ ଫୁଲର ପରାଗତକ ଚୋରାଇ ନେଉଚି-। କହୁଚି ‘‘ମୁଁ ଜିତିଲି, ମୁଁ ଜିତିଲି ।’’

 

ଦୂର ଉଚ୍ଚ ପାହାଡ଼କୁ ଜାବୁଡ଼ି ଧରିଚି ମେଘ । କୋଉଠି ବଣମାଳତୀ ଫୁଟିଚି । ବାସନା ତା’ର ଚହଟି ଆସୁଚି । ପବନ ବୁକୁରେ ଶିହରଣ ।

 

ଚାରି ପାଖରେ ଏତେ ବର୍ଣ୍ଣର ରୂପ, ଏତେ ମନଭୁଲାଣିଆ ଗୀତ । ଏ ସବୁକୁ କି ଭୁଲି ହୁଏ ? ଏ ସବୁକୁ କିଏ ଏଡ଼ି ଦେଇ ଯିବ ? ଏମାନେ ଯେ ପ୍ରତି ମୁହୂର୍ତ୍ତରେ ସ୍ନେହର ସହିତ ନିମନ୍ତ୍ରଣ କରୁଚନ୍ତି । ଯାଉ–ବାଟ ଚାଲିବା ପଛେ ନୋହୁ ମୋର । ପାଖ ପଡ଼ିଶାର ଏତେ ଆନନ୍ଦ, ଏତେ ଉତ୍ସବ, ଏତେ ମରମଭୁଲା ଗୀତର ପଟୁଆର ! ୟାକୁ ଥରେ ଛାଡ଼ିଲେ ଯେ ଆଉ ନ ମିଳେ । ଯିବି ତ, ତରତର କିଆଁ ?

 

କଳ–କଳ–କଳ– ! କୋଇଲି ଏଇ ଆନନ୍ଦ–ଏକ ଗୀତ ସଙ୍ଗରେ ନିଜର ଗୀତ ମିଶାଇଲା । ସେ ଆନନ୍ଦରେ କୁରୁଳି ଉଠୁଚି ।

 

–ପାଞ୍ଚ–

 

ଆଖି ଆଗରେ ଛ’ ମାସର ବାଟ । ଦିନକର ନୁହେଁ–ଶହେ ଅଶୀ ଦିନର । କିପରି ସେ ଯିବ ? ବେଗେ ଯିବା ନିହାତି ଦରକାର । ନାନୀ ଯଦି ଆଗ ଆସିଯାଏ–କହିବ ଶଙ୍ଖଟା ନିପଟ ଅଳସେଈ–ଶଙ୍ଖଟା ମଠୋଈ । ନା–ନା–ତା’ ହୋଇ ପାରିବନି । ଶଙ୍ଖ ଟାଣ କଲା ମନ । କୌଣସିମତେ ସେ ଶୀଘ୍ର ଯିବ ।

 

କଥାରେ ଅଛି–

 

ମନଟା ଯାର ଟାଣ

ତାଆରି ଆଗେ ମୁଣ୍ଡ ନୁଆନ୍ତି

ନିଜେ ଭଗବାନ ।

 

ଶଙ୍ଖ ଚାଲିଲା ଦଉଡ଼ି ଦଉଡ଼ି । ପଳାଶ ଗଛରେ ଏକ ଶହ ଶହ ନାଲି ପଳାଶଫୁଲର ମେଳା । ପଳାଶ ଫୁଲଟି ଲାଜ କରି କହିଲା–

 

ହଇ ଲୋ–ଶଙ୍ଖନାନୀ,

ମୋ ରୂପ ତୁ ଦେଖିଯା ଥରେ,

ନଇଲେ ହେବୁ କାଣୀ ।

 

ଶଙ୍ଖ ତା’ ଆଡ଼କୁ ଚାହିଁଲାନି । ନିଜ ବାଟରେ ଯାଉ ଯାଉ କହିଲା–‘‘ମଲୁନି ଯାହା ରୂପ–ଗରବିଣୀଟା ! ଆରେ, ତୋ ରୂପର କି ମୂଲ୍ୟ ? ତୋତେ କିଏ ପଚାରେ ?’’

 

ପଳାଶ ଫୁଲଟି କ’ଣ କହିବ କହିବ ହେଉଥିଲା । କିନ୍ତୁ ଶଙ୍ଖ ତା’ କଥା କ’ଣ ଶୁଣିବ ? ସେ ଯେ ଚାଲିଚି–ଚାଲିଚି– !

 

ବାଟ ଆଗରେ ଡେଙ୍ଗା ଡେଙ୍ଗା ମୋଟା ମୋଟା ଶାଳ ପିଆଶାଳ ଠିଆ । ଶଙ୍ଖ ଯାଉ ଯାଉ ସେମାନଙ୍କ ଦେହରେ ଧକ୍‍କା ଖାଇଲା ।

 

ମାଡ଼...ମଡ଼...ମଡ଼–

ଆମେ ଦେଖୁଚୁ–ଶଙ୍ଖ, ତୁ’ଟା

ଫାଜିଲ ତ ବଡ଼ ।

 

ମୋଟା ମୋଟା ଗଛଗୁଡ଼ାକ ଭାଙ୍ଗି ଶୋଇଗଲେ । ‘‘କ୍ଷମାକର ମୋତେ । ମୁଁ ବା କ’ଣ କରିବି ? ତୁମେମାନେ କାହିଁକି ମୋ ବାଟରେ ଠିଆ ହେଲ ? ମୁଁ ଯେ ଆଗକୁ ଯିବି । ଆଗକୁ ଯିବାକୁ ହେଲେ ତୁମମାନଙ୍କୁ ଡେଇଁବାକୁ ପଡ଼ିବ ।’’ ଶଙ୍ଖ ଆଗକୁ ମାଡ଼ି ଚାଲିଚି । ଗଛଲତାଏ ଆଡ଼େଇ ହେଇଗଲେ ।

 

କୁର୍‍ହୁମୀ ଫୁଲଟି ପବନରେ ତା’ର ମହକ ବୁଣି ପକାଇଲା । ପାଖରେ ସୁନାକେରା ପରି ସୁନାରୀ ଫୁଲଗୁଡ଼ିକ ଲମ୍ବିଚି । ତାକୁ ଡାକି କୁର୍‍ହୁମୀ କହିଲା–‘‘ଦେଖୁଚୁ ସୁନାଫୁଲ । ଶଙ୍ଖଟା ଯାଉଚି ଯେ, ଆମ ଆଡ଼କୁ ଆଡ଼ ଆଖିରେ ବି ଅନାଉଁ ନି । ମଲାରେ ତୋ’ର କାମ ! କାମ ତୋ’ର ଖାଲି ପୋଡ଼ି ଯାଉଥିବ !’’

 

ଗିଲରୀ ଫୁଲଟି ନାଲି କସ୍ତା ଖଣ୍ଡେ ପିନ୍ଧି ପକାଇଲା । ସେ ଡେଇଁ ପଡ଼ିଲା ଗଛରୁ । ‘‘ରହ–ରହ–ଶଙ୍ଖ ।’’ ସେ ଡାକିଲା ।

 

ଶଙ୍ଖ ତାକୁ ସୁଅରେ ତଡ଼ି ନେଉ ନେଉ ଆଗକୁ ଯାଇ କହିଲା–‘‘ବୁଝିଲୁ ଗିଲରୀ, ଜୀବନରେ ଠିକ୍ ସମୟରେ କାମ କରି ନ ପାରିଲେ ପଛରେ ବହୁତ କାନ୍ଦିବାକୁ ହୁଏ । ଖାଲି ହସି ଖେଳି ଦିନ କାଟିଦେଲେ ଜୀବନଟା ଯେ କାଲି ପାହିଯିବ । ଜୀବନଟା ଯଦି ଅସଲ ଜୀବନ ପରି ବିତାଇବାକୁ ଚାହୁଁ–ନିଜର କାମ କର । ଧନ ସମ୍ପଦ, ମାନ ଅପମାନ, ମାୟା ମମତା–ଏ ସବୁ ଭୁଲିଯିବାକୁ ହେବ । ମୋର କାମ–ମୁଁ ଆଗକୁ ଯିବି । ଯିବି–ଯିବି । ନିଶ୍ଚୟ ଯିବି । ତୁମେମାନେ ମୋତେ ଯେତେ ଡାକିଲେ ମୁଁ ଫେରିଲିନି, ଚାହିଁବିନି, ଶୁଣିବିନି ଟିକେ ହେଲେ । ଯିବା ହିଁ ମୋର ଧର୍ମ । ସେ ମୋ ଜୀବନକୁ ଧରି ରଖିଚି ।’’

 

ବିଚାରୀ ଗିଲରୀ ଫୁଲଟି ଶଙ୍ଖଠୁଁ କିପରି ରକ୍ଷା ପାଇବ ? ‘‘ଆରେ ବାପରେ, କି ଶକ୍ତି ମ ଏ ଶଙ୍ଖଟାର ! ଏତେ ବଳ ସେ କୋଉଠୁ ପାଇଲା ? ଆମରି ଆଗରେ ସେ ଛୁଆଟି !’’ ଗିଲରୀ କୁଟାଖିଏ ପାଇ ଜାବୁଡ଼ି ଧଇଲା । କୁଟାଟି ଭାସି ଭାସି କୂଳରେ ଲାଗିଲା । ‘‘ଓଃ ! ବଞ୍ଚିଲିରେ ବାବା, ବଞ୍ଚିଲି ।’’ ଗିଲରୀ ସଁ ସଁ କରି ନିଃଶ୍ୱାସ ମାଇଲା ।

 

କାଉଟିଏ ଉଡ଼ି ଉଡ଼ି ଗଲା । ହଳଦୀବସନ୍ତ ଗଛ ଡାଳରେ ଗୁଳୁ...ଗୁଳୁ...ଗୁଳୁ...କଲା । ବଗମାନେ ଧଳା ଚଦର ପକାଇ ମାଛ ପାଇଁ ଅଳି କଲେ ।

 

ଅଜଗର କହିଲା–‘‘ଦେଖିଲୁ ଶଙ୍ଖ, ମତେ ଟିକେ ବାଟ ଛାଡ଼ି ଦେ । ସେ ପାଖରେ ପରା କୁଟୁରା ଛୁଆଟା ପଳାଇ ଯାଉଚି । ତାକୁ ମୁଁ ଖାଇବି । ଛାଡ଼ି ଦେ ବାଟଟା !’’

 

ଶଙ୍ଖ କହିଲା–‘‘କାହାରି କଥା ଶୁଣିବାକୁ ମୋ’ର ତିଳେ ହେଲେ ତର ନାଇଁ । ଯା’ ଇଚ୍ଛା ତା’ କର ।’’

 

ଅଜଗରଟା ଡେଇଁ ପଡ଼ିଲା । ଭାବିଲା ଶଙ୍ଖକୁ ଡେଇଁ ସେ ପାଖକୁ ଚାଲିଯିବ । କିନ୍ତୁ ମୁଣ୍ଡଟା ତା’ର ଖଣ୍ଡ ଖଣ୍ଡ ହେଇଗଲା ମୁଣ୍ଡ ଗଣ୍ଡି ଭାସିଗଲା ସୁଅରେ । ଓଃ, କ’ଣ ଏ । ଗଛଲତା ମୁଣ୍ଡରେ ହାତ ଦେଲେ । ପଶୁ ପକ୍ଷୀ ଚୁପ୍ ଚାପ୍ ରହିଗଲେ । କୋଟିଏ ବିଜୁଳିର ଚଞ୍ଚଳତା ଶଙ୍ଖର ପାଦରେ । ଲକ୍ଷ କୋଟି ବଜ୍ରର ବଳ ତା’ ଦିହରେ । ସେ ଶଙ୍ଖ–ସେ ଶଙ୍ଖ–

 

‘‘ବାଟ ଦେବିନି ଛାଡ଼ି,

ମୁଁ ପଥର ଯାଉଚି ଗଡ଼ି ।’’

 

କହୁ କହୁ ଗୋଟାଏ ବୃହତ୍‍କାୟ ପଥର କୂଳରୁ ଗଡ଼ି ପଡ଼ିଲା । ତାକୁ ଶଙ୍ଖ ତଡ଼ିନେଲା । ଆଉ ଗୋଟାଏ ପଥର ଦିହରେ ତାକୁ ଢୋ ଢୋ କଚାଡ଼ିଲା । ଗୋଟାଏ...ଦୁଇଟା... ଶହେ... ହଜାରେ...ଲକ୍ଷେ... କୋଟିଏ... ! ଦେଖୁଁ ଦେଖୁଁ ଅଗଣନ ପଥର ତା’ ବାଟ ଓଗାଳିଲେ । ୟାକୁ ତା’ ଉପରେ, ତାକୁ ୟା ଉପରେ କଚାଡ଼ି କଚାଡ଼ି ଶଙ୍ଖ ଲକ୍ଷକୋଟି ପଥରକୁ ମାରି ଚୂନା କରି ପକାଇଲା-। ତା’ର ଭୀମମାଡ଼ ଖାଇ ସମସ୍ତେ ଶେଷ ପାଇଗଲେ ।

 

ଗଛ ଲତା, ଫୁଲ ଫଳ, ପଶୁ ପକ୍ଷୀ, ମାଟି ପଥର, ବାଲି ଗୋଡ଼ି ଯେ ଆଗରେ ପଡ଼ିଲା ସେ ଭାସିଲା । କା’ ପାଟିରୁ ପଦିଏ ହେଲେ ବି କଥା ବାହାରିଲା ନି । ଡରିମରି ସଭିଏଁ ଶଙ୍ଖକୁ ଛାଡ଼ିଦେଲେ ବାଟ ।

 

ଘୋ...ଘୋ...ଘୋ...

 

ବିଜୟର ସଙ୍ଗୀତ ତା’ର ! ଯାତ୍ରାର ଉନ୍ମାଦ ସଙ୍ଗୀତ ଶଙ୍ଖର । ଧାଇଁ ଧାଇଁ ଚାଲିଚି ସେ ଭଉଁରୀ ଖେଳି ଖେଳି ।

 

ତାଜୁବ୍ ସମସ୍ତେ ।

 

–ଛ–

 

ହୁ...ହୁ...ହୁ... ! ମାଡ଼ି ଚାଲିଚି । କିଏ ? କିଏ ଏ ମାଡ଼ି ଚାଲିଚି ? ଲମ୍ବି ଯାଇଚି ବହୁତ ଦୂରଯାଏ । କଳା ତା’ର ଦିହଟା । ଓ, ଶିଳାଧର ! ପାହାଡ଼ ରାଜା–ଶିଳାଧର !

 

‘‘ହୁଁ, ଏତେ ତା’ର ଗର୍ବ ! ଏଡ଼ିକି ବକଟେ ବୋଲି ପିଲା । ଗାଲ ଚିପିଲେ କ୍ଷୀର ବାହାରିପଡ଼ିବ । ଏତେ ତା’ର ଅହଙ୍କାର ! ସାନବଡ଼ ଟିକିଏ ବାଛ ବିଚାର ନାଇଁ ! ରହ–ତୋ’ ମଜା ଛଡ଼ାଇ ଦେଉଚି ।’’ ଶିଳାଧର ପ୍ରତିଜ୍ଞା କଲା–ଶଙ୍ଖର ବାଟ ଓଗାଳିବ । ସେ ଠିଆହେବ ଶଙ୍ଖର ଆଗରେ । ରୋକିନେବ ତା’ର ଟାଣୁଆ ସୁଅକୁ ନିଜର ବଜ୍ରକଠୋର ଛାତିରେ । ସମସ୍ତେ ଛାଡ଼ି ଦେଲେ ବୋଲି ସେ ବି କ’ଣ ଛାଡ଼ିଦେବ ବାଟ ? ନା...ନା... ! ନିଶ୍ଚୟ ସେ ଅଟକାଇ ନେବ ଶଙ୍ଖକୁ-

 

ଘୋ...ଘୋ...ଘୋ... ଶଙ୍ଖ ପାଟି କଲା । ‘‘କିହୋ, ତମେ କିଏ ? ମୋ’ ବାଟରେ ଠିଆ ହେଇଚ କାହିଁକି ? ଛାଡ଼ିଦିଅ ମୁଁ ଯାଏଁ ।’’

 

–‘‘ଯାଉନୁ, ମୁଁ କ’ଣ ତୋତେ ଟାଣି ରଖିଚି ? ତୋ’ ଇଚ୍ଛା ହେଲେ ତୁ ଯା ।’’

 

–‘‘ଯିବନି ? କ’ଣ ବସି ରହିବି ବୋଲି ଭାବୁଚ ? ତା’ ନୁହେ କଦାପି । ମୋତେ କାମ ଡାକୁଚି । ମୋତେ ବାଟର ହକରା ଆସିଚି । ମୋର ଲକ୍ଷ୍ୟ ମୋତେ ଆଖି ଠାରୁଚି । ସୁତରାଂ ମୁଁ ଯିବି ନିଶ୍ଚୟ । ତେବେ ତମେ ମୋ’ ବାଟରୁ ଅଲଗା ହେଇ ଯାଅ’’–ଶଙ୍ଖ ଜବାବ୍ ଦେଲା ।

 

–‘‘ମନେରଖ ଶଙ୍ଖ ! ମୁଁ ଆଉ କେହି ନୁହେଁ । ଜାଣୁ, ମୁଁ ପର୍ବତ–ରାଜ ଶିଳାଧର ? ତେଣୁ ତୋ’ ପାଖରେ ମୁଣ୍ଡ ନୁଆଇଁବା ମୋ’ ପକ୍ଷରେ ଅସମ୍ଭବ ।’’

 

–‘‘ମୁଁ ଜାଣେ ତୁମେ ଶିଳାଧର ପର୍ବତ । ତୁମ ଭଳି ବହୁତ ପର୍ବତ ପୃଥିବୀରେ ଅଛନ୍ତି-। ତୁମର ଥାନ ସେମାନଙ୍କ ଭିତରେ କୋଉଠି ତୁମେ ଜାଣନି । ଯେଉଁମାନେ ଯେତେ ଛୋଟ, ସେମାନେ ନିଜକୁ ସେତେ ବଡ଼ ବୋଲି ପ୍ରଚାର କରିହୁଅନ୍ତି । ନ ହେଲେ କାଲେ ତାଙ୍କୁ ଛୋଟ ବୋଲି କିଏ ହସି ଦେଇପାରେ । ଏତିକି ତମେ ଜାଣିପାରୁ ନ, ଯା’ର ଦିହଟା ଛାର ପଥରରେ ଗଢ଼ା ତା’ର ପୁଣି ଟାଣ ! ତା’ର ପୁଣି ଗରବ !’’

 

—‘‘ଶଙ୍ଖ ! ସାବଧାନ ହେଇ କଥା କହ । କେତେଟା ଦୁର୍ବଳଙ୍କୁ ଠେଲି ଦେଇ ଆସିଚୁ । ସେଇଥିରେ ଏତେ ଗର୍ବ ତୋର ସୁନ୍ଦର ନୁହେଁ । ଶୁଣ ଶିଳାଧର ପଣ, ସେ ବାଟ ଛାଡ଼ିବନି ଉଦ୍ଧତା ଶଙ୍ଖକୁ । କ’ଣ ତୁ କରି ପାରିବୁ ମୁଁ ଦେଖିବି ।’’ ଶିଳାଧର ମୁହଁ ଉପରକୁ କଲା । କଥାରେ ତା’ର ଥଟ୍ଟା କରିବାର ଇସାରା ।

 

–‘‘ଦେଖିବାର ତେବେ ବାକି ଅଛି, ନା ? ପଛକୁ ଫେରି ଦେଖ । ତୁମରି ପରି ଯିଏ ସବୁ ମୋ’ ଗତିପଥରେ ବାଧକ ହେଇଥିଲେ ସେମାନଙ୍କୁ ଟିକିଏ ଚାହଁ । ସେମାନଙ୍କର ଅବସ୍ଥା ମନେ ପକାଅ । ମୁଁ ତୁମକୁ ଭଲରେ ଭଲରେ କହୁଚି–ବାଟ ଛାଡ଼ି ଦିଅ । ମିଛରେ ମିଛରେ ଲଢ଼େଇ କରିବାକୁ ମୁଁ ପସନ୍ଦ କରେନି । ଶକ୍ତିର ଅମର୍ଯ୍ୟାଦା କରିବା ମୋ’ ନୀତିର ବାହାରେ । ନଖରେ ଯେଉଁ କାମ ଛିଣ୍ଡିଯିବ, ସେଥିଲାଗି ତରବାରୀର ଲୋଡ଼ା ନାହିଁ । ତୁମେ ସେ ପାଖରେ ଟିକେ ବାଟ ଛାଡ଼ିଦିଅ । ମୁଁ ଚାଲିଯାଏଁ ।’’ ଶଙ୍ଖ ନମ୍ର ଭାବରେ କହିଲା ।’’

 

–‘‘ବିନା ଲଢ଼େଇରେ କିନ୍ତୁ ମୁଁ ଏଠାରୁ ତିଳେ ହେଲେ ଘୁଞ୍ଚିବାକୁ ତିଆର ନୁହେଁ । ତୋ’ର ବଳ ଥିଲେ ତୁ ଯା !’’ ଶିଳାଧର ଶଙ୍ଖର ମିନତି ନ ଶୁଣି ତା’ ଆଡ଼କୁ ଆଉ ପାଦେ ମାଡ଼ିଗଲା ।

 

–‘‘ହଉ...ହେଲା ।’’ କହୁଁ କହୁଁ ଶଙ୍ଖ ପ୍ରବଳ ବେଗରେ ବହିଲା । ଲହରୀ ଉପରେ ଲହରୀ । ଅଗଣିତ ତା’ର ସଂଖ୍ୟା । ମାଡ଼ି ଆସିଲେ । ପ୍ରଳୟର ଗର୍ଜନ । ସତେ ଅବା ଲକ୍ଷ ଲକ୍ଷ କଳା ନାଗ ଆଗେଇ ଆସୁଚନ୍ତି । ଫଣା ତୋଳି ଧାଇଁଚନ୍ତି । ଘଡ଼ିକ ଭିତରେ ସୃଷ୍ଟିକି ଛାରଖାର କରିଦେବେ ପରା ! ଦଂଶନର ଜ୍ୱାଳାରେ ପବନକୁ ଶୁଖାଇ ଦେବେ ପରା ! ଗର୍ଜନର ଶବ୍ଦରେ ସମୁଦ୍ରକୁ ଟପିଯିବେ ସତେ !

 

ଢୋ...ଢୋ... । ଗୋଟି ଗୋଟି ହେଇ ବାଡ଼େଇ ହେଇଗଲେ ଲହରୀ । ଫେଣ ଉପରେ ଫେଣ । ଭଉଁରୀ ଉପରେ ଭଉଁରୀ ।

 

ଆକାଶରେ ତାରା । ସାଥିରେ ଚନ୍ଦ୍ର । ଛନକା ପଶିଲା ସେମାନଙ୍କ ଭିତରେ । –ଏଁ ! ଏ କ’ଣ ଦ୍ୱିତୀୟ ଆକାଶ ! ଭୟରେ ସେମାନେ ଥରି ଉଠିଲେ । ଆଶଙ୍କାରେ ବୁକୁ କୋରି ହେଇଗଲା-। ଶଙ୍ଖର ଲହରୀରେ କୋଟି କୋଟି ତାରାର ଛବି । ଲକ୍ଷ ଲକ୍ଷ ଚାନ୍ଦର ମୁହଁ । ଆଉ ଫେଣଗୁଡ଼ିକ-? ନୀଳ ଆକାଶରେ ମେଘର ରେଖା । ବିଶ୍ୱାମିତ୍ର କ’ଣ ତ୍ରିଶଙ୍କୁକୁ ଏଇଠି ରଖିବେ ?

 

–ହା...ହା...ହା....ହୋ...ହୋ...ହୋ...ହି...ହି...ହି ! ! ହସୁଚି ପର୍ବତ । ବିଦ୍ରୂପର ବାଣ ହାଣୁଚି ଶିଳାଧର । ହସ ନୁହେଁ ଯେ ବଜ୍ରଛୁଞ୍ଚି ସେ ।

 

—‘‘ଚପଳା ବାଳିକା ଶଙ୍ଖ ! ମୋ’ ଝିଅର ଝିଅ ତୋ’ଠୁ ସାତ ଜନମରେ ବଡ଼ । ତୁ କରିବୁ ଲଢ଼େଇ ମୋ ସାଥିରେ ?’’ ଖୁବ୍ ଜୋରରେ ହସିବାକୁ ଲାଗିଲା ଶିଳାଧର । ହସରେ ତା’ର ପବନ ଡରିଗଲା । ପର୍ବତମାନେ ମୁଣ୍ଡ ନୁଆଇଁ ଦେଇ ଚୁପ୍ ରହିଲେ । ଗଛରୁ ଖସିପଡ଼ିଲା ପତ୍ର, ଫୁଲ । ଆକାଶରୁ ଅଜାଡ଼ି ହେଇ ମେଘସବୁ ପଡ଼ିଗଲେ ତଳେ ।

 

ହଜାର ହଜାର ହାତ ବଢ଼ାଇଲା ଶଙ୍ଖ । ବେଳକୁ ବେଳ ସେ ପ୍ରବଳ ହେଇ ଉଠିଲା । ସତେ ଯେପରି ଶୁକ୍ଳ ପକ୍ଷର ଜହ୍ନ ପରି ସେ ବଢ଼ାଇ ଚାଲିଚି ତା’ର ବଳ । ନୈରାଶ୍ୟ ତା’ର ଦୂର ହେଉଚି । ନୂଆ ଆଶା ନେଇ ସେ ଧକ୍‍କା ଦେଉଚି ଶିଳାଧର ଉପରେ ।

 

ହସି ହସି ବେଦମ୍ ହେଉଚି ଶିଳାଧର । –‘‘ଏ ଠିକ୍ ସାତତାଳ ତୁଳାର ନରମ ଶେଯ ପରି ମୋତେ ଲାଗୁଚି ଶଙ୍ଖ !’’ ଟହ ଟହ ହସୁଚି ପର୍ବତ । ଆକାଶଉଛୁଳା ହସ ତା’ର । ଉପରକୁ ଉଠି ଉଠି ଚାଲିଚି ସେ ।

 

ଆକାଶର ଚନ୍ଦ୍ରକୁ ଡର ଲାଗିଲା । ସେ ମେଘ ପୁଳାଏ ଘୋଡ଼େଇ ହେଇ ଉପରକୁ ଉଠିଗଲା । –‘ମୋତେ ନ ଛୁଉଁ ଏ ପର୍ବତ ।’ ତାରା ଆଖି ମଳିଲେ । ଚାହିଁଲେ ମିଟି ମିଟି—‘‘ଆମ ଯିବା ବାଟ କ’ଣ ବନ୍ଦ ହୋଇଯିବ ? ମହାନ୍ ଅଡ଼ୁଆ ତେବେ !’ ଆଗତ କଥା ଭାଳି ବ୍ୟସ୍ତ ହେଇପଡ଼ିଲେ ସମସ୍ତେ ।

 

ଏଣେ ସାରା ସଂସାର ଜଳମୟ । ଟୋପାଏ ହେଲେ ଜାଗା ବାକି ନାହିଁ । ସବୁ ଖାଲି ଜଳ...ଜଳ ।

 

ଯୁଦ୍ଧର ହୁଂକାର ଦେଇ ଦେଇ ଲଢ଼େଇ କରୁଛନ୍ତି—ଶଙ୍ଖ ଆଉ ଶିଳାଧର । ସେମାନଙ୍କର ବଜ୍ରକୁହାଟ କାନଫଟା । ତିନିଭୁବନ ଥରହର । ପୃଥିବୀର ମେରୁଦଣ୍ଡ ଦୋହଲିଗଲା ।

 

ଦୁନିଆର ଅଣୁ ପରମାଣୁରେ ଭୀତିର ଲହର । ଗଛଲତା ବୁଡ଼ିଲେ; ସଢ଼ିଲେ ଜଳରେ । ଜୀବଜନ୍ତୁ ଭାସିଲେ, ଜଳରେ କାନ୍ଦିଲେ । ପର୍ବତ ସବୁ ବୁଡ଼ିଗଲେ । ସେମାନଙ୍କ ନିଃଶ୍ୱାସ ଆଉ ଚଳପ୍ରଚଳ ହୋଇ ପାରିଲାନି ।

 

ଅଚଳ ଶିଳାଧର ।

 

ଅଟଳ ଶଙ୍ଖ ।

 

–‘‘ହେ ଭଗବାନ୍ ! ରକ୍ଷାକର ।’’ ସମସ୍ତେ ଡାକିଲେ ଆତୁର ହେଇ । ପୋକ, ଫିରିଙ୍ଗି, ପଶୁପକ୍ଷୀ, ଜନମାନବ–ସଭିଙ୍କ ମୁହଁରେ କେବଳ ‘ରକ୍ଷାକର’ । ସମସ୍ତେ ଶିଳାଧରକୁ କହିଲେ— ‘‘ହେ ପର୍ବତରାଜ, ତମେ ରକ୍ଷାକର । ତମେ ଆମକୁ ଉଦ୍ଧାର କର । ତମେ ଟିକିଏ ବାଟ ଛାଡ଼ିଦିଅ ଶଙ୍ଖକୁ-। ସେ ଚାଲିଗଲେ ସବୁ ଅଡ଼ୁଆ ତୁଟିଯିବ ।’’

 

ଶିଳାଧର ଛାତି ଉଚ୍ଚା କଲା । ମୁଣ୍ଡ ଆହୁରି ଉପରକୁ ତୋଳିଲା । ନଛୋଡ଼ବନ୍ଦା ସେ ।

 

ଶଙ୍ଖକୁ ଆସି ସେମାନେ ଅନୁରୋଧ କଲେ—

 

ଶଙ୍ଖ ଗୋ, ତୁମେ ନଦୀରେ ସାର,

ଛାଡ଼ିଦିଅ ଦେବି, ରାଗଟି ତୋର;

ତୋହରି ଶରଣ ନେଲୁଣି ଆସି

ଛପନକୋଟି ଗୋ ବିଶ୍ୱ–ବାସୀ ।

 

—‘‘ହେ ଶଙ୍ଖ ! ତୁମେ ନଦୀଶ୍ରେଷ୍ଠ । ତୁମେ ରକ୍ଷାକର ଆମକୁ । ରକ୍ଷାକର ଛପନ କୋଟି ଜୀବଜନ୍ତୁଙ୍କୁ । ତୁମେ ଏ ପ୍ରଳୟରୂପ ଛାଡ଼ିଦିଅ ।’’

 

ଶଙ୍ଖ ଜୀବଜଗତର ଗୁହାରି ଶୁଣିଲା । ଆଉ କହିଲା–‘‘ତୁମେମାନେ ମୋତେ ଭଲକରି ଜାଣିଚ । ମୋର ଏବେ କ’ଣ କରିବାର ଅଛି କହିଲ ? ମୁଁ ତ ମୋର ଲକ୍ଷ୍ୟ ଭୁଲି ପାରିବିନି । ଶହ ଶହ ବଜ୍ର ଆସୁ । ଦୁନିଆରେ ନିଆଁ ବରଷୁ । ଝଡ଼ରେ ପୃଥିବୀଟା ପାତାଳ ଭିତରେ ପଶିଯାଉ । ମୋର ଖାଲି ଲକ୍ଷ୍ୟ ଲୋଡ଼ା । ମୁଁ ତୁମମାନଙ୍କ ଦୁଃଖ ପାଇଁ ସହାନୁଭୂତି ଦେଖାଉଚି । ତୁମ ଦୁଃଖରେ ବି ମୋ’ ଅନ୍ତର କାନ୍ଦୁଛି । କିନ୍ତୁ କର୍ତ୍ତବ୍ୟଟି କ’ଣ ପାଶୋରିଦେବି ?

 

ମୋର ପଣ-ଜୀବନ ପଛେ ଯାଉ,

ଯେଉଁ କାମରେ ହାତ ଦେଇଚି

ସେଇ କାମଟି ହେଉ ।

 

ତେବେ ଗୋଟିଏ କାମ ମୁଁ କରିପାରେଁ...’’

 

–‘‘କି କାମ, କୁହ...କୁହ ଶଙ୍ଖ, କୁହ ଦେବି !’’ ସଂସାର ଉଦ୍‍ଗ୍ରୀବ ହେଇ ପ୍ରଶ୍ନ କଲା ।

 

–‘‘ତୁମେ ସଭିଏଁ ଏକମୁଖ ହେଇ ଭଗବାନଙ୍କୁ ଡାକ । ଯେତେବେଳେ ମରଲୋକରେ ବିପଦ ଆସି ପହଞ୍ଚେ, ଯେତେବେଳେ ପୃଥିବୀ ଛାରଖାର ହେଇଯିବାକୁ ବସେ କାହାରି ଅତ୍ୟାଚାରରେ, ସେତେବେଳେ ଭଗବାନ ଜନମ ନିଅନ୍ତି ଏଇ ମାଟିର ବୁକୁରେ । ଯୋଉ ଭଗବାନ ଯୁଗ ଯୁଗ ଚିନ୍ତା କରି ଏ ସଂସାର ତିଆରି କରିଚନ୍ତି, ସିଏ ତାଙ୍କରି ହାତଗଢ଼ା ଦୁନିଆଟିକୁ ନଷ୍ଟ ହେଇଯିବାକୁ କେବେ ଦେବେନି । ସେ ସମସ୍ତଙ୍କର ଗୁହାରି ନିଶ୍ଚୟ ଶୁଣିବେ । ସେ ଶୁଣିଲେ ଏ କଥାର ଠିକ୍‍ ମୀମାଂସା ହେଇଯିବ । ସେ ଶୁଣିବାଯାଏ ମୁଁ ମୋର ଭୀମ ରୂପକୁ କମାଇ ଦେଉଚି । ଲଢ଼େଇ କିନ୍ତୁ ବନ୍ଦ ହେବନି ମୋର । ଲଢ଼େଇ ବନ୍ଦ କରିବା ଅର୍ଥ ଅହଙ୍କାରୀ ଅନାଚାରୀ ପାଖରେ ମୁଣ୍ଡ ନୁଆଁଇବା । ଏପରି ହେଲେ ଭଗବାନଙ୍କର ଅପମାନ ସିନା ହେବ !’’

 

ଶଙ୍ଖ ଏତିକି କହି ନିଜର ଭୟଙ୍କର ରୂପକୁ କମାଇଦେଲା ।

 

‘‘ଶଙ୍ଖ ଆଜି ତେଜଇ ରାଗ

ଡାକରେ ଡାକ ହରି,

ଗୋଲୋକ ଯାଉ ଥରି...

ଦୁନିଆର ଏ ଯାବତ ଦୁଃଖ

ଯାଉରେ ଅପସରି ।

 

ଜୟ ଶଙ୍ଖର ଜୟ ।’’ ସମସ୍ତେ ପାଟିକରି ଉଠିଲେ । ଅବାଟରେ ସମସ୍ତେ ପାଇଲେ ବାଟ-। ଅନ୍ଧାରରେ ପାଇଲେ ଆଲୁଅ । ନୈରାଶ୍ୟରେ ପାଇଲେ ଆଶା ।

 

ସେଠାରୁ ସିଂହ ଡାକିଲା ମା’ ଦୁର୍ଗାଙ୍କୁ–‘‘ହେ ମା ରକ୍ଷାକର ! ରକ୍ଷାକର ମୋତେ... । ରକ୍ଷାକର ଏ ଜଗତକୁ । ଏ ବିପଦରୁ ପାରିକଲେ ମୁଁ ହେବି ଯୁଗ ଯୁଗ ପାଇଁ ତମରି ବାହନ ।’’

 

ମଇଁଷି ଡାକିଲା ଯମଙ୍କୁ । ଷଣ୍ଢ ଗୁହାରିଲା ଦେବଦେବ ମହାଦେବଙ୍କୁ । ଲକ୍ଷ୍ମୀଙ୍କି ସୁମରଣା କଲା ପେଚା । ହଂସ ସରସ୍ୱତୀଙ୍କ ନାଁ ହେଲା । ମୟୂର କୁମାରଙ୍କୁ ସ୍ତୁତି କଲା । କୁମ୍ଭୀର ଗଙ୍ଗାଙ୍କର ସ୍ତବ ଗାଇଲା । ଯିଏ ଯୋଉଠି ଥିଲେ ସେଇଠି କେବଳ ଦେବ ଦେବୀଙ୍କି ସୁମରଣା କରିବାରେ ଲାଗିଗଲେ । ଖିଆ ପିଆ ଶୁଆ ବସା ମାନ ଅପମାନ ସବୁ ଭୁଲି ସମସ୍ତେ ଏକ ହେଇ ଡାକିଲେ । ବିପଦବେଳେ ଜୀବ ଏଇପରି ସବୁ ଭୁଲେ । ନିଆଁ ମାଡ଼ିଆସେ, ବଣ ପୋଡ଼େ, ପାହାଡ଼ ଜଳେ । ବାଘ ପଳାଏ, ହରିଣ ବି ପଳାଏ । ସେମାନେ ପଳାନ୍ତି ଏକା ସାଙ୍ଗରେ । ସେଠି ଖାଦ୍ୟ-ଖାଦକର ପ୍ରଶ୍ନ ନ ଥାଏ । ସାନବଡ଼ର ବିଚାର ନ ଥାଏ । ସେଠି ଆସେ ଜୀବ ଆଗରେ ଜୀବନଟାକୁ ବଞ୍ଚାଇବାର ପ୍ରଶ୍ନ । ପହିଲେ ଜୀବନ ରହୁ, ତା’ପରେ ଜୀବନର ପରିପୋଷଣ । ଏଇ ଜୀବନ ରଖିବାକୁ ଆଜି ସମସ୍ତେ ଏକାକାର । ସମସ୍ତଙ୍କ ମନରେ ପ୍ରାଣ ରକ୍ଷା କରିବାର ଚିନ୍ତା । ଆଉ...ଏକ ସ୍ୱରରେ ଈଶ୍ୱର–ପ୍ରାର୍ଥନା । ଧନ୍ୟ ବିପଦ !

 

–ସାତ–

 

ରୁମୁ...ଝୁମୁ...ରୁମୁ...ଝୁମୁ

ରୁମୁ...ଝୁମୁ...ରୁମୁ...ଝୁମୁ

 

ସରଗରେ ଚାଲିଚି ନାଚ । ଗନ୍ଧର୍ବ କିନ୍ନରମାନେ ବଜାଉଛନ୍ତି ନାନା ରକମର ବାଜା । ରମ୍ଭା, ମେନକା ଆଦି ଅପ୍‍ସରାମାନେ ପାଦ ଚାଳି ନାଚୁଚନ୍ତି ବାଦ୍ୟର ତାଳେ ତାଳେ । ସୋମରସ ଆଉ ସଂଗୀତ ରସ ପିଇ ଦେବତାମାନେ ଆନନ୍ଦବିଭୋର ।

 

ହଠାତ୍ ଗୀତ ନାଚ ବନ୍ଦ ହେଇଗଲା । ଦୂରରୁ ଶୁଭିଲା ଗୋଳମାଳ । ଆକାଶ କମ୍ପୁଚି ଦୁଲଦୁଲ । କ୍ରମେ ସେ ଶବ୍ଦ ପାଖେଇ ଆସିଲା । ଦେବତାମାନଙ୍କ ନିଶା ଛାଡ଼ଗିଲା ।

 

କିଏ ଆସୁଚି ? ଅସୁରମାନେ ? କ’ଣ ଅମର-ପୁରୀକି ଘେରଉ କରିବେ ? ଅସୁରେ ତ ସବୁଦିନେ ସୁରଙ୍କର ବଇରୀ । ସେମାନେ ବୋଧହୁଏ ଧାଡ଼ି ଦେଉଚନ୍ତି । ଦେବତାମାନେ ନିଜ ନିଜର ହାତ ହତିଆର ଉପରେ ହାତ ରଖିଲେ । ହେଉ ଲଢ଼େଇ–

 

ଖୁବ୍ ଅଳ୍ପ ସମୟ ପରେ ଦେଖାଗଲା, ପୃଥିବୀର ଛପନ କୋଟି ଜୀବଜନ୍ତୁ ଲମ୍ବି ଆସୁଚନ୍ତି । ପୁଣି ଭାଳେଣି । ବୋଧହୁଏ ପୃଥିବୀରେ କିଛି ଅଘଟନ ହେଲା । ମରଲୋକର ଜୀବ ଯଦି ସରଗକୁ ଆସିଲେ, ତେବେ ସରଗର ମାନ ରହିଲା କୋଉଠି ?

 

ସେମାନେ ସରଗ ଦୁଆର ନ ଛୁଉଁଣୁ ଦେବତାମାନେ ଆଗେଇ ଆସିଲେ । ବ୍ରହ୍ମା ସମସ୍ତଙ୍କ ଆଗରେ । ଏଇ ବ୍ରହ୍ମାଙ୍କ ଯୋଗୁଁ ସିନା ସୃଷ୍ଟି ! ଚାରି ମୁହଁରେ ସେ ଗାଉଚନ୍ତି ଚାରି ବେଦର ମନ୍ତ୍ର ।

 

ଦେବତାମାନଙ୍କୁ ଦେଖି ପୃଥିବୀର ଜୀବଜନ୍ତୁ ମାନ୍ୟ କଲେ । ଜଗତର କୁଶଳ ପ୍ରଶ୍ନ ପଚାରିଲେ ବ୍ରହ୍ମା । ଜୀବଜନ୍ତୁମାନେ ସେଇଠୁ ଗୋଟି ଗୋଟି କରି କହିବସିଲେ–

 

‘‘ଶଙ୍ଖ ସାଥିରେ ଶିଳାଧର କରେ ରଣ,

ବୁଡ଼ିଲା ଜଳରେ ଦୁନିଆଁର ଯେତେ ଥାନ;

ଅକାଳରେ ଆଜି ପ୍ରଳୟ ଛାଡ଼ଇ ଡକା,

ଉଦ୍ଧର ଏବେ ସୃଷ୍ଟିକରତା ଏକା ।’’

 

–‘‘କହି କହି ସେମାନେ ଅଙ୍ଗୁଳି ଦେଖାଇଦେଲେ ମଞ୍ଚଭୁବନକୁ । ଦେବତାମାନେ ସେ ଆଡ଼କୁ ଚାହିଁଲେ । ସେମାନଙ୍କ ଆଶ୍ଚର୍ଯ୍ୟ କୂଳ କିନାରା ମାନିଲା ନାହିଁ ।

 

ଏହା ଦେଖି ବ୍ରହ୍ମା କହିଲେ— ‘‘ମୁଁ ଏବେ ସବୁ ଜାଣି ପାରିଲି । ତମେମାନେ କେହି ଚିନ୍ତିତ ହୁଅ ନାହିଁ । ମୋ’ର ଏବେ ସବୁ କଥା ମନେ ପଡ଼ିଲା । ଏ ଏକ ବିରାଟ ରହସ୍ୟ ।’’

 

–‘‘ରହସ୍ୟ ! କିପରି ?’’ ଦେବତା ଓ ମରଲୋକର ଅଧିବାସୀଏ ପଚାରି ବସିଲେ ।

 

–‘‘ହଁ, ଏକ ମହାନ୍ ରହସ୍ୟ ଏ ।’’ ଆରମ୍ଭ କଲେ ବ୍ରହ୍ମା ମନେଥିବ... ସେ ଯୁଗର କଥା-। ସଗର ବଂଶ ଧ୍ୱଂସ ହେଉଥିଲେ ବ୍ରହ୍ମଋଷିର ଅଭିଶାପରେ । ସେ ବଂଶରେ ଜନ୍ମ ନେଲେ ଭଗୀରଥ–କୁଳ-ପାବନ ଭଗୀରଥ । ସେ ନିଜର ତପସ୍ୟା ବଳରେ ଡାକି ଆଣିଲେ ଗଙ୍ଗାଙ୍କୁ-। ତେଣୁ ଗଙ୍ଗା ହେଲେ ଭାଗୀରଥୀ । କିନ୍ତୁ ଗଙ୍ଗାଙ୍କ ଆସିବା ବାଟ ଖୋଳିଥିଲା କିଏ ? ଖୋଳିଥିଲା–ଗଜଶ୍ରେଷ୍ଠ ଐରାବତ । ଐରାବତ ଏଥିପାଇଁ ଗର୍ବ କରିଥିଲା । ଫଳରେ ତା’ ଗର୍ବକୁ ଚୂନା କରିବାଲାଗି ଗଙ୍ଗା ତାକୁ ଖୁବ୍ ଜୋରରେ ଠେଲି ନେଇ ଯାଇଥିଲେ ।’’

 

–‘‘ସେ କଥା ସହ ଶଙ୍ଖ ଓ ଶିଳାଧରର କି ସମ୍ପର୍କ ଅଛି ?’’ ସଭିଙ୍କର ପ୍ରଶ୍ନ ।

 

–‘‘ଅଛି ବୋଲି ଯେ ମୁଁ କହୁଚି । ଶୁଣ...ସେଇ ଅପମାନର ପ୍ରତିଶୋଧ ପାଇଁ ଐରାବତ ପ୍ରାର୍ଥନା କଲା ଶିବଙ୍କୁ । ଯୁଗର ଶେଷ ହେଲା । ଭୋଳାନାଥ ଭୋଳ ହେଲେ ଗଜରାଜର ତପସ୍ୟାରେ । ସେଇଠୁ ଐରାବତ ବର ମାଗି ଆଣିଲା–ଗଙ୍ଗାଙ୍କର ଗତି ପଥ ଦିନେ ସେ ରୋକିଦେବ ।’’

 

–‘‘ତେବେ ଶିଳାଧର କ’ଣ ଐରାବତ ? ଆଉ... ?

 

–‘‘ଆଉ ଶଙ୍ଖ ନିଜେ ଦେବୀ ଗଙ୍ଗା । ଏଇ ଯେ ଏବେ ଦ୍ୱାପର ଯୁଗ ଆସିବ । ଯୁଗର ପରିବର୍ତ୍ତନ ପାଇଁ ଏସବୁ ସବୁ ଘଟିଯାଉଚି । ଅଭିଶାପ ପାଇ ଶଙ୍ଖ କୋଇଲି ଚଷା ଘରେ ଜନମିଛନ୍ତି । ଭଗବାନ ଶ୍ରୀକୃଷ୍ଣ ଦ୍ୱାପରରେ ଆସିବେ । ଯମୁନା କୂଳରେ ସେ ଲୀଳାଖେଳା ସବୁ କରିବେ । କିନ୍ତୁ ତାଙ୍କର ଏଇ ଲୀଳା ଖେଳା, ହସ ଖୁସି, ସୁଖ ଦୁଃଖ କଥା ଗାଇବେ ଆଉ ଜଣେ । ସେ ହେଉଚନ୍ତି ବେଦବ୍ୟାସ । ସେ କୃଷ୍ଣଙ୍କ କଥା ଗାଇବା ଯୋଗୁଁ ହେବେ–କୃଷ୍ଣ ଦ୍ୱୈପାୟନ । ଶଙ୍ଖ ହେଲେ—ଶୁଭ୍ର ଗଙ୍ଗା । କୋଇଲି ହେଲେ—ନୀଳ ଯମୁନା । ସେମାନେ ମିଳିବେ ପରାଶରଙ୍କ ଆଶ୍ରମ ପାଖେ । ସେଇଠି ଏକ ନୂଆ ତୀର୍ଥ ଚେଇଁ ଉଠିବ । ମୁନି ୠଷିମାନେ ଆଶ୍ରମ ତିଆରି କରିବେ । ଯାଗ ଯଜ୍ଞ ହେବ । ବେଦ ମନ୍ତ୍ରରେ ଆକାଶ ପୃଥିବୀ ଭରିଯିବ । ଯଜ୍ଞ ଧୂଆଁରେ ମେଘ ତିଆରି ହେବ ।’’

 

–‘‘ତା’ପରେ ?’’ ଦେବତାମାନେ ଆଶ୍ଚର୍ଯ୍ୟ !

 

–‘‘ପରାଶର ଦିନେ ନାଆ ପାରିହେବେ । ଏଇ ନଈର ତୀରରେ ଗଢ଼ିବ ଦାସରଜା ନଅର । ତା’ର ଝିଅର ନାଁ ମତ୍ସ୍ୟଗନ୍ଧା । ମାଛର ଆଇଁଷିଣିଆ ଗନ୍ଧ ସବୁବେଳେ ତା’ ଦିହରୁ ବାହାରୁଥିବ । ସେଇ ଝିଅଟି ଋଷିଙ୍କି ନଈ ପାରି କରାଇବ । ଆହୁଲା ମାରିବ । ପବନରେ ଫୁରୁ ଫୁରୁ ଉଡ଼ୁଥିବ ତା’ର ନୁଖୁରା କେଶ କେରି କେରି । ସେ ଗାଉଥିବ... ନାଆର ଗୀତ । ୠଷି ହେବେ ମୋହିତ । ୠଷି ଭଲ ପାଇ ବସିବେ ମତ୍ସ୍ୟଗନ୍ଧାକୁ । ସେ ହେବ ଯୋଜନଗନ୍ଧା । ସେ ହେବ ଅପରୂପ ସୁନ୍ଦରୀ । ତା’ଠାରୁ ଜନମିବେ ବ୍ୟାସଦେବ । ଏଇ ବ୍ୟାସଦେବ ପିଲାଟି ଦିନରୁ ସାଧିବେ ଯୋଗ ତପ ଆଦି । ତା’ପରେ ସେ ସରସ୍ୱତୀ କୁଣ୍ଡରେ ଗାଧୋଇବେ । ସେଇ ମୁହୂର୍ତ୍ତରେ ଦେବୀ ସରସ୍ୱତୀ ତାଙ୍କ ପ୍ରତି ସୁପ୍ରସନ୍ନା ହେବେ । ସରସ୍ୱତୀଙ୍କ ବର ପାଇ ବ୍ୟାସ ହେବେ ମହାକବି । ସେତେବେଳେ ଚନ୍ଦ୍ରବଂଶର ରାଜୁତି । କୌରବ ପାଣ୍ଡବମାନେ ନିଜ ନିଜ ଭିତରେ ଲଢ଼େଇ କରିବେ-। ତା’ ହେବ ମହାଭାରତ ଯୁଦ୍ଧ । ଆଉ ବ୍ୟାସ ଲେଖିବେ ଅମର କାବ୍ୟ ମହାଭାରତ-। ଶ୍ରୀକୃଷ୍ଣ ଦେବେ ଅର୍ଜୁନଙ୍କୁ ଉପଦେଶ । ସିଏ ହେବ ଗୀତା ।’’

 

–‘‘ଏତେ କଥା ତେବେ ଅଛି ୟା ଭିତରେ ! ଆଚ୍ଛା, କହିଲେ ନି’ ତ ସରସ୍ୱତୀ କାହିଁ ?’’

 

–‘‘ସରସ୍ୱତୀ ହେଉଚନ୍ତି... ନିଜେ ସର । ଏ ତିନିଜଣ ଯେଉଁଠି ମିଳିବେ, ସାରା ସଂସାରରେ ତାହା ହେବ ଏକ ମହାନ୍ ତୀର୍ଥ । ହଁ, ଲଢ଼େଇରେ ଗଙ୍ଗା ବା ଶଙ୍ଖ ପହିଲେ ହାରିବେ । ଐରାବତ ସେଇପରି ବର ପାଇଚି । ବର୍ତ୍ତମାନ ହାରିବାର ବେଳ । ତେବେ, ଏ ବିଷୟରେ ତୁମେମାନେ ଗରୁଡ଼ଙ୍କ ଉପଦେଶ ନିଅ । ସେ ଅଛନ୍ତି ରମ୍ୟକ ଦ୍ୱୀପରେ–’’ କହି ବ୍ରହ୍ମା ବେଦମନ୍ତ୍ର ଉଚ୍ଚାରଣ କରୁକରୁ ଅନ୍ତର୍ହିତ ହୋଇଗଲେ ।

 

ପୃଥିବୀର ଜୀବଜନ୍ତୁସବୁ ରମ୍ୟକ ଦ୍ୱୀପ ଆଡ଼କୁ ଚାଲିଲେ । ସେଠାରେ ପହଞ୍ଚିଲା ବେଳକୁ ଗରୁଡ଼ ତପସ୍ୟାରେ ବସିଥିଲେ । ସେ କିଛି ସମୟ ପରେ ଧ୍ୟାନରୁ ଉଠିଲେ । ହାଲଚାଲ ସବୁ ପଚାରିଲେ । ଜୀବଜନ୍ତୁମାନେ ସବୁ ହାଲ ହଇକତ କହିଗଲେ ।

 

ସବୁକଥା ଶୁଣି ସାରିଲେ ଗରୁଡ଼ । ତା’ପରେ ସେ ସହାନୁଭୂତିର ସହିତ କହିଲେ— ‘‘ଆକାଶର ତଳେ ମଞ୍ଚ ଭୁବନରେ ଗୋଟିଏ ଦେଶ ଅଛି । ଏହାର ଦକ୍ଷିଣରେ ଚିତ୍ରୋତ୍ପଳା, ମହାନଦୀ । ଉତ୍ତରରେ ସୁରେଶ୍ୱରୀ । ସୁରେଶ୍ୱରୀ ଗୋଟିଏ ପର୍ବତ । ଏ ଦେଶ ବଡ଼ ବିଚିତ୍ର ଦେଶ । ବଡ଼ ପବିତ୍ର ଦେଶ । ଏହାର ‘ଦେଉଳଝରୀ’ ରେ ନିଜେ ମହାଦେବ ରହିଛନ୍ତି । ସେ ଏଠି ‘ସିଦ୍ଧେଶ୍ୱର’ ବୋଲି ଖ୍ୟାତ । ମୁଁ ଯେଉଁ ସୁରେଶ୍ୱରୀ ପର୍ବତ କଥା କହିଲି, ସେଠି ଦେବୀ ‘ସୁରେଶ୍ୱରୀ’ ଅଛନ୍ତି । ଏ ପର୍ବତକୁ କେହି କେହି ‘ଶୁଆସାରୀ’ ପର୍ବତ ବୋଲି କହନ୍ତି । କହିବାର ବି କାରଣ ଅଛି । ଏ ପର୍ବତର ପଶ୍ଚିମରେ ରହେ ଏକ ଶୁଆ, ସେ ଶୁଆମାନଙ୍କ ରାଜା । ସେ ମୋର ମାନସ-ପୁତ୍ର । ନାମ ତା’ର ‘ବଜ୍ର–ଚଞ୍ଚୁ’ । ଆଉ ପୂର୍ବ ଭାଗଟି ସାରୀମାନଙ୍କ ରାଇଜ । ସେଠି ରହେ ଗୋଟଏ ସାରୀ-। ତା’ର ନାଁ ‘ବାଣୀ–କଣ୍ଠ ।’ ସେ ସରସ୍ୱତୀଙ୍କ ମାନସ–ପୁତ୍ର । ଏ ଦି’ଜଣଙ୍କୁ ଆଣିବାକୁ ହେବ-

 

–‘‘ସେମାନଙ୍କୁ ଆଣିବାର କି ଉପାୟ ଅଛି ?’’ ଜୀବଜନ୍ତୁମାନେ ପ୍ରଶ୍ନ କଲେ ।

 

–‘‘ଉପାୟ ଅଛି । ହେଲେ, ବହୁ କଷ୍ଟକର । ଏ ଦିହେଁ ତ ଏକେ ବହୁତ ଦୂରରେ ରହନ୍ତି-। ତା’ଛଡ଼ା ଯେଉଁଠି ରହନ୍ତି, ଚାରିପାଖେ ତା’ର ଆକାଶ–ଛୁଆଁ ସାତ ପରସ୍ତ ପଥରର ପାଚେରୀ-। ଯୁଗ ଯୁଗର ପ୍ରଳୟ ଯାଇଚି, ଏ ଦିହେଁ ସେଇପରି ଅଛନ୍ତି । ପାଚେରୀ ଭିତରେ ବିଚିତ୍ର କୋଠା-। ଦେଖିଲେ ସ୍ୱର୍ଗ ବୋଲି ମନେ ହେବ । ହୀରାର ଖୁମ୍ବ, ନୀଳାର ଚଟାଣ, ବୈଦୁର୍ଯ୍ୟର କାନ୍ଥ, ସୁନାର ଛାତ । ମୁକୁତା ଓ ମୋତିର ମାଳା ଲମ୍ବିଛି କେରା କେରା । ଘରସାରା ମାଣିକର ବତୀ । ନ ଲିଭି ସେ ବତୀ ଜଳୁଚି କେଉଁ ଆଦି କାଳରୁ । ବିଚିତ୍ର ଏ ଦୃଶ୍ୟ । ମଳୟ ସବୁବେଳେ ଏଠି ବହେ । ବଗିଚା ସବୁବେଳେ ଫୁଲରେ ଭରପୂର । ସେ ଅସୁମାରି ଫୁଲଗୁଡ଼ିକ ପୁଣି ବିଭିନ୍ନ ରତ୍ନର-। ହେଲେ–ମନେ ରଖିବାକୁ ହେବ, ଏଠାରେ ପ୍ରତିଟି କଥା ବିଚିତ୍ର । କାହା ଉପରେ ହେଲେ ଏଠି ବିଶ୍ୱାସ କରିବାକୁ ହେବନାଇଁ । ନିଜର ବୁଦ୍ଧିବିବେକ ଖଟାଇବାକୁ ହେବ । ଯେଉଁମାନେ ଯିବେ, ସେମାନେ ସବୁବେଳେ ଜୀବନକୁ ହାତମୁଠାରେ ରଖିବାକୁ ତିଆର ଥିବେ । ଅବଶ୍ୟ ଯେତେବେଳେ ବିପଦ ପଡ଼ିବ, ମୁଁ ସାହାଯ୍ୟ କରିବି ନିଶ୍ଚୟ । ତୁମମାନଙ୍କ ଭିତରୁ କେତେଜଣ ଯାଇ ‘ବଜ୍ରଚଞ୍ଚୁ ଶୁକ, ଆଉ ‘ବାଣୀକଣ୍ଠ’ ସାରୀକୁ ନିମନ୍ତ୍ରଣ କରି ଆଣ ।

 

‘‘ତେବେ...ଯିବେ କିଏ କିଏ ପ୍ରଭୁ ?’’

 

‘‘ଯିବେ ? ଯିବେ କିଏ କିଏ ? ହଁ, ସେ କଥାଟି ବି ସରିଯାଉ । ମୋ’ ମତରେ ହରିଣ ଯାଉ । ତା’ ସାଥିରେ ଯାଆନ୍ତୁ କୋଇଲି ଓ ହଳଦୀବସନ୍ତ ।’’

 

ସମସ୍ତଙ୍କ ମନକୁ ଏ କଥାଟି ବେଶ୍ ଘେନିଲା । ହଳଦୀବସନ୍ତ, କୋଇଲି ଓ ମିରିଗ ଗରୁଡ଼ଙ୍କ ଆଶୀର୍ବାଦ ନେଲେ । ଜୀବଜନ୍ତୁଙ୍କ ଶୁଭେଚ୍ଛା ଗ୍ରହଣ କଲେ ।

 

ସମସ୍ତେ ଚାହିଁଛନ୍ତି । କୋଇଲି କୁଉ–କୁଉ ଡାକି ଆଖିର ବାହାରକୁ ଚାଲିଗଲା । ଗୁଳୁ...ଗୁଳୁ କହି ସୁନାପରି ପରଗୁଡ଼ିକ ହଲାଇ ହଳଦୀବସନ୍ତ ତା’ ପଛରେ ଲୁଚିଗଲା । ମିରିଗ କାଠିପରି ସିଧା ଓ ଲମ୍ବ ପାଦ ଚାରୋଟି ପକାଇ ମେଘଠାରୁ ଚଞ୍ଚଳ ଗତିରେ ଉଭେଇଗଲା ।

 

ସମସ୍ତେ ଶୁଭ ମନାସିଲେ । ଗାଇଲେ...

 

ହଳଦୀବସନ୍ତ କୋଇଲି

ଆଉ ମିରିଗ ତିନି,

ଯାଅ ଯାଅ ଶୁଭ କାମରେ

ଯାଅ ବିପଦ ଜିଣି ।

ନିଜେ ଦୁଃଖ ସହି ଦୁନିଆ–

ବୁକୁଁ ପୋଛ ପରାସ,

ଶୁଖିଲା ଧରଣୀ ଓଠରେ

ଲେଖ ମଧୁର ହସ ।

 

ଗୀତର ସ୍ୱର ଭାସି ଭାସି ଯାଉଥିଲା ସେମାନଙ୍କ ପଛେ ପଛେ । ସମସ୍ତଙ୍କ ଆଶା ଓ ଆକାଙ୍‍କ୍ଷାକୁ ନେଇ ତିନିବନ୍ଧୁ ଲୁଚିଗଲେ କାହିଁ କେଉଁଠି । ବିଶ୍ୱର ଆଶୀର୍ବାଦ ଓ ଶୁଭେଚ୍ଛା ସେମାନଙ୍କ ଶିର ଉପରେ ବର୍ଷୁଥିଲା ।

 

–ଆଠ–

 

‘‘ବଣ ପାହାଡ଼ ଡେଇଁବୁ ଆମେ,

ଡେଇଁବୁ ଆମେ ନଈ,

ଅଜଣା ଦେଶେ ମିଳିବୁ ଆମେ

ଅଶୁଣା ଆଶା ନେଇ;

ଯେଉଠି ଏଇ ଧରତୀ ବୁକେ

ଆକାଶ ଯାଏ ମିଳି,

ତା’ରି ଧାରେ ଯିବୁ ରେ ଆମେ

ଯିବୁ ରେ ଆମେ ଚାଲି ।’’

 

ଆନନ୍ଦରେ ଉଚ୍ଛଳ ତିନି ବନ୍ଧୁ । ଫଡ଼...ଫଡ଼...ଫଡ଼... ଡେଣା ଝାଡ଼ୁଛନ୍ତି କୋଇଲି ଓ ହଳଦୀବସନ୍ତ । ଯୋଡ଼ି ହେଇ ଯାଉଚନ୍ତି ଦିହେଁ । ପବନର ତାଳେ ତାଳେ ଅସୁମାରି ରେଖା କାଟି ପକାଉଛନ୍ତି । ତଳକୁ ଖସୁଚନ୍ତି । ଉଠୁଚନ୍ତି ଉପରକୁ । ସମାନ୍ତର ଭାବେ ଯାଉଚନ୍ତି ଉଡ଼ି ଉଡ଼ି । ବସୁଚନ୍ତି ହରିଣ ଉପରେ ।

 

ଖପ୍...ଖପ୍...ଖପ୍... ! ଲମ୍ବ ଲମ୍ବ ଗୋଡ଼ ହରିଣର । ନିଦା ବାଉଁଶ ମୂଳି ପରି ସରୁଆ । ତା’ରି ପରି ଟାଣୁଆ । ପାହୁଣ୍ଡ ପରେ ପାହୁଣ୍ଡ ସେ ଆଗେଇ ଚାଲିଚି । ପଥର ଉପରେ ପଥର ବାଜି ନିଆଁ ବାହାରୁଚି ।

 

ହରିଣର ଦୁଇ ଶିଙ୍ଗ ବଙ୍କେଇ ଯାଇଚି ପଛକୁ । କେତେ କେନା ବିକେନା । ସେଇଠି ବେଳେବେଳେ ବସି ଯାଉଚନ୍ତି ପକ୍ଷୀ ଦୁଇଟି । କେତେବେଳେ ନ ହେଲେ ହରିଣର ପିଠିରେ ବସି ପଡ଼ୁଚନ୍ତି । କିନ୍ତୁ ସେମାନେ ଚାଲିଚନ୍ତି । ଚାଲିଚନ୍ତି ଗୋଟିଏ ଲକ୍ଷ୍ୟରେ । ଯେଉଁ ଆଡ଼କୁ ମୁହଁ, ସେଇ ଆଡ଼କୁ ଗୋଡ଼, ସେଇ ଆଡ଼କୁ ଗତି ।

 

ଗୁଳୁ, ଗୁଳୁ, ଗୁଳୁ–ହଳଦୀବସନ୍ତ କହେ ।

କୁଉ, କୁଉ, କୁଉ–କୋଇଲି ଗାଏ ।

କାଓ, କାଓ, କାଓ–ହରିଣ ବୋବାଏ ।

 

ତିନି ବନ୍ଧୁ ମିଳାନ୍ତି ସ୍ୱର, ମିଳାନ୍ତି ପାଦ, ଚାଲନ୍ତି ଆଗକୁ ଆଗକୁ ।

 

ବଣରୁ ଯାଆନ୍ତି ବଣକୁ । ପଶୁପକ୍ଷୀ ଆସି ସେମାନଙ୍କୁ ନିଅନ୍ତି ସଙ୍ଖୋଳି । ଫୁଲବାଣ କରନ୍ତି, ଆଦର କରନ୍ତି, ଶୀତଳ ଝରର ପାଣି ଦିଅନ୍ତି । ମଧୁର ଫଳମୂଳ ଖୁଆନ୍ତି । ପୁଣି ବିଦା କରି ଦିଅନ୍ତି ।

 

ଗାଆଁ... ସହର...,

ବଣ...ପାହାଡ଼...ନଈ,

ଦେଉଳ...ହାଟ...ବଜାର,

କେତେ ସେ ଦେଖିଲେ ।

 

ଗାଆଁର କାମ-ଭରା ଜୀବନ ଦେଖିଲେ । ନଈରୁ, ପୋଖରୀରୁ ଗାଆଁର ବୋହୂ ଭୁଆଷୁଣୀଏ ପାଣି ଆଣୁଚନ୍ତି । କାଖରେ, ମୁଣ୍ଡରେ, ପାଣି ମାଠିଆ । ବଙ୍କେଇ ବଙ୍କେଇ ଯାଇଚି ଅଙ୍ଗ-ଲତା ।

 

ଗୋପାଳ ଚରାଉଚି ଗାଈ । ପଥର ଉପରେ ବସି ବଜାଉଚି ମୁରଲୀ ।

 

ଚାଷୀ ତାଡ଼ୁଚି ମାଟି । ଚାଷପାଇଁ ସେ ତିଆରି କରୁଚି ବିଲ ।

 

ଚାଳ ଉପରେ ନଇଁ ନଇଁ ଉଠୁଚି ରୋଷେଇ ଧୂଆଁ । ମେଘ ସହ ମିଶିବାକୁ ସେ ଚାହେଁ । ମେଘଟା ଧୂଆଁଳିଆ କି ନା ! ଭାବୁଚି, ନିଜର ଜାତିଭାଇ ହେବ ପରା !

 

ସହରରେ ଧନୀ ସୌଦାଗର ବଣିଆ, ବଡ଼ ବଡ଼ କୋଠା । ଯେଉଁ କୋଠା ତିଆରି ହେଇଚି ଗରିବଗୁରୁବା ଗ୍ରାହକଙ୍କ ପଇସାରେ । ମେଘ ସେମାନଙ୍କ ଝରକା ଧାରେ ଧାରେ କୁହୁଡ଼ି ରଚନା କରେ ।

 

ଦେଉଳରେ ଦିଅଁଙ୍କ ଆଳତି ।

 

ନାଉରୀ ବାହୁଚି ନାଆ । କେଉଁ ସେ ଅଜଣା ନଈର ଭଅଁର ପରି ନୀଳ ଜଳ ଛଳ ଛଳ କରୁଚି ।

 

ଦେଖିଲେ ଗୋଟି ଗୋଟି କରି ଏସବୁ । ଯେତେ ଦେଖିଲେ, ସେତେ ଆନନ୍ଦ ପାଇଲେ, ସେତେ ଶକ୍ତି ପାଇଲେ । ପାଇଲେ ସେତେ ବଳ ଓ ଆଗରୁ ଯିବାର ଉତ୍ସାହ । ବେଳକୁ ବେଳ ଅଧିକ ଗତିଶୀଳ ହେଲେ ସେମାନେ । ଚାଲିଲେ ଆଗକୁ ଆଗକୁ, ପଛରେ ପକାଇ କେତେ କ’ଣ-? କଣ୍ଠରେ ଏଇ ସୁର୍‍...

 

‘‘ଯାତ୍ରା ଆମ ହେବ ରେ ଯାଇ ଶେଷ

ଲକ୍ଷ୍ୟଠାରେ ମିଳିବୁ ଯେବେ ଆମେ,

ପଛକୁ ଆଉ ଚାହିଁବୁ ନାଇଁ ତିଳେ,

ଆଗେଇ ଯିବୁ ବିଶ୍ୱର ଏ କାମେ ।

ଯାତ୍ରୀ ଆମେ ନେଇଚୁ ପଣ ଭାରି,

ଜୀବନ ବାଜି ରଖିଚୁ, ଅଛୁ ରଖି,

ବିଶ୍ରାମକୁ ଦେଇଚୁ ପରା ତଡ଼ି,

କିଛି ହେଲେ ରଖିବୁ ନାଇଁ ବାକି ।’’

 

ମିଳିଲା ମହାନଦୀ । ତାରି ତୀରେ ତୀରେ ଚାହିଁଲେ ତିନି ସାଥୀ । ପହଞ୍ଚିଲେ ‘ଦେଉଳଝରୀ’ଠି । ତା’ର ବାରୁଣୀ ଝରରେ ତିନି ବନ୍ଧୁ ଗାଧୋଇଲେ । ସଂଖ୍ୟାହୀନ ମନ୍ଦିର । କେଡ଼େ ସୁନ୍ଦର କାରୁକାମ ! ଖାଲି ଶିବମୟ । ବଡ଼ ଦେଉଳରେ ପ୍ରଭୁ ସିଦ୍ଧେଶ୍ୱର । ଫରହର ହେଇ ଉଡ଼ୁଚି ତ୍ରିଶୁଳ ଓ ସର୍ପ ଚିହ୍ନିତ ପତାକା । କିଆବଣରୁ କିଆ ଫୁଲ ଆଣିଲେ । କେତେକୀବଣରୁ କେତକୀ ତୋଳିଲେ । କୁରୁବକ ବଣରୁ କୁରୁବଇ ସାଉଁଟିଲେ । ନାଗେଶ୍ୱର ଜମା କଲେ ସବୁ ନେଇ ଦର୍ଶନ କଲେ ସିଦ୍ଧେଶ୍ୱରଙ୍କୁ ।

 

ମୁନି ୠଷିମାନେ ସେଠି ବସି ଧ୍ୟାନ କରୁଥିଲେ । ସେମାନଙ୍କ ପାଦରେ ପଡ଼ିଲେ । ରକ୍ତ କୁଣ୍ଡର ନାଲି ଜଳ ଦେଖିଲେ । ଏଇଠି ପରା ଲବକୁଶ ଲଢ଼ିଥିଲେ ନିଜର ବାପା ଦାଦାଙ୍କ ସହିତ ! ସେ ଦିନରୁ ସେ ରକ୍ତ ସଞ୍ଚିତ ହେଇ ରହିଚି ଏଯାଏ । ଆଉ ଯେଉଠି ମା’ ସୀତା ଲବକୁଶଙ୍କୁ ଜନମ ଦେଇଥିଲେ, ସେ ମାଟି ଉପରେ ମୁଣ୍ଡିଆ ମାରିଲେ । ଦୁଗ୍ଧ କୁଣ୍ଡରୁ ଦୁଗ୍ଧ ପିଇଲେ । ଏଇ ଯେ ଗିରି–ରାଜ ‘ପଞ୍ଚଧାର’, ଯା’ର କୋଳରେ ପାଞ୍ଚୋଟି ପୁଣ୍ୟନୀରା ନଈ କଳ କଳ ନାଦ କରୁଛନ୍ତି । ଯା’ର ଘରେ ଶହ ଶହ ମୁନିୠଷି ଜପତପ କରୁଛନ୍ତି । ସେମାନେ ପଞ୍ଚଧାରକୁ ପୂଜା କଲେ । ପଞ୍ଚ ପବିତ୍ର ଧାରରେ ବୁଡ଼ ପକାଇଲେ । ‘କେତକୀ ଝରଣ’ର ଶୋଭା ଦେଖି ମୁଗ୍ଧ ହେଲେ । ମା’ ମାହେଶ୍ୱରୀଙ୍କ ପାଦ ବନ୍ଦନା କଲେ । ତାଙ୍କର ଆଶୀର୍ବାଦ ନେଲେ ।

 

ସେଇଠୁ ସେମାନେ ସିଧା ଉତ୍ତରକୁ ମୁହଁ କଲେ । ଚାଲିଲେ ପୁଣି ଗୀତ ଗାଇ ଗାଇକା । ଦୂରରୁ ‘ସୁରେଶ୍ୱରୀ’ ପର୍ବତକୁ ଦେଖି ତାଟକା ହେଇଗଲେ । ବାପରେ ! ଏତେ ନିଘଞ୍ଚ ବଣ ! ଆଉ ସୁରେଶ୍ୱରୀ ପର୍ବତଟି କେତେ ଲମ୍ବା ! ଦୂରରୁ କେତେ ଗାଢ଼ ନୀଳ ଦେଖାଯାଉଚି ! କେତେ ସୁନ୍ଦର ଦିଶୁଚି ସତେ !!

 

ବାଟରେ ଏତେ ଚାଲି, ଏଣେ ନିବିଡ଼ ବନସ୍ତ । କୋଉଠି କ’ଣ କରିବେ କିଛି ବୁଝି ପାରିଲେନି । ଗୋଟିଏ ସ୍ଥାନରେ ଥକା ହେଇ ବସିଗଲେ ତିନି ସାଥୀ । ଭାବୁ ଭାବୁ ଆକାଶରୁ ବୁଡ଼ିଗଲେ ସୂରୁଯ ଦେବତା । ଗୋଧୂଳିର ଧାରେ ଧାରେ ନଇଁ ଆସିଲା ରାତି ଧୀରେ ଧୀରେ । କାଳଗୁଡ଼ାକ ଯେପରି ଗଛ, ବୁଦ, ପାହାଡ଼ ତଳରେ ମେଞ୍ଚା ମେଞ୍ଚା କରି ଲେପି ପକାଇଲା । ସେ କଳା ଶାଗୁଆ ଧରଣୀକୁ ଟପି ଧୀରେ ଧୀରେ ଆକାଶର ମେଘ ଉପରକୁ ଟପିଗଲା । ଛୁଞ୍ଚିମୁନରେ ମୁନେ ମଧ୍ୟ ଜାଗା ରହିଲା ନି ବାକି । ସବୁ ଖାଲି କଳା–କଳା– ! ରାତି ଗରଜିଲା ସାଇଁ ସାଇଁ ! ଥାଇ ଥାଇ ବଣ ବି ଗରିଜିଲା । ଗଛଲତା ବି ଗରଜିଲେ । ସେ ଦିନ ଏମାନେ ଏତେଦୂର ହାଲିଆ ହେଇ ପଡ଼ିଥିଲେ ସେ, କହିବାର କଥା ନାଇଁ । ସେ ଦିନ ଆଉ ଖାଇବା ପିଇବା କିଛି ହେଲାନି । କୌଣସିମତେ ଗୋଟିଏ ଝଙ୍କାଳିଆ ବରଗଛ ପାଇ ତା’ରି ମୂଳ ଆଦରି ନେଲା ହରିଣୀ । ଉପରେ ଡାଳରେ ଶୋଇଗଲେ ହଳଦୀବସନ୍ତ ଆଉ କୋଇଲି । ସବୁଦିନ ପରି ସକାଳ ହେଲା । ଫୁକିଆ ତାରାଟି ଉଇଁବା ସଙ୍ଗେ ସଙ୍ଗେ ବଣ କୁକୁଡ଼ା ଡାକିଲା–‘‘ହେ ଚକ୍ରଧର ! ହରିଣ, କୋଇଲି ଆଉ ହଳଦୀବସନ୍ତକୁ ରକ୍ଷାକର । ତା’ପରେ କାମର ଡାକରା ଆସିଗଲା ।

 

ଗଛ ଡାଳରେ ମନ ମାରି କୋଇଲି ଓ ହଳଦୀବସନ୍ତ ବସି ଯାଇଥାନ୍ତି । ଭାଳେଣି ! କିପରି ସେ ଠିକଣା ଜାଗାଟି ପାଇବେ ? ତଳେ ମିରିଗ ମୁହଁ ଶୁଖାଇ ଦେଇଥାଏ ।

 

ଉପରୁ ଓହ୍ଲାଇ ଆସିଲେ ଦୁଇ ମିତ । ହରିଣ ସଙ୍ଗେ କଥାଭାଷା କରି ସେମାନେ ପୁଣି ଠିକଣା ଜାଗା ଖୋଜିବାକୁ ବାହାରି ପଡ଼ିଲେ । ବଣର ଜୀବଜନ୍ତୁଏ ସେମାନଙ୍କୁ ପାଛୋଟି ନେଲେ । ଆଉ ଜଣାଇଲେ, ସେମାନଙ୍କ ମଙ୍ଗଳ ହେଉ ।

 

ତିନି ମିତ ଗାଇଲେ–

 

‘‘ବିପଦ ସେତ ଜୀବନ ସାଥୀ, ଆସିବ ଯଦି ଆସୁ,

ଆକାଶ ସାରା ଝଟକି ହସି ଝାସୁରେ ଖାଲି ଝାସୁ ।

ପ୍ରଳୟର ଏ ଚଢ଼େଇ ଉଡ଼ି ମରଣ ଯାଉ ବୁଣି,

କାମ ନ କରି ଫେରିବୁ ନାଇଁ, ଫେରିବୁ ନାଇଁ ତିନି ।’’

 

ଅନ୍ଦିକନ୍ଦି ବୁଲିଲେ ତିନି ମିତ । ହେଲେ, ଏ ଯେ ଅଖୋଜ ବଣ ! ଯେତିକି ଖୋଜିଲେ ସେତିକି ବଢ଼ୁଚି । ପବନ ଗଳିବାକୁ ଏଠି ବାଟ ପାଏନି । ବରଷା ପାଣି ତଳେ ପଡ଼େନି । ସୂରୁଯ କିରଣ ତ ପୂର୍ବରୁ ତଳେ ପଡ଼ିବା ମନା । ତଥାପି ଏମାନେ ଖୋଜି ଚାଲିଲେ ।

 

ହଠାତ୍ ପଛରୁ କେହି ଜଣେ ଆସିବାର ଆବାଜ ମିଳିଲା । ଫେରି ପଡ଼ିଲେ ତିନି ଜଣଯାକ ଏକାବେଳକେ । ଦେଖିଲେ, ସୁନାରୀ ଫୁଲର ଉପରେ ବସିଚି ଛୋଟ ଝିଅଟିଏ । ଦୁଇଟି ତା’ର ଡେଣା, କାନ୍ଧ ପାଖରୁ ବାହାରିଚି । ଏକ ସୁନେଲି ଶାଢ଼ୀ ସେ ପିନ୍ଧିଚି । ମୁଣ୍ଡର ବାଳ ତା’ର ବହୁତ ଲମ୍ବା । ଲମ୍ବି ଯାଇଚି କାହିଁ କେତେ ଦୂର । ଆସି ତଳେ ଘୁଷୁରିଚି ।

 

ତିନି ଜଣଯାକ ତାକୁ ଏକା ସଙ୍ଗରେ ପଚାରିଲେ—‘‘ତମେ କିଏ ? ଏ ବଣକୁ ଆସିଲ କିପରି ?’’

 

ସେ ବାଳିକାଟି କହିଲା—

 

‘‘କାନନ-ପରୀ ନାଆଁଟି ମୋର

ପରୀ-ରାଇଜେ ଘର,

ବଣରୁ ବଣ ବୁଲିବା ଖାଲି

ସଉକ ଅଟେ ମୋର ।

ବଣଗହଳ ତରୁଲତିକା

ବଣର ଫୁଲ ଫଳ,

ବଣର ନଈ ନେଳିଆ ଜଳ

ନିଇତି କଳକଳ;

ସରଗ ସୁଖୁ ଏ ବଣ ଲାଗେ

ମୋତେ ଯେ ଭାରି ଭଲ,

କାନନ-ପରୀ ନାଆଁଟି ମୋର

ପରୀ-ରାଇଜେ ଘର ।’’

କୋଇଲି ପଚାରିଲା–‘‘ଆଚ୍ଛା କାନନ-ପରୀ, କହିଲ, କହିଲ ବଜ୍ରଚଞ୍ଚୁ ଶୁକଟି କୋଉଠି ଥାଏ ?’’

କାନନ–ପରୀ ଜବାବ ଦେଲା–‘‘ଆହା, ତମେ ସେଠାକୁ ଯିବାକୁ କିଆଁ ମନ କଲ ? ସେତ ବଡ଼ ବିପଦମୟ–ରହସ୍ୟ–ଭରା ଜାଗା !’’

ହଳଦୀବସନ୍ତ ସେଇଠୁ ସବୁ ଗଲାକଥାକୁ କହିଗଲା । ଆଉ କହିଲା— ‘‘ଆମ କାମ ନ ହେଲେ ଆମେ ନ ଫେରୁ କାନନ–ପରୀ !’’

କାନନ-ପରୀ ସେଇଠୁ ଉଡ଼ି ଆସିଲା ତଳକୁ । ଆସି କହିଲା— ‘‘ଆଚ୍ଛା, ମୋର ଏ ଲମ୍ବ ବାଳଗୁଡ଼ିକୁ ତୁମେ ତିନିହେଁ ଧର । ମୁଁ ଯାଉଚି ଆଗେ ଆଗେ, ତମେମାନେ ମୋ’ରି ପଛେ ପଛେ ଆସ ।’’

ଏମାନେ ତା’ରି ଗୋଲାପ ପାଖୁଡ଼ା ପରି କଅଁଳ, ନୀଳ ମେଘର ରଙ୍ଗପରି ଗାଢ଼ ନୀଳ ବାଳଗୁଡ଼ିକୁ ଧରି ତା’ରି ପଛେ ପଛେ ଚାଲିବାକୁ ଆରମ୍ଭ କଲେ ।

କାନନ-ପରୀ ଗାଇଲା–

‘‘ବଣ–ଦେବତା ହେ ବଣ–ଦେବତା,

ତମେ ତ ବୁଝିଚ ସକଳ କଥା;

ଦୁନିଆକୁ ଯେବେ ପଡ଼ିଚି ଦୁଃଖ,

ତମେଇଁ ଦେବତା, ରଖ ହେ ରଖ ।

ଜୀବନ ନିଜର ବିପଦେ ଢାଳି,

ଏଇ ତିନି ମିତ ଆସିଲେ ଚାଲି,

ଦୁନିଆର ହିତ ସାଧିବା ପାଇଁ,

କେତେ କଷଣ ଏ ଗଲେଣି ସହି !’’

ପଛେ ପଛେ ଅନୁସରି ଚାଲିଚନ୍ତି ତିନି ବନ୍ଧୁ । ବଣର ବାଟ ଆପେ ଆପେ ଯାଉଚି ଫିଟି ଫିଟିକା । ପାହାଡ଼–ଝର ଉପରେ ଆପେ ଆପେ ହେଇ ଯାଉଚି ସେତୁ । ବେଶ୍ ଆରାମରେ ଚାଲିଚନ୍ତି ସେମାନେ ।

କାନନ–ପରୀ ଗାଉଚି–

‘‘କରୁଣାକର ହେ, କରୁଣା କର,

ଜଗତର ହିତେ ଦେବତା ମୋର ।’’

 

ଦୂରରୁ ଶୁଭିଲା... ବଇଁଶୀଟିଏ । ବଡ଼ ଚମତ୍କାର ତା’ର ନାଦ । ଅଟକିଗଲା କାନନ-ପରୀ । କହିଲା—

 

‘‘ଏଇ ଶୁଣ । ଶୁଣୁଚ ? ବାଜୁଚି ଏକ ବଇଁଶୀ । ସେଇ ସ୍ୱରକୁ ଶୁଣି ତୁମେ ଯାଅ । ମୋର କାମ ଏବେ ଶେଷ ହେଇଗଲା । ମୋତେ ଗରୁଡ଼ ମହାପ୍ରଭୁ ପଠାଇ ଦେଇଥିଲେ—ତୁମକୁ ସାହାଯ୍ୟ ଦେବାକୁ । ମୁଁ ଏଥର ଯାଏଁ ।’’

 

କଥା ନ ସରୁଣୁ ତିନି ବନ୍ଧୁ ଦେଖିଲେ କାନନ-ପରୀ ଆଉ ନାଇଁ । ଯେଉଁପରି ଅଜଣା ଭାବରେ ସେ ଆସିଥିଲା, ସେଇପରି ସେ ଚାଲିଯାଇଚି । ପଛଆଡ଼େ ଚାହିଁ ଦେଖିଲେ, ସେ ବାଟ ବି ପୂରି ପୂରି ଆସୁଚି ।

 

ସେମାନେ ଟିକିଏ ଡରିଗଲେ । ମାୟା ନୁହେଁ ତ ! ଅସୁର ଅସୁରୁଣୀ ଅନେକ ବେଳେ ଏଇପରି ଛଦ୍ମବେଶ ଧରି ଠକିଥାଆନ୍ତି । ଏଇପରି ଠକି ସେମାନେ ଭଲ ଲୋକକୁ ହଇରାଣ କରନ୍ତି-। ଜୀବନରେ ବି ମାରି ପକାନ୍ତି । ସେଇପରି ନୁହେଁ ତ ଆଉ !

 

ବଇଁଶୀର ସ୍ୱର ଶୁଭୁଚି, ଶୁଭୁଚି ବହୁତ ଦୂରରୁ । ସତେ ଯେପରି ସେ ବଇଁଶୀ ଏ ତିନି ସାଥୀଙ୍କି ଡାକୁଚି । ତାକୁ ଲକ୍ଷ୍ୟ କରି ଏ ତିନି ସାଥୀ ଚାଲିଲେ । ଦେଖୁ ଦେଖୁ ଦିନ ଶେଷ । ଆକାଶରେ ରାତି ତା’ର ଡେଣା ଝାଡ଼ୁଚି । ବଣ ଆହୁରି ଗହୀର ହେଉଚି ।

 

ହରିଣ ବିଚରା ଯାଇ ପାରୁନି । ତା’ର ଆୟତ କଳା ଆଖିର ଚହଟ କମିଗଲାଣି । ହଳଦୀବସନ୍ତର ସୁନା ପରଗୁଡ଼ିକ ମଇଳା ପଡ଼ିଗଲାଣି । କୋଇଲିର ସୁର ଭାଙ୍ଗି ଘାଗରା ଶୁଭିଲାଣି-

 

ବାଟ ଆହୁରି ଅଛି ବାକି ।

 

ଓଃ !!!

 

–ନଅ–

 

ଦେଖୁ ଦେଖୁ ବଇଁଶୀ ସ୍ୱର କମ୍ ହେଇ ଆସିଲା । ଏମାନେ ଭାବିଲେ—ଲକ୍ଷ୍ୟସ୍ଥଳ ବୋଧହୁଏ ନିକଟ ହୋଇଗଲା । ହେଲେ ଆଗପରି ବଇଁଶୀ ବାଜୁନି ଜୋରରେ କାହିଁକି ? କୌଣସି ମତେ କଷ୍ଟେ ମଷ୍ଟେ ସେଠିକି ଯିବାର କଥା ।

 

ଅଳ୍ପ ବାଟ ପରେ ବଇଁଶୀଟି ବିବାକ୍ ବନ୍ଦ ହେଇଗଲା । ଚକିତ ହେଇ ସେମାନେ ଚାହିଁଲେ ଆଗକୁ । ଦେଖିଲେ, ପର୍ବତର ମଝିରେ ଜଳୁଚି ତିନୋଟି ଆଲୁଅ । ଗୋଟିଏ ନୀଳ, ଗୋଟିଏ ନାଲି, ଆର ଗୋଟିକ ହଳଦିଆ । ସେଇ ଆଲୁଅର ଚାରିପାଖେ ଘୂରୁଚି ଗୋଟିଏ ସୁନାର ବଇଁଶୀ । କୋଇଲି ଇତ୍ୟାଦି ଭାବିଲେ, ବୋଧହୁଏ ଏଇ ବଇଁଶୀଟି ବାଜୁଥିଲା ।

 

ହରିଣ ଓ ଦୁଇ ସାଥୀ ସେଇ ଆଲୁଅକୁ ଚାହିଁ ଚାହିଁ ଯାଇ ସେଠି ପହଞ୍ଚିଲେ । ଦେଖିଲାବେଳକୁ ବଇଁଶୀଟି ଉଭାନ୍ ! ଆଉ ସେ ଆଲୁଅ ତିନୋଟି ଦପ୍ କରି ଗଲା ଲିଭି । ଅନ୍ଧାର ଆସିଲା ଗୋଡ଼େଇ–ଘୋଡ଼େଇ ଦେବାକୁ ଚଟ୍ କରି ଦିନଯାକର କଠିଣ ପରିଶ୍ରମ ! ପରିଶ୍ରମ !! ହାଡ଼ଭଙ୍ଗା ପରିଶ୍ରମ !!

 

ହତବୁଦ୍ଧି ! ଭାବିବାକୁ ତର କାହିଁ ?

 

ଆକାଶରେ ହଠାତ୍ ଶହ ଶହ ଅଟ୍ଟହାସ ! ହା–ହା–ହା– ! ହା–ହା–ହା– ! ! ହା–ହା–ହା– !!! କ୍ରମେ ସେ ଶବ୍ଦ ବଢ଼ି ଚାଲିଚି । ଶହ ଶହ ପ୍ରେତ ଦଉଡ଼ି ଆସୁଚନ୍ତି । ଜଳିଲା ଜଳିଲା ଆଖି, ଦଶହାତ ଲମ୍ବର ନଖ, ବାଉଁଶେ ବାଉଁଶେ ଲମ୍ବ ଦାନ୍ତ । ଶାଳଗଛ ପରି ମୋଟା ବାଳ, ପାହାଡ଼ ଗୁମ୍ଫା ପରି ପାଟି । ସେମାନେ ଦାନ୍ତ ରଡ଼ମଡ଼ କରି ଚୋବାଉଚନ୍ତି ।

 

ତିନି ଜଣଯାକ ଆଖି ବନ୍ଦ କରିଦେଲେ । କାନରେ ଭରି ଦେଲେ ଅଙ୍ଗଳି । କିନ୍ତୁ ସେଇ ଛବି, ସେଇ ବିକଟାଳ ଶବ୍ଦ ଆହୁରି ପ୍ରବଳ ହେଇଉଠୁଚି ।

 

ଗଲା ଜୀବନ ! ମଲା ପ୍ରାଣୀ !!

 

ଆଖିର ପିଛୁଳାକେ ଚାରିଆଡ଼ କୁହୁଡ଼ିରେ ଭରିଗଲା । ପର୍ବତମାଳା ପରି ଲମ୍ବ ଲମ୍ବ, ଖସିଖସିଆ, ଆବଡ଼ା ଖାବଡ଼ା ହାତ ବିସ୍ତାର କରି ମାଡ଼ି ଆସୁଚନ୍ତି ହଜାର ହଜାର ପ୍ରେତଦଳ ।

 

ତିନିଜଣ ଯାକ ଯିଏ ଯେଉଁଠି ଥିଲେ, ଢଳି ପଡ଼ିଲେ । କାହାରି ଦେହରେ ଚେତା ନାଇଁ କି ଚଇତନ ନାଇଁ । ସେମାନଙ୍କ ଚାରି ପାଖେ କେବଳ ସେ ହା...ହା...ହା...ର ଗହୀର ସାଗର ।

 

କେତେବେଳେ କେଜାଣି ଚେତା ଆସିଲା କୋଇଲିର । ସେ କହିଲା–

 

‘‘କୁଉ କୁଉ କୁଉ,

ଏ ଦୁଃଖ ଆଉ ହେଉନି ସହି

ଉହୁ ଉହୁ ଉହୁ !’’

 

‘‘ଗୁଳୁ...ଗୁଳୁ...ଗୁଳୁ...ଗୁଳୁ... ! ଆରେ, କୋଇଲି ! ତୁ ଏଇଠି ଅଛୁ କି ?’’ —ହଳଦୀବସନ୍ତର ଦୁଃଖଭରା ସ୍ୱର ।

 

‘‘କାଓ...କାଓ... ! ମୁଁ ମଧ୍ୟ ଏଇଠି ଅଛି !’’ ମିରିଗ ଯୋଡ଼ିଲା କଥାର ସୁରରେ ସୁର୍ ।

 

‘‘ଆମେ ତେବେ ବର୍ତ୍ତମାନ କୋଉଠି ?’’–କୋଇଲି ପଚାରିଲା ।

 

‘‘ମୋର ମନେ ହେଉଚି, ଏକ ପାହାଡ଼ ଗୁମ୍ଫାରେ । ଏଠି ଟିକିଏ ହେଲେ ଆଲୁଅ ଯେ ନାଇଁ । ଦିହରେ ଶକତ ଦଉଡ଼ି ବନ୍ଧା । ତାକୁ ତ କାଟିବା ଦୂରର କଥା, ବର୍ତ୍ତମାନ ଅସହଣି ଦୁଃଖ ହେଉଚି । ଏଇପରି କେତେ ଦିନ ଯିବ କେଜାଣି ?’’ ହଳଦୀବସନ୍ତ ଆହୁରି କ’ଣ କ’ଣ କହିଥାଆନ୍ତା–

 

ହଠାତ୍ ଘର ଭିତରକୁ ପଶି ଆସିଲେ ଦୁଇଟି ଜୀବ । ସେ ଦୁହେଁ କୋଉ ପାଖରୁ ଦୁଆର ମେଲାକରି ଆସିଲେ—ତା’ କି ଜାଣି ପାରିଲେନି । ହେଲେ ଏ ଦୁଇଟି ବଡ଼ ବିଚିତ୍ର ଜୀବ । ଏପରି ଜୀବ ସେମାନେ କେବେହେଲେ ଦେଖି ନ ଥିଲେ । ମଣିଷ ମୁଣ୍ଡ ପରି ମୁଣ୍ଡ । ନାକ ନାଇଁ, କେବଳ ଦୁଇଟା ଗୋଲ ଫୋଡ଼ । ସେଇଟାକୁ ନାକ କୁହା ଯାଇପାରେ । ଦୁଇ ଆଖିର ମଝିରେ ଗୋଟିଏ ଚାରିକୋଣିଆ ଆଖି । ଧୂମକେତୁର ଲାଞ୍ଜ ପରି ସେ ଆଖିର ତେଜ । ସଁ...ସଁ... ! ସେମାନେ ପବନ ଛାଡ଼ୁଚନ୍ତି । ମୁଣ୍ଡଟିରେ ବାଳ ନାଇଁ । ମଇଁଷି ଶିଙ୍ଗ ପରି ଦୁଇଟା ମୁନିଆଁ ଶିଙ୍ଗ । ଛ’ଟା ଲେଖାଏଁ ହାତ । ଛ’ଟା ହାତରେ ଛ’ଟା ମସାଲ ଧରି ସେମାନେ ଆସିଥିଲେ । ତାଳଗଛ ପରି କଳାଭୁରୁକୁଣ୍ଡା ଓ ଲମ୍ବ ସେ ହାତଗୁଡ଼ାକ । ମସାଲ ଗୁଡ଼ାକ ଭୀଷଣ ଜୋରରେ ଜଳୁଥିଲା । ସେମାନେ ଅନୁଭବ କଲେ, ଯେପରି ପୃଥିବୀ ଯାକର ନିଆଁ ଏକୀଭୂତ ହେଇଯାଇଚି ।

 

ଆଲୁଅରେ ତିନି ବନ୍ଧୁ ତିନି ଜଣଙ୍କୁ ଦେଖିଲେ । ସଭିଏଁ ଶକ୍ତ ଦଉଡ଼ିରେ ବନ୍ଧା ହେଇଥିଲେ । ସେ ଯୋଉଠି ବନ୍ଦୀ ହେଇ ରହିଥିଲେ, ସେଠି ସୋରିଷଟିକର ବାଟ କୋଉଠି ହେଲେ ନ ଥିଲା ।

 

ଜୀବ ଦୁଇଟି ଆସି ସେମାନଙ୍କ ଆଗରେ ଠିଆ ହେଲେ ।

 

‘‘କୁଆଡ଼େ ତୁମେମାନେ ଆସିଥିଲ ? ଆମର ଧନ ସମ୍ପଦ ଲୁଟି କରିବାକୁ ? ନୁହେଁ ? ସଇତାନ ଦଳ, କହ–କହ । ନ କହିବା ଯାଏ ତମମାନଙ୍କୁ ଏଇପରି ଅବସ୍ଥାରେ ରଖାଯିବ । କେବଳ ସେତିକି ନୁହେଁ, ଭଲ କରମର ମାଡ଼ର ବ୍ୟବସ୍ଥା ବି କରାଯିବ । ଆମମାନଙ୍କର ଯେଉଁ ସାପ ସବୁ ଅଛନ୍ତି, ଦେଖିଚ ସେଇ ବିଷଧରମାନଙ୍କୁ ? ସେମାନଙ୍କ ପାଟି ଭିତରେ ତୁମେ ହେବ ଗୋଟିଏ ଗୋଟିଏ ବରା ଗୁଲୁଗୁଲା । କହ–କହ–କୁଆଡ଼େ ଆସିଥିଲ ?’’

 

ଏମାନେ ଏ ଜନ୍ତୁଗୁଡ଼ିକର ଚେହେରା ଦେଖି ଯେତିକି ଛାନିଆ ହେଇଥିଲେ, ସେଥିରୁ ଅଧିକ ଭୟ କଲେ ସେମାନଙ୍କର ଏଇ ଘଡ଼ଘଡ଼ିଆ ସ୍ୱରର ଗର୍ଜନ ଶୁଣି । ନାଡ଼ୀ ଯେପରି ଆଉ ପଡ଼ଉଠ ହେଉନି ।

 

ସାହସ ହଜିଗଲା କୁଆଡ଼େ, ଭାଷା ଜିଭରେ ପଇଟିଲା ନାଇଁ । ତଥାପି ସାହସକୁ ବୁକୁଭିତରୁ ଖୋଜି ଅଣ୍ଡାଳି ଆଣିଲେ ତିନି ବନ୍ଧୁ । ଯାଇତାଇ କରି କରୁଣ ସୁରରେ ସବୁକଥା କହିଲେ ।

 

ହେଲେ—ଜୀବ ଦୁଇଟା କେବଳ ଚିଗୁଲେଇ ହସି ଉଠିଲେ, ହା–ହା–ହା– । ‘‘ଆମକୁ ଠକିବାକୁ ଚେଷ୍ଟା କରୁଚ ? ନା ? ଆଚ୍ଛା, ପାଇବ–ପାଇବ ତା’ରି ଫଳ ।’’ ଦୁମ୍–ଦୁମ୍–ଗୋଡ଼ କଚାଡ଼ି ସେମାନେ ବାହାରିଗଲେ ।

 

ଦୁଃଖରେ ଭାଙ୍ଗି ପଡ଼ି ନିଜର କପାଳକୁ ନିନ୍ଦା କଲେ ତିନି ବନ୍ଧୁ । ଗଲା ଦିନଗୁଡ଼ିକର ଗୋଟି ଗୋଟି କାହାଣୀ ଭାସିଗଲା ଆଖିର ଆଗେ ଆଗେ ।

 

ବେଶୀ ବେଳ ଯାଇନି । ଟିକ୍–ଗୋଟିଏ ଛୋଟ ଶବ୍ଦ ।

 

ପୂର୍ବପାଖରୁ ଭାସି ଆସିଲା ଏକ ଭୀଷଣ ଶବ୍ଦ । ସୁ–ସୁ–ସୁ– ! ସେମାନେ ଥର ଥର ଛାତି ନେଇ କାନ ପତାଇଲେ । ଗର୍ଜୁଛନ୍ତି କୋଟି କୋଟି ଅହିରାଜ, ଅଜଗର, ମଣିଚୂଡ଼, ଶଙ୍ଖଚୂଡ଼ । ହୁଏ ତ ଧାଇଁ ଆସୁଚନ୍ତି ସେମାନେ ଖୁବ୍ ଜୋରରେ ଏମାନଙ୍କୁ ଖାଇବାପାଇଁ ।

 

ହତଚକିତ ହୋଇଗଲେ ତିନି ବନ୍ଧୁ । ହଠାତ୍ ଆଲୁଅ ଜଳି ଉଠିଲା ଗୁହାରେ । ସେଇ ଆଲୁଅରେ ସେମାନେ ଦେଖିପାରିଲେ, କ୍ରମେ ପଥର କାନ୍ଥଟା ଉଠି ଉଠି ଯାଉଚି । ତା’ପରେ ଦିଶୁଚି କାଚର କାନ୍ଥ । ସେଇ କାନ୍ଥର ଆରପାଖେ କୋଟି କୋଟି ସାପ ଗର୍ଜନ କରୁଛନ୍ତି । ସେମାନେ ଭୋକରେ ଆଉଟୁ ପାଉଟୁ ହୋଇଯାଇଛନ୍ତି । ତେଣୁ ଏମାନଙ୍କୁ ଖାଇବାପାଇଁ ସେମାନେ ଧାଇଁ ଆସୁଅଛନ୍ତି ।

 

ବିପଦ ! ମହା ବିପଦ ! ! ବିପଦ ନୁହେଁ–ମରଣ–ଜୀବନର ଚୂଡ଼ାନ୍ତ ବିଲୟ ।

 

ହରିଣ କହିଲା— ‘‘ଆମେ କେଡ଼େ ଭୋଳା ରେ ! ଗରୁଡ଼ ପରା ଆମମାନଙ୍କୁ ପଠାଇଛନ୍ତି-। ସେ ଯେ ଆମକୁ ବିପଦବେଳେ ସାହାଯ୍ୟ କରିବେ ବୋଲି କହିଛନ୍ତି ! ଆମେ ତାଙ୍କୁ ସୁମରଣା ନ କରି ଚୁପ୍ ରହିବା କିଆଁ ?

 

ତା’ ପାଟିରୁ କଥା ନ ସରୁଣୁ ତିନି ବନ୍ଧୁ ଗାଇ ଉଠିଲେ ଏକସ୍ୱରରେ–

 

‘‘ରମ୍ୟକର ମହାପ୍ରଭୁ, ଆହେ ପକ୍ଷୀରାଜ,

ଅଗାଧ ସାଗରେ ଆମ ଭେଳା ବୁଡ଼େ ଆଜ ।

କୋଟି କୋଟି ସାପମୁଖେ ଯାଉଚି ଜୀବନ,

ରକ୍ଷା କର, ରକ୍ଷା କର, ବିନତା–ନନ୍ଦନ !

 

ସେଇକ୍ଷଣି ଦେଖାଗଲା–ସତେ ଯେପରି ସାପମାନଙ୍କ ମୁହଁରେ କିଏ ଖୁବ୍ ଜୋରରେ ଚାବୁକ୍ ମାଇଲା । ସେମାନେ ପଛକୁ ମୁହଁ ଫେରାଇ ତର ତର ହୋଇ ପଳାଇବାକୁ ଲାଗିଲେ । ସାପବଂଶ ଉପରେ ଗରୁଡ଼ଙ୍କର ପ୍ରବଳ କୋପ କିନା ! ଚିତାଟାଏ ଛେଳିପଲରେ ପଶିଗଲେ ଛେଳିଗୁଡ଼ାକ ଏଇପରି ଜୀବନ ଘେନି ପଳାନ୍ତି ।

 

ଆଖି ଆଗରେ ଏକ ସୁନ୍ଦର ବାଟ ।

 

ଆଶ୍ଚର୍ଯ୍ୟ କଥା, ସେମାନଙ୍କ ବନ୍ଧନ ସବୁ ଖୋଲିଗଲା । ସେମାନେ ଝାଡ଼ିଝୁଡ଼ି ହେଇ ଉଠି ବସିଲେ । ଦିହରେ ତାକତ ବି ଫେରି ଆସିଲା । ମନରେ ଆସିଲା ନୂଆ ସାହସ ।

 

ପବନ ଲହରୀର ତାଳେ ତାଳେ ଏକ ମଧୁର ସ୍ୱର ଗାଉଥିଲା—

 

‘‘ବାଟ ପଡ଼ିଚି ତୁମରି ଆଗେ ଆଗେ,

ନିମିଷେ ହେଲେ ବିଳମ୍ବ ନାଇଁ କର;

ପଳାଇ ଯାଅ ପଳାଅ ଏଇ ଲାଗେ,

ବଇରୀର ଏ ଗୋପନ ବନ୍ଦୀ–ଘର ।

ବୁଝି ବିଚାରି କରିବ କାମ ଜାଣ,

ବିପଦବେଳେ ଡାକିବ ମୋତେ–ମୋତେ;

ବିପଦ ତୁମ କରିବି ଛିନିଭିନି

ଆସିବ ତୁମ ଯାତ୍ରା ପଥେ ଯେତେ ।

 

‘‘ଡାକ ତେବେ ଗରୁଡ଼ ଶୁଣିଲେ–’’ କହି ଚାଲିଲେ ଆଗକୁ । ପାଦରେ ସିଂହର ଠାଣି !!

 

–ଦଶ–

 

ଆଗରେ ଏକ ବିଚିତ୍ର ଆଲୁଅ । ତା’ରି ପଛେ ପଛେ ଚାଲିଲେ କୋଇଲି, ମିରିଗ ଓ ହଳଦୀବସନ୍ତ । ସେମାନେ ଦେଖିଲେ, ପାହାଡ଼ କାଟି କାଟି ମଝିରେ ଯାଇଚି ସୁଡ଼ଙ୍ଗ । ଉପରେ ପାହାଡ଼ଟା କେତେ ଉଚ୍ଚ, ଜାଣିବାର ଉପାୟ ନାଇଁ । ହୁଏତ ଶତ୍ରୁର ଏଇଟା ଗୁପ୍ତ ବାଟ ।

 

ହଠାତ୍ ଗୋଟିଏ ଜାଗାରେ ଦେଖିଲେ ବାଟ ଶେଷ ! ଏଇଠୁ ଆଗକୁ ଯିବାର ଉପାୟ ? କେଉଁ ଦିଗକୁ ବା ଯିବେ ! ଏଇପରି ଯେତେବେଳେ ଚିନ୍ତାର ଚକ ମୁଣ୍ଡ ଭିତରେ ଘୂରୁଥିଲା, ସେତେବେଳେ ସେମାନେ ଦେଖିଲେ, ଆଗର ଆଲୁଅଟି ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ଗୋଲ ହେଇ ଘୂରୁଚି । ଘଟଣା କ’ଣ ବୋଲି ଜାଣିବାକୁ ଯାଇ କୋଇଲି ଦେଖିଲା–ରକ୍ତ–କଇଁ । ପଥର ଉପରେ ଫୁଟିଚି କଇଁ ! ଏ ତ ବଡ଼ ତାଜୁବ୍ କଥା ! ଆହୁରି ଟିକେ ସାବଧାନ ହେଇ କୋଇଲି ଅନାଇଲା–ସେଇ ନାଲି କଇଁର ଉପରେ ସୂର୍ଯ୍ୟ କିରଣ ରଙ୍ଗର ଗୋଟିଏ ଭଅଁର । ଚିକ୍ ଚିକ୍ କରୁଚି ତା’ ଦିହ । ପରଗୁଡ଼ିକ ଗାଢ଼ ନୀଳ ।

 

କୋଇଲି କ’ଣ ବିଚାରି ଭଅଁର ଉପରେ ଚୋଟ ହାଣିଲା ।

 

ଭଅଁଣ କହିଲା–

 

‘‘ଭଅଁ ଭଅଁକା ଭଅଁରେ

ଭଅଁ ଭଅଁକା ଭଅଁ,

କାମ ତୋ’ର ଦେଉଚି କରି

କି ହେଇଚି ? କହ ।’’

 

ତିନି ସାଥୀ କହିଲେ–‘‘ତୁ ପୁଣି କିଏ ? ଏଠି ତୁ ରହିଚୁ କିଆଁ ?’’

 

ଭଅଁର କହିଲା–‘‘ମୋ’ ନାଁ ‘ସ୍ୱର୍ଣ୍ଣବପୁ’, ମୋ’ ବାପା ହେଉଚି ‘‘ମୋତିବପୁ’, ମୋ’ ଅଜା ହେଉଚି ‘ମୁକ୍ତାବପୁ’, ମୋ’ ବଡ଼ୁ (ଅଜାର ବାପ–ପଣଅଜା) ହେଉଚି–

 

ଭଅଁର କଥା ଲମ୍ବେଇବାକୁ ବସିଲା ।

 

ତା’ କଥାରେ ବାଧା ଦେଇ ମିରିଗ କହିଲା— ‘‘ହଇ ହୋ ! ହେ ସ୍ୱର୍ଣ୍ଣ-ବପୁ ! ତୁମେ ତ ନିଜର କାହାଣୀ କହି ବସିଲଣି । ମୁଁ ଯା’ ଦେଖୁଚି ତୁମ କାହାଣୀ ହେଉଚି ଏକ ଅସରନ୍ତି ବା ପେଡ଼ି-। ଆମର ବହୁତ ଗରଜ ପଡ଼ିଚି । ତମେ ଆଗ ଆମ କଥାଟି ଦୟା କରି ବୁଝ । ଏଇ ଯେ ଆମ ବାଟ ଏଇଠୁ ବନ୍ଦ ହେଇଗଲା, ଏଠୁ ଆମେ ଯିବୁ କିପରି ? ସେ କଥା ପହିଲେ ବତାଇଲ-।’’

 

ସ୍ୱର୍ଣ୍ଣବପୁ କହିଲା ‘‘ଗୁଡ଼ାଏ କହିବାଗୁଡ଼ାଏ ଖାଇବା—ଏ ମୋ’ର ଅଭ୍ୟାସ ହେଇଗଲାଣି-। ତୁମେ ମୋ’ କାହାଣୀକି ପସନ୍ଦ କଲନି । ହେଲେ ତମ ଜୀବନର ଅନେକ ଆଶା ଅପୂରା ରହିଗଲା-। ଯଦି ତମେ ଶୁଣିଥାଆନ୍ତ–ଯଦି ତୁମର ସେଇପରି ଟାଣୁଆ କପାଳ ଥାଆନ୍ତା, ତେବେ ତୁମେ ବହୁତ ଆନନ୍ଦ ପାଇଥାଆନ୍ତ ଓ ତୁମର ଜନମ ସାର୍ଥକ ହେଇଥାଆନ୍ତା । ତେବେ, ତୁମେ ଯଦି ଚାହିଁବ ଏ କାହାଣୀ ସବୁ ଶୁଣିବାକୁ, ମୁଁ ତାକୁ ଭବିଷ୍ୟତରେ ଆଉ କେବେ କହିପାରିବି-।’’

 

ହଳଦୀବସନ୍ତ କହିଲା–‘‘ସ୍ୱର୍ଣ୍ଣବପୁ, ପୁଣି ତ ତୁମେ ଗପିଚାଲିଲ ।’’

–‘‘ଆଚ୍ଛା, ଏବେ ମୁଁ କଥା ବନ୍ଦ କଲି । ତୁମେ କେବେ ଭାବନି, ତୁମର କୌଣସି ଅନିଷ୍ଟ ମୁଁ କରିଦେବି ବା କରାଇଦେବି । ହଉ, ତେବେ ଶୁଣ ମୋ କଥା ଯାହାକି ତୁମର ଉପକାରରେ ଆସିବ–

ହଳଦୀବସନ୍ତ, ନାଚ କର ମୋ’ର ଆଗରେ,

କୋଇଲି ଗାଉ ତା’ ଗୀତ ପଞ୍ଚମ ରାଗରେ,

ମିରିଗ, ତୁମେ ହେ ବଜାଅ ବାଇଦ ଜୋରସେ,

ଦେଖ ସବୁ ମିଳି କିସ ହେଉଅଛି ବିଶେଷେ ! !’’

ଭ୍ରମର କଥା ସମସ୍ତେ ମାନିଲେ । ହଳଦୀବସନ୍ତ ନାଚିଲା । କୋଇଲି ଗାଇଲା ଗୀତ । ମିରଗ ବଜାଇଲା ବାଇଦ । ଯେତେବେଳେ ସେମାନେ ଗୀତ ଗାଇ, ନାଚି ଏବଂ ବାଇଦ ବଜାଇ ବଜାଇ ଥକା ହେଇ ପଡ଼ିଲେ, ଦେଖିଲେ—ଭ୍ରମରଟିର ଦୁଇ ଡେଣା ଦୁଇ ପାଖେ ଅଛି । ମଝିରେ ସୁନା ଦିହଟି ତା’ର ଏକ ସରୁ ବାଟ ହେଇଯାଇଛି । ସେ ବାଟ କ୍ରମେ ବଢ଼ିଲା । ସେମାନେ ଝଟପଟ ସେଇବାଟେ ଗଳିଚାଲିଲେ । ପ୍ରାୟ ଦଶବାର ହାତ ଯାଇଚନ୍ତି, ପଛରୁ ଗୋଟାଏ ଭଅଁରର ଭଅଁ ଭଅଁ ଶବ୍ଦ ଶୁଭିଲା । ସେମାନେ ପଛକୁ ଫେରି ଦେଖନ୍ତି, ଏପାଖେ ଠିକ୍ ଆଗପରି ଗୋଟିଏ ଲାଲ କଇଁ ଓ ଭ୍ରମର । ଭଅଁରଟିର ଦିହଟି ଧୀରେ ଧୀରେ ଯୋଡ଼ି ହେଇଯାଉଚି । ଦେଖୁଁ ଦେଖୁଁ ଆଗପରି ହେଇଗଲା । ତେବେ ପଛର ବାଟ ବନ୍ଦ !

ଆଗକୁ ସେଇ ସୁଡ଼ଙ୍ଗ ଦେଇ ସେମାନେ ଯେତିକି ଆଗେଇଲେ, ଦେଖିଲେ ପଛର ବାଟ ସେତିକି ବନ୍ଦ ହେଇ ଆସୁଚି । ପଛକୁ ଫେରିବାର ଚାରା ନାଇଁ । ୟେ କ’ଣ ତେବେ ଚିପିକରି ମାରିଦେବାର ଉପାୟ କି ?

 

କିଛି ବାଟ ଗଲାପରେ ବାଟ ଧୀରେ ଧୀରେ ଚଉଡ଼ା ହେଇ ଆସିଲା । ହଠାତ୍ ଦେଖାଗଲା—ଆଗରେ ତିନି ଗୋଟି ଫୁଲ । ଗୋଟିଏ ଗାଢ଼ ନାଲି ରଙ୍ଗର । ତାହା ମନ୍ଦାର । ଆରଟି ହଳଦିଆ ଚମ୍ପା । ତୃତୀୟଟି ଧଳା କନିଅଁର । ଏ ଫୁଲ ସବୁ କି କାମରେ ଆସିବ ? ସେମାନେ ସେ ବିଷୟରେ କିଛି ଜାଣନ୍ତି ନାହିଁ ।

 

ଭାବିବାକୁ ତର ନାହିଁ । ଆରେ ଆରେ ! ଆଗର ସେଇ ଆଲୁଅଟି । ସେ ଯେ ନାଇଁ ! ଗଲା କାହିଁ ? ଅନ୍ଧକାରକୁ ଛିଗୁଲେଇ ଉଠୁଚନ୍ତି ତିନିଗୋଟି ଫୁଲ । ଏ କ’ଣ, ଅନ୍ଧାର ଭିତରେ ବି ଜଳି ଉଠୁଚି ସେମାନଙ୍କ ରଙ୍ଗ !

 

ଉପାୟ ନ ଦେଖି ତିନି ଜଣଯାକ ତିନି ଗୋଟି ଫୁଲକୁ ଛୁଇଁ ପକାଇଲେ । ଯେମିତି ସେମାନଙ୍କ ହାତ ବାଜିଚି, ତିନୋଟି ରାସ୍ତା ତିନି ଜଣଙ୍କ ଆଗରେ ଖୋଲିଗଲା । ଆଉ କେହି କାହାକୁ ଦେଖି ପାରିଲେନି । ସେମାନଙ୍କ ପଛରେ ବାଟ ସବୁ ବନ୍ଦ ହେଇଗଲା । ତିନି ଜଣ ତିନି ଅଲଗା ବାଟରେ ଟାଣି ହେଇ ଚାଲିଲେ । ଯେପରି କେଉଁ ଯାଦୁକର ଏସବୁ କରି ପକାଉଚି । ବାଟ ନ ପାଇ, ଚିନ୍ତା କରିବାର ଅବସର ନ ପାଇ ତିନି ଜଣ ତିନି ଅଲଗା ବାଟରେ ଯିବାକୁ ଲାଗିଲେ ।

 

ହରିଣ ତା’ ବାଟରେ ଯାଇ ଶେଷରେ ଗୋଟିଏ ବଡ଼ ପଡ଼ିଆରେ ପହଞ୍ଚିଲା । ତା’ ବାଟସାରା ଖାଲି ସୁନ୍ଦର ଫୁଲଫଳଭରା ଜଙ୍ଗଲ ଥିଲା । ସେଇ ପଡ଼ିଆର ମଝିରେ ଥିଲା ଏକ ସୁନ୍ଦର କୋଠାଘର । ସେଠି ସେ ପଡ଼ିଆରେ ଏତେ ଫୁଲ ଯେ, ତା’ର ସୀମା ନାହିଁ । ଫଳରେ ତ ଗଛଗୁଡ଼ିକ ଭାଙ୍ଗି ଲୋଟିଯାଉଚି । ନାନା ରକମର ଘାସ । ଅନେକ ଦିନର ଭୋକିଲା ପେଟ ହରିଣର । ମନଭରି ଚରାବୁଲା କଲା ସେ । ଯେତେବେଳେ ଚରି ଚରି ସେ ଥକି ପଡ଼ିଲା, ସେ ଦେଖିଲା–ବୁଦା ଉହାଡ଼ରୁ ଦଉଡ଼ି ଆସୁଚି ଗୋଟିଏ ହରିଣ ଶିଶୁ । କଅଁଳ ଛନଛନ !

 

ହରିଣ ଚକିତ ହେଇପଡ଼ିଲା । ଆରେ, ଏ ଯେ ତା’ରି ନିଜ ପୁଅ ! ଏତେ ଦୁଃଖରେ ବି ତା’ ବୁକୁ–ମେଘ ଦିହରେ ବିଜୁଳି ଚକଚକେଇ ନାଚିଗଲା । ଆଖିରେ ତା’ର ଆନନ୍ଦର ତେଜ ଜଳିଉଠିଲା । ସେ ଭୁଲିଗଲା ତା’ ସାଥୀମାନଙ୍କ କଥା । ପ୍ରିୟ ଜିନିଷଠାରୁ ପ୍ରିୟତର ଜିନିଷ ପାଇଲେ ମଣିଷ ପ୍ରିୟକୁ ଅବହେଳା କରେ ପରା !

 

ସେ ତାକୁ କିଛି କହିବା ଆଗରୁ ଛୁଆଟି କହିପକାଇଲା–

 

‘‘ବାପା ହେ, ବାପା, କେଉଁଠାରେ ତମେ ଥିଲ ?

ମାଆକୁ–ମୋତେ ବିବାକ୍ ତ ଭୁଲିଗଲ !

ତମକୁ ଆମେ ଖୋଜି ଖୋଜି ହେଲୁ ଥେୟା,

ଆଉ କିଛି ଦିନେ ମୁଁ ତ ହେଇଥାନ୍ତି ବାୟା !

 

ହରିଣ ତା’ ଛୁଆଟିକି ଚାଟି ପକାଇଲା । ଆଉ ସଙ୍ଗେ ସଙ୍ଗେ କହିଲା–

 

‘‘ଆହା...ହା... ଏ ସବୁ କଥା କିଆଁ ?

ହଇରେ ମୋ’ର ବାୟା !’’

 

ଛୁଆଟି କହିଲା–‘‘ତମେ ଯେଉଁ ଦିନରୁ ଆସିଲ, ଆମେ ଆଉ କ’ଣ ଘରେ ଅଛୁଁ କି ? ଆମେ ପରା ଖାଲି ତମକୁ ଖୋଜି ଖୋଜି ସାରା ଦୁନିଆଟାକୁ ପନ୍ଦର ଘେରା ବୁଲି ସାରିଲୁଣି !’’ କଥାରେ ତା’ର ପୂରି ରହିଥିଲା ଛୁଆଳିଆ ଅଭିମାନ ।

 

ହରିଣ ଆଗ୍ରହ ଦେଖାଇ ପଚାରିଲା–‘‘ଏବେ ତମେ କୋଉଠି ଅଛରେ ବାୟା ?’’

 

ଶିଶୁ କହିଲା–

 

‘‘ଡେଇଁ ଯିବା ଆମେ ଏଇ ନୀଳ ବଡ଼ ପଡ଼ିଆ,

ତା’ରି ଶେଷେ ଅଛି କୋଠାଘର ବଡ଼ ବଢ଼ିଆ,

ଅଛି ମାଆ ସେଠି ତମରି ବାଟକୁ ଅନେଇଁ,

ଆସ ପଛେ ମୋର, ବାଟ ମୁଁ ନେଉଚି କଢ଼େଇ ।’’

 

ହରିଣ ଛୁଆଟି ଚାଲିଲା ଡେଇଁ ଡେଇଁକା । ପଛରେ ବାପ ତା’ର ଚାଲିଚି । ଛୁଆଟି କହୁଚି କାହାଣୀ, ଶହ ଶହ ଅଜବ କଥା । କୋଉ ହରିଣ ଛୁଆ ତାକୁ ମାରିବାକୁ ବସିଥିଲା । କୋଉଠି ବା ଚିତା ଛକିଥିଲା ତାକୁ ଖାଇବାକୁ । କିପରି ସେ ଖେଳୁଚି । ତା’ ସାଙ୍ଗସାଥୀମାନଙ୍କର କଥା । କେତେ ଅସରନ୍ତି ଗପ ସେ କହୁଚି ! କେଳେ ବେଳେ ଛୁଆଟି ଗାଉଚି ଗୀତ । ସେ ବି ନୂଆ ନୂଆ । ଆଉ ବଡ଼ ଆଶ୍ଚର୍ଯ୍ୟ ଧରଣର....

 

‘‘ମଲ୍ଲୀ–ବଣେ ମୁଇଁ ଶୋଇଥାଏ ବାପା,

ମଲ୍ଲୀ–ବଣେ ମୁଇଁ ଶୋଇଥାଏ,

ଗୋଲାପ–ପାଖୁଡ଼ା ଚାଖୁଥାଏ ବାପା,

ଗୋଲାପ–ପାଖୁଡ଼ା ଖାଉଥାଏ ।

ମୁଣ୍ଡପାଖେ ମୋର କିଆଫୁଲ ଗଦା,

ଗୋଡ଼ ତଳେ ଗଦା କେତକୀ ହେ,

କଅଁଳ ତକିଆ ଏହାଠାରୁ ବଳି

କହିଲ କୋଉଠି ଅଛି କି ହେ ?’’

 

ସେମାନେ କିଛି ସମୟ ବାଦ୍ ପହଞ୍ଚିଲେ ଛୁଆଟି କହିଥିବା ସେଇ କୋଠା ପାଖରେ । ହରିଣ ବେଶ୍ ଖୁସି ହେଇଗଲା ।

 

ଛୁଆର ପଛରେ ଯାଇ ସେ ପହଞ୍ଚିଲା ଏକ ବଡ଼ ଲମ୍ବ ଘରେ । କାଇଁ ଏଠି ତ କେହି ରହିଲାପରି ଜଣା ଯାଉନାଇଁ । କାହିଁ ଗଲା ହରିଣୀଟି ? ସେ ଯେ ତାକୁ ଦେଖି କେତେ କଥା ପଚାରିବ ବୋଲି ଭାବି ନେଇଚି !

 

ଆରେ, ବଡ଼ ଆଶ୍ଚର୍ଯ୍ୟ କଥା ତ ! ଛୁଆଟି ଯେ ଏକ ବଡ଼ ହରିଣ ହେଇଗଲା ! ସେ ପୁଣି କେଡ଼େ ବଡ଼ ହରିଣ । ତା’ ନିଜଠାରୁ ଶହେ କି ଦି ଶହ ଗୁଣ ବଡ଼ ହେବ ଯେ ! ସେ ଖୁବ୍ ଶୀଘ୍ର ଆସି ଏହାକୁ ଚଢ଼ଉ କଲା । ଖୁବ୍ ଜୋରରେ ମାରିଲା ନାତ । ଭୁଷି ପକାଇଲା ତା’ର ମୁନିଆଁ ମୁନିଆଁ ଶିଙ୍ଗରେ । ବିଚରା ହରିଣ ଦେଖିଲା ଘରଟି ଚାରିପାଖୁ ବନ୍ଦ । ସାହା ବାହା ସବୁ ଶୂନ୍ । ପଳାଇବାର ଇଚ୍ଛା ଅଛି, ହେଲେ ବାଟ ନାଇଁ । ଲଢ଼ିବାର ମନ ଅଛି, ହେଲେ ଦିହରେ ତାକତ୍ ନାଇଁ-। ଗୋଟିଏ ହାତୀ ସଙ୍ଗରେ କି ଗୋଟିଏ ଖରିଆ ଲଢ଼ିପାରେ ?

 

ସେ ଚେତା ହରାଇ ପଡ଼ିବାକୁ ଯାଉଥିବାବେଳେ ଶୁଣିଲା, ହା...ହା...ହା... ! ରକତକୁ ପାଣି ଫଟାଇ ଦେବାର ଏକ ବିକଟାଳ ବିଦ୍ରୂପ ହସ ।

 

ଚଟାଣ ଖସି ଚାଲିଚି ତଳକୁ । ତଳକୁ–ବହୁତ ତଳକୁ । କେତେ ତଳକୁ ସେ ଜାଣି ପାରୁନି । ତଳୁ ମଡ଼ାର ଆଇଁଷିଣିଆ ଗନ୍ଧ । ଅତି ବିକଟ । ନାକ ଫାଟି ଯାଉଚି । ପାଟି ମୁଣ୍ଡ ଯେପରି ସବୁ ରୁନ୍ଧି ହେଇଯାଉଚି ।

 

ଚେତା ହାରି ପଡ଼ି ଯାଇଚି ହରିଣ ।

 

–ଏଗାର–

 

ମିରିଗ ଯେତେବେଳେ ଚେତା ପାଇଲା, ସେ ପହିଲେ ତ ଆଖି ଖୋଲି ପାରିଲାନି । ମୁଣ୍ଡ ଝାଇଁ ଝାଇଁ । ଗଳା ପାଖେ ବଡ଼ ଶୋଷ । ଜିଭ ଅଠା ଅଠା । ତଥାପି ସେ ଜୋର କରି ଆଖି ଖୋଲିଲା । ସେ ଅନୁଭବ କଲା, ଯେପରି ମୁଣ୍ଡା ମୁଣ୍ଡା ଅନ୍ଧାର ବିଣ୍ଡା ବାନ୍ଧି ରହିଚି । ସେଇ ଅନ୍ଧାର ଭିତରେ ସେ ବି ଜଣେ ଏକ ହେଇ ଯାଇଚି । ତଳ ପାଖୁ, ଉପରୁ, ବାଁରୁ, ଡାହାଣରୁ ସବୁ ଦିଗରୁ ଖାଲି ନାକଫଟା ପଚା ମୁର୍ଦ୍ଦାରର ଦୁର୍ଗନ୍ଧ । ଯେପରି ତା’ ରକତର କଣାରେ କଣାରେ ସେ ଗନ୍ଧ ଭରିଯାଇଚି । ସେ ଛଟପଟ ହେଲା । ପିଟିଲା ଲାଞ୍ଜ, ଛାଟିଲା ଗୋଡ଼ । ଏଇ ସମୟରେ ଶୁଣିଲା–

 

‘‘ଗୁଳୁ ଗୁଳୁକା ମୁଁ ଗୁଳୁ ଗୁଳୁ,

ମାଡ଼ରେ ମୋର ଛିଡ଼ିଲା ଡେଣା

ଗନ୍ଧରେ ଫାଟିଯାଏ ତାଳୁ ।’’

 

ମିରିଗ ଚିହ୍ନିଲା । ଏ ସୁର, ଏ କଥା ଯେତେ ଅସ୍ପଷ୍ଟ ଓ ଦରଦଭରା ହେଲେ ବି ଏ ସବୁ ଅତି ପରିଚିତ ତା’ର । ହଳଦୀବସନ୍ତର ଏ କାନ୍ଦଣା । ସେଇଠୁ ସେ କହିଲା–‘‘ମିତ ହଳଦୀବସନ୍ତ, ତମେ କ’ଣ ଏଇ ଦୁର୍ଗନ୍ଧମୟ ଅନ୍ଧାରପୁରୀରେ ?’’

 

ହଳଦୀବସନ୍ତ କ’ଣ ଜବାବ୍ ଦେଇଥାନ୍ତା । ଏଇ ସମୟରେ କୋଇଲି କହିଲା–

 

‘‘ଗୋଟିଏ ନାଆର ପଝାରୀ ଆମେ ଯେ

ଗୋଟିଏ ବାଟର ବାଟୋଇ,

ହଇରାଣ ଆଉ ହରକତ ଯେତେ

ସବୁ ତ ଆଣିଲେଁ ଗୋଟାଇ !

ସୁଖବେଳେ ଯେଉଁ ଗୀତ ଗାଉଥିଲେଁ

ତିନିହେଁ ନେଲେ ତ ବାଣ୍ଟି ?

ଆସିଚି ଯାତନା ତିନି ଜଣ ଆମେ

ପିଇବା ଫଟାଇ ତଣ୍ଟି ।’’

 

କୋଇଲି, ହରିଣ ଓ ହଳଦୀବସନ୍ତ । ତିନି ଜଣ ଏକାଠି ହେଲେ । ସେମାନେ ବନ୍ଧାବନ୍ଧି ହେଇ ପଡ଼ି ନ ଥିଲେ । ଗଳା ବାରି ବାରି ସେମାନେ ନିଜ ନିଜର ପାଖକୁ ଆସିଲେ । ପରସ୍ପର ପରସ୍ପରକୁ କୁଣ୍ଢାଇଲେ । ମିରିଗ ସେଇଠୁ ଆରମ୍ଭ କଲା ତା’ର ସେଇ ମିଛ ପୁଅର କଥା । ତା’ କଥା ଶୁଣିସାରି ହଳଦୀବସନ୍ତ ଆଉ କୋଇଲି କହିଲେ–

 

‘‘ହେ ବନ୍ଧୁ ମିରିଗ, ଦେଖ, ଠିକ୍ ତୁମ ପରି

ମିଛ ମିଛ ପୁଅ ଆମ ଆଗେ ଗଲେ ମିଳି;

ଦେଖାଇ ଛଳନା ସେହୁ ନେଇଗଲେ ଡାକି,

ତା’ ଡେଣା ଓ ନଖ–ମାଡ଼େ ଛିଣ୍ଡିଗଲା ପକ୍ଷୀ ।

ନିଜ ଦୋଷ ନିଜ କାମ କହିବା କାହାରେ ?

ବୋଲିବେ ଏ କେଡ଼େ ଓଲୁ ! ଜାଣିଥା ବାହାରେ !!’’

 

ମିରିଗ କହିଲା–‘‘ସତ କଥା କହିଲ ଏକା ବନ୍ଧୁ ! ଆମେ ପରିଷ୍କାର ଜାଣୁଚେଁ ଏଇଟା ଗୋଟାଏ କୁହୁକ ରାଇଜ, ଗୋଟିଏ ଯାଦୁପୁରୀ । ଆଉ ଆମ ଘର ରହିଲା କାହିଁ କେତେ ଦୂରରେ । ଏଠିକି ଆମର ପୁଅ ଝିଅ, ଜ୍ଞାତି କୁଟୁମ୍ବ ଆସନ୍ତେ କିପରି ?’’

 

ହଳଦୀବସନ୍ତ କହିଲା–‘‘ସବୁଠୁ ବଡ଼ କଥା ହେଉଚି, ଆମେ ତିନି ଜଣ ଏକାଠି ହେଲେଇଁ । ନ ହେଲେ କାହା ଅବସ୍ଥା କ’ଣ ଯେ ହୋଇଥାନ୍ତା କିଏ ଜାଣିଚି ? ହେଇ–

 

‘‘ସୁଖ ସମୟରେ ସଦ ସାଥୀ ସଙ୍ଗ

କରିଥାଏ ତା’ରେ ଦିଗୁଣା,

ଦୁଃଖ ଦରପଣେ ଦିଶଇ ଦୁଃଖଟା

ଦୂର ହେଲେ ଯଥା ଅଧା ନା !

ଯା’ ହେଉ—ଯାହା ହେବାର ତ ହେଲାଣି

ଗଲା କଥା ଗଲା ମଲାଣି

ଆଗତ ପାଇଁକି ଆଗରୁ ଆଗରୁ

କରିଥିବା ସିନା ଭାଳେଣି !!’’

 

ଏବେ ଏଇଠୁ କିପରି ରକ୍ଷା ପାଇବା ? ହେଇ ଶୁଣ, ଆମେ ଏଥର ମୋଟେ ଡରିବା ନାଇଁ । ବଡ଼ ଲୋକପରା କହନ୍ତି—

 

ଜୀବନେ ଯଦି ଲଭିବ ଯଶ

ବିପଦେ ନାଇଁ ଡର,

କରମ ତମ କର ।

ସାହସୀ ସିନା ମରଇ ଥରେ,

ଭୀରୁ ଯେ ଶହେ ଥର ।

 

ଯେ ଆସୁନା କିଆଁ ତାକୁ ଆକ୍ରମଣ କରିବା ହିଁ କରିବା । ଯୋଡ଼ାକୁ ଘୋଡ଼ା ସରି ନୁହେଁ-। ଆଉ ଏ ମଧ୍ୟ ଏକ ଶିଖିବାର କଥା । ଆମେ ତ ଗୋଟିଏ କାମରେ ମନ ଦେଇଚୁଁ । ସେ ସରିନି-। ସରିବ କି ନାଇଁ ଏ ଯାଏ ଜାଣିନୁ । ସେ କାମ ବହୁତ ବାକି ଅଛି । ସେଠି ସ୍ନେହ ଓ ସଂସାରର ଟାଣୁଆ ଆକର୍ଷଣ । ଏ ହେବ କାହିଁକି ? ତାକୁ ଆମେ ପାଦରେ ଯଦି ଆଡ଼େଇ ଦେଇ ନ ପାରିଲେଁ, ତାକୁ ଯଦି ମାଡ଼ିମକଚି ଦୂର କରି ନ ପାରିଲେଁ, ଆମେ ଫଳ ପାଇବା କିପରି ?’’

 

କୋଇଲି ଓ ମିରିଗ ହଳଦୀବସନ୍ତକୁ ସାଧୁ ସାଧୁ କଲେ । ଆଉ ଶତ୍ରୁକୁ ମାଡ଼ ଚଢ଼େଇବା ଲାଗି ତିଆର ହେଇ ରହିଲେ ।

 

ବାହାରେ ଶୁଭିଲା ଦୁମ୍ ଦୁମ୍ ଶବ୍ଦ । କାହାର ଭାରୀ ପାଦ ଯେପରି ମାଡ଼ି ଆସୁଚି ଏ ଆଡ଼କୁ । ସେ ଆବାଜ ଯେପରି ଧୀରେ ଏ ଆଡ଼କୁ ବଢ଼ି ଆସୁଚି ।

 

ଏ ସାଥୀ ତିନି ଜଣ ଚୁପ୍ କରି ଆଗକୁ ଅନାଇଁ ରହିଲେ । ଏତିକିବେଳେ ପଛ ପାଖରୁ ଏକ ତୀବ୍ର ଆଲୁଅ ଆସିଲା । ସେଥିରେ ସେମାନେ ଫେରି ପଡ଼ି ଦେଖିଲେ ଏକ ଅଦ୍‍ଭୁତ ରୂପର ଚେହେରା । ଓ ହୋ, କି ବିଚିକିଟିଆ ଜୀବଟାଏ ! କୋଉ ବିଧାତା ତାକୁ ତିଆରି କରିଥିଲା ! ଶାଗୁଣା ମୁଣ୍ଡପରି ମୁଣ୍ଡଟାଏ, ମସ୍ତବଡ଼ ଥଣ୍ଟ, ବାଘର ଦିହ, ସାପ ଜିଭ ପରି ଦି’ ଫାଳିଆ ଜିଭ । ସବୁବେଳେ ଜୀବଟା ଲହ ଲହ ଜିଭ କାଢ଼ୁଚି । ସତେ ଯେପରି ସେ ଖାଲି ରକତ ପିଇବାକୁ ଟାକି ରହିଚି । ଥଣ୍ଟଟାକୁ ସେ ବୁଲାଇ ବୁଲାଇ ଚାଟୁଚି ।

 

ତାକୁ ଦେଖୁ ଦେଖୁ ଏମାନଙ୍କର ସବୁ ବିଚାର ଫସର ଫାଟିଗଲା ।

 

ବିଲେଇ ବେକରେ କିଏ ସେ ବାନ୍ଧିବ ଘଣ୍ଟି ?

ଯୋଉ ମୂଷା ଯିବ ଆଗକୁ ତାହାର

ଝୁଣି ଦେବ ଚିରି ତଣ୍ଟି ।

 

ହେଲେ, ସେମାନେ ସାହସ ହରେଇଲେନି । କୋଇଲି ଠାରିଦେଲା । ସଙ୍ଗେ ସଙ୍ଗେ ତିନି ବନ୍ଧୁ ମିଶି ଚଢ଼ଉ କରିବାକୁ ବସିଲେ । ସେଇ ମୁହୂର୍ତ୍ତରେ ସେ ଜୀବଟା ଗୋଟାଏ ବିକଟ ହସ ହସି କହିଲା–

 

‘‘ମୂରୁଖର ଦଳ, ବୁଝି ପାରୁ ନାହିଁ କିଛି,

ନିଜ ମରଣକୁ ହକାରି ଆଣୁଚ ଇଚ୍ଛି !

ପାହାଡ଼ ପାହାଡ଼ ହାଡ଼ ଯେ ହେଇଚି କୁଢ଼,

କରୁଚ କଳନା ? କେତେ କୋଟି କୋଟି ମଢ଼–

ତମଠାରୁ ଶହେ ହଜାରେ ଗୁଣରେ ବଳୀ,

ସଢ଼ି ମରିଚନ୍ତି ଏଇଠାରେ ଏଇଭଳି !

ତେବେ କି ତମର ମନରେ ପଶୁନି ଚେତା ?

ଭାବୁଚ ସମରେ ତମେ ପରା ହେବ ଜେତା ?’’

 

ଜୀବଟାର ସେଇ କାନଫଟା ବୋବାଳି ! ଏମାନେ ମନେ କଲେ ସତେ ଯେପରି କୋଟି କୋଟି ଘଡ଼ଘଡ଼ିର ଆକାଶରେ ଉଦୟନ । ସତେ ଅବା ପାହାଡ଼ ସାରା ଭାଙ୍ଗିରୁଜି କେବଳ ଏଇ ତିନି ମିତଙ୍କ ମୁଣ୍ଡରେ ଅଜାଡ଼ି ହେଇ ପଡ଼ୁଚି । ସେମାନେ ଚିତ୍କାର କରିବାକୁ ଚେଷ୍ଟା କଲେ । ପାଟି ଖୋଲିଲାନି । ତା’ର ସେ ଭୟଙ୍କର ରୂପ ଯୋଗୁଁ ଆଖିର ପୁଅ ତା’ ଦେଖିବା ଶକ୍ତି ଟିକିକ ହରାଇ ବସିଲା । ଏମାନେ ଜଳକା ବନିଗଲେ ।

 

ଜୀବଟା ଟିକିଏ ବନ୍ଦରହିଲା । ତା’ପରେ ପୁଣି ଆରମ୍ଭ କଲା–

 

‘‘ବିଛା କାମୁଡ଼ାର ମନ୍ତର ଜାଣିନୁ,

ସାପର ଗାତରେ ଭରିଲୁ ହାତ;

ଯମ ହାବୁଡ଼ରେ ପଡ଼ିଲୁଣି ଆସି,

ନିସତ ହେଲେ କି ଚଳିବ ମିତ ?’’

 

ହେଲେ, ତମମାନଙ୍କ ସାହସ ମୋ’ ମନକୁ ପାଇଛି । ତମର ଧୈର୍ଯ୍ୟ ଦେଖି ମୁଁ ସନ୍ତୁଷ୍ଟ । ସବୁ କଥାରେ ଏଇଟା ଲୋଡ଼ା । ସାହସ କର, ଆଗକୁ ଚାଲ, ଦେଖିବ ପାହାଡ଼ ଟାଳି ହେଇ ସମତଳ ହେଇଯିବ । ନଈର ସୁଅ ରୋକି ହେଇଯିବ । ବିପଦବେଳେ ଦରକାର ଧୀରତା । ଥରେ ଭାଙ୍ଗିଲେ ପୂରା ଭାଙ୍ଗି ପଡ଼ିଯିବ । ଆଉ ଉଠି ପାରିବନି ।’’

 

ଜୀବଟିର ଗଳା ନରମ ହେଇ ଆସୁଚି । ତା’ର ସେଇ ଭୟଙ୍କର ଚେହେରା କୁଆଡ଼େ ଉଭେଇ ଯାଇଚି । ଦେଖିଲା ବେଳକୁ ସେ ଗୋଟିଏ ଅତି ସୁନ୍ଦରୀ ନାରୀ ।

 

ତିନି ସାଥୀ ଆଖି ମଳି ମଳି ଥରକୁ ଥର ଚାହିଁଲେ । ସବୁଥର ଦେଖନ୍ତି ସେଇ ସୁଷମାମୟୀ ନାରୀ ରୂପଟିକି ।

 

ସଙ୍ଗେ ସଙ୍ଗେ ସେ ଦୁର୍ଗନ୍ଧ କୁଆଡ଼େ ଉଭେଇଗଲା । ଭରିଗଲା ଅଗୁରୁ, ଚନ୍ଦନ, ଶତ ଗୋଲାପର ସୁଗନ୍ଧ । ନାରୀର ମୁଣ୍ଡରେ ସରଗର ମଣିମୟ ମୁକୁଟ । ତେଜରେ ଚାରିଆଡ଼ ଆଲୋକ । ତିନି ସାଥୀଙ୍କ ଆଶ୍ଚର୍ଯ୍ୟ-ସାଗର ବେଳା ଭୂଇଁ ଡେଇଁଲା ।

 

ଏଥର ନାରୀ ମୂର୍ତ୍ତିଟି କହିଲେ—

 

‘‘ମୁହଁ ମାଡ଼ି ଶୋଇଚି ଯେ ସୁରେଶ୍ୱରୀ ଗିରି,

ତାହାରି ଦେବତା ମୁଇଁ ଦେବୀ ସୁରେଶ୍ୱରୀ ।

ଭୟ କର ନାଇଁ ମୋଟେ, ହୁଅ ନି’ ବିସ୍ମିତ,

ତୁମକୁ ରଖିବା ପାଇଁ ମୁଁ ଯେ ଉପଗତ ।

ଦୁନିଆଁର ସୁଖ ପାଇଁ ହେଲେ ଆଗୁସାର,

ନାଶନ୍ତି ଦେବତା ଯେତେ ବିପଦର ଭାର ।’’

 

ଗଳାରେ ତାଙ୍କର ଅମୃତର ପରଶ । ବୀଣାର କୋଟି କୋଟି ମଧୁର ଝଙ୍କାର । ଏମାନେ ଶୁଣୁ ଶୁଣୁ ତାଙ୍କ ପାଦ ତଳେ ଲମ୍ବ ହେଇ ପଡ଼ିଗଲେ । ତାଙ୍କୁ ଚିହ୍ନି ପାରିଲେନି ବୋଲି କ୍ଷମା ମାଗିଲେ ।

 

ଦେବୀ ଏଥର ଆଗଠୁ ଆହୁରି ଧୀର ମଧୁର ଗଳାରେ କହିଲେ—

 

‘‘ପରୀକ୍ଷା ତୁମର ହେଇ ଆସୁଅଛି ଶେଷ,

ବିପଦେ କଦାପି ହାର ନି’ ଧୀରତା ଲେଶ ।

ଶୁଣ ତିନି ମିତ, ଏଇ ମୋର ବରଦାନ,

ବିପଦ ତୁମର ହେଇଯିବଟି ଉଭାନ ।’’

 

ତିନି ମିତ ଦେଖୁଚନ୍ତି । ଏକ ସ୍ୱର୍ଗୀୟ ଆଲୁଅ ପୂରିଗଲା ସେଠି । ନାଇଁ ସେ କଙ୍କାଳ, ନାଇଁ ସେ ପଚାଗନ୍ଧ ଓ ପଚାଶବ ।

 

ଏଣେ ଦେବୀ କେତେବେଳୁ କୁଆଡ଼େ ମିଶିଗଲେଣି ସେଇ ନିଶୂନତାର ଅଥଳ ସାଗର ଭିତରେ ।

 

ତଳର ଚଟାଣ ଉଠୁଚି ଉପରକୁ ।

 

ଶୂନ୍ୟେ ଶୂନ୍ୟେ ଏଇପରି କିଛି ଉପରକୁ ଯାଇ ଚଟାଣଟି ବନ୍ଦ ରହିଗଲା । ସେମାନେ ଦେଖିଲେ ଏକ ସୁନ୍ଦର କୋଠା । ସେଇ ମହଲଟିର ଏକ ପାଖରେ ଭିନ୍ନ ଭିନ୍ନ ରକମର ଖାଇବା ଜିନିଷ ରଖାଯାଇଥିଲା । ତିନି ମିତ ସେ ସବୁ ଖାଇଲେ । ମନରେ ପାଇଲେ ନୂଆ ବଳ । ଏସବୁ ଦେବୀ ସୁରେଶ୍ୱରୀଙ୍କ ଦୟାର ଫଳ ଭାବି ତାଙ୍କରି ଉଦ୍ଦେଶ୍ୟରେ ପ୍ରଣାମ କଲେ ।

 

ହଠାତ୍ ଗୋଲାପୀ ରଙ୍ଗର ଶହ ଶହ ଆଲୁଅରେଖା ଆସି ପଡ଼ିଲା । ସେମାନେ ତ ସେତେବେଳକୁ ବେଶ୍ ଆରାମ କରି ସାରିଲେଣି । ଆଗକୁ ଚାହିଁଲେ । ତଳକୁ ଧୀରେ ଲମ୍ବି ଯାଇଚି ଅଗଣନ ପାହାଚଶ୍ରେଣୀ । ସେଇ ପାହାଚରେ ପାଦଦେଇ ଦେଇ ସେମାନେ ଓହ୍ଲାଇଲେ ତଳକୁ ।

 

ତଳେ ଆସି ଚଟାଣ ଛୁଇଁଲା ସଙ୍ଗେ ସଙ୍ଗେ ସେମାନେ ପୁଣି ଏ କିମ୍ଭୁତକିମାକାର ଜୀବକୁ ଦେଖିଲେ । ହେଲେ, ସେମାନେ ଡରିଲେ ନାଇଁ । ଡାକିଲେ ଗରୁଡ଼ଙ୍କୁ, ସ୍ତୁତି କଲେ ଦେବୀ ସୁରେଶ୍ୱରୀଙ୍କୁ, ଆଉ ପାହୁଣ୍ଡ ପକାଇଲେ ଆଗକୁ । ଦେଖୁ ଦେଖୁ ସେ ଜୀବଟା କୁଆଡ଼େ ଉଭାନ୍ ହେଇଗଲା । ତା’ ବଦଳରେ ଆଗର ଗୋଲାପୀ ଆଲୁଅଟି ଆହୁରି ଟିକିଏ ଉଜ୍ଜ୍ୱଳ ଓ ଗାଢ଼ ହେଇଗଲା । ତିନି ମିତ ଭାବିଲେ ଏଇ ତ ଈଶ୍ୱରଙ୍କ ଆଶୀର୍ବାଦ ।

 

ଏଣୁ ଏଣିକି ଆହୁରି ଆଲୁଅଟି ଗହୀରରୁ ଗହୀରତର ହେଇ ପଡ଼ୁଚି । ନିଜ ପରିଶ୍ରମର ଫଳ ପାଇବାର ସୁଖ ଆଶାରେ ମିରିଗ ଓ ତା’ର ଦୁଇ ମିତ ଗାଇବାକୁ ଲାଗିଲେ–

 

‘‘ଆଗେଇ ଯିବୁ ରେ ତିନି ଜଣ ଆମେ ତିନି ଜଣ,

ମିଳିଚି ଆମକୁ ଦେବଦେବୀଙ୍କର ବରଦାନ ।

ନିଜେ ସୁରେଶ୍ୱରୀ, ଦେବ–ଭୁବନର ମାଆ ପରା,

ଆମରି ବିପଦେ ସାହା ହେଇ ଦେଲେ ଆଶୀ ଧାରା !

କାହାକୁ ତେବେ ରେ ଆଉ ଅଛି ଡର କହ ଆମ ?

ଦେବୀର ଆଶିଷେ କରିନେବୁ ଆମେ ଆମ କାମ ।’’

 

ଗୀତର ସୁର ବଢ଼ି ଚାଲିଚି । ଗତି ବଢ଼ି ଚାଲିଚି । ବଢ଼ି ଚାଲିଚି ଗୋଲାପୀ ଆଲୁଅର ଅସରା ଓ ଅସରା ।

 

–ବାର–

 

ସରିଚି ଆଲୁଅ । ସରିଚି–ନୀଳ ଆକାଶର ତଳେ ଯୋଉଠି ଆକାଶ ସହ ପୃଥିବୀକି ଯୋଡ଼ିଚି ଏକ ମେଘନାଦ ପାଚେରୀ । ଦେଖିଲେ ତିନି ବନ୍ଧୁ । ଜାଣିଲେ, ବୋଧହୁଏ ଏଣୁ ଏଣିକି ପଡ଼ିବ—ସେଇ ସାତୋଟି ପାଚେରୀ । ଶେଷରେ ତେବେ ସେମାନେ ଲକ୍ଷ୍ୟ ହାସଲ କଲେ !

 

ଆସି ମିଳିଲେ ତା’ରି ମୂଳରେ । କଳା ସେଇ ଉଚ୍ଚ ପାଚେରୀଟା ! ବିରାଟ ତା’ର ବପୁ । ତା’ରି ପରି ନିଜ ନିଜର ଛାତିକୁ ସେମାନେ କରିଚନ୍ତି ଟାଣ । ସେ ସହି ରହିଚି କେତେ ଖରା, ବରଷା, ଶୀତ, କାକର । ସେମାନେ ସହିଚନ୍ତି କେତେ ବିପଦ ! ବିପଦର ଏଇଟା ବଡ଼ ଗୁଣ । ଯିଏ ଯେତେ ବିପଦ ସହିଚି—ଯିଏ ଯେତେ ଝଡ଼ ଅଙ୍ଗରେ ନିଭେଇଚି—ସିଏ ସେତେ ଟାଣୁଆ । ସେ ବଳିଯିବ ନାହିଁ । ସେ ଆଗେଇବ—ଆଗେଇବ ।

 

ଗରୁଡ଼ଙ୍କୁ ଡାକିଲେ ତିନି ସାଥୀ ।

 

ପାଚେରୀ ମଝିରେ ଫାଟକ । ସୁନାର କବାଟ । ହୀରାର ଶିକୁଳି । ମୁକୁତାର ଦୁଆରବନ୍ଧ-। ଦୁଇ ପାଖେ ଦୁଇଟି ସୁନ୍ଦରୀ ବାଳିକା ।

 

‘‘ତୁମରି ବାଟକୁ ଅନାଇଁ ଆମେ ଥିଲୁ ଟି,

ଏତିକି ବାଟକୁ ଏତେଟା ଡେରି କଲଟି !

ତୁମ ଲେଉଟାଣି ପାଇଁକି ଚାହେଁ ଧରଣୀ,

ଆକୁଳେ ବୁଡ଼ଇ ଆଜି ଯେ, ତା’ର ସରଣୀ !

କୁସୁମ–ପାଖୁଡ଼ା ତୁମ ଯିବା ବାଟେ ଝରୁ ହେ,

ବିପଦ ଆପଦ ଆପେ ଆପେ ଡରି ମରୁ ହେ;

ଆସ ଆସ ବୀର, ଆସ ଏ ଧରାର ଭୂଷଣ,

ଦିଅ ହେ ଲିଭାଇ ଯେତେକ କେଳେଶ ଦୂଷଣ ।’’

 

ବନ୍ଦନା ଗାଇଲେ ସେମାନେ । ଫୁଲମାଳ ଲମ୍ବାଇଲେ । ପାଛୋଟିନେଲେ ତିନି ମିତଙ୍କୁ-

 

ତେଣୁ ତେଣିକି ସବୁ ସହଜ । ଫିଟିଫିଟି ଗଲା ସାତ ପାଚେରୀର ସାତ ଦୁଆର ଗୋଟିଏ–ଦୁଇଟି–ତିନୋଟି କରି । ସବୁଠି ସରଗର ସୁଷମା । ସବୁଠି ଏମାନଙ୍କୁ ଆଦର । ସବୁଠି ବନ୍ଦନା ଓ ସୋହାଗ ।

 

ସବାଶେଷ ପାଚେରୀ ! ସବୁଠୁ ସେ ସୁନ୍ଦର । ଆଉ ସେଠି ଯେଉଁ ଝିଅ ଦୁଇଟି ଥିଲେ, ସେମାନେ ଅନ୍ୟମାନଙ୍କଠାରୁ ଶତ ସହସ ଗୁଣରେ ବଳି ସୁନ୍ଦରୀ ।

 

ସେମାନେ ଏ ତିନି ବନ୍ଧୁଙ୍କୁ ସ୍ନେହ କରି ଭିତରକୁ ନେଇଗଲେ । ଆଉ କହିଲେ— ‘‘ଦେଖ, ବଜ୍ରଚଞ୍ଚୁ ଶୁକଙ୍କ ବଳବହପ କଳନା କରିବାପାଇଁ ଏ ଯାଏ କେହି ସାହସ କରିନି । ଶହ ଶହ ଇନ୍ଦ୍ର ତାଙ୍କଠି ହାର ମାନିବେ । କିନ୍ତୁ ବାଣୀକଣ୍ଠ ସାରୀ ହେଉଚନ୍ତି ମୂଳ । ସେ ଆସିବେ, ଗାଇବେ ଗୀତ । ଏଇଲାଗେ ବଜ୍ରଚଞ୍ଚୁ ତପସ୍ୟା କରୁଚନ୍ତି । ବାଣୀକଣ୍ଠଙ୍କ ଗୀତରେ ଯାଇ ଭାଜିବ ତାଙ୍କର ତପସ୍ୟା ।’’

 

କୋଇଲି ଏ କଥାରେ ଜବାବ୍ ଦେଲା–

 

‘‘ଦି’ ଜଣଙ୍କୁ ଖୋଜିବାକୁ ନେଇଥିଲୁ ଆମେ ପଣ,

ଜଣକର ସନ୍ଧାନରେ ଶକତିର ଅବସାନ,

କହୁଚ ଯେ ପୁଣି ଆଣ ଖୋଜି ବାଣୀକଣ୍ଠ ସାରୀ,

ଏଥିରେ ଆମର ବୁଦ୍ଧି ବଳ ସବୁ ଯାଏ ସରି ।’’

 

ଝିଅ ଦୁଇଟି କହିଲେ–‘‘ତୁମର ଚିନ୍ତା କରିବାର କିଛି ଲୋଡ଼ା ନାଇଁ । ଦୁନିଆରେ ଯେଉଁମାନେ ପାଞ୍ଚ ଜଣଙ୍କ ଭଲ ପାଇଁ ବାହାରି ପଡ଼ନ୍ତି, ତାଙ୍କର କୌଣସି କାମ ଅଟକି ଯାଏ ନାଇଁ । ସେଠି ସାହାଯ୍ୟ ବଳେ ବଳେ ଆସେ । ଏବେ ତୁମେମାନେ ଆଖି ବୁଜିପକାଅ । ଆମେ ତୁମମାନଙ୍କୁ ସେଠି ସୁବିଧାରେ ପହୁଞ୍ଚାଇ ଦେବୁଁ । ହେଲେ, ସାବଧାନ ଥିବ । କେତେବେଳେ ଭୁଲରେ ବି ଖୋଲିବନି’ ଆଖି । ନଚେତ୍ ଆମର ଯେତେକ ମେହେନତ୍ ସବୁ ଫସରଫାଟି ଯିବ ।’’

 

ଆଖି ବୁଜିଲେ ତିନି ବନ୍ଧୁ ।

 

ହଳଦୀବସନ୍ତଟି ବଡ଼ ଦୁଷ୍ଟ । ବଡ଼ ଖଜବଜିଆ । ମଜା ଦେଖିବ ବୋଲି ଭାବି ସେ ଆଖି ଖୋଲି ପକାଇଲା । ଏକଥା ଯିମିତି ସେ କରିଚି, ସେ ବାଳିକା ଦୁଇଟି କୁଆଡ଼େ ଉଭେଇଗଲେ । ସେମାନଙ୍କ ଯିବାଟା ସେତିକିରେ ବନ୍ଦ । ଯାହା ଆସିଥିଲେ ସେତିକି ।

 

ଆଖି ଖୋଲିଲା ମିରିଗ । କୋଇଲି ବି ଅନେଇଁଲା ।

 

–‘‘ଚଗଲାମି କେବେ ଗଲାନି ! ଅଙ୍ଗେ ନ ବୋହି ଭାର ବୋହିବାର ଯାହା ହେଲା ସିନା-!’’ କୋଇଲି ଅନୁଯୋଗ କଲା ।

 

–‘‘ଫେର ଏତିକିବେଳେ ! ଅସଲ କାମର ବକତରେ !’’ ମିରିଗ ଗାଳିଦେଲା ।

 

ସେତେବେଳେ ସେମାନେ ଏକ ସୁଡ଼ଙ୍ଗ ବାଟରେ ଥିଲେ । ଜାଣିଲେ, ଅଧା ବାଟରେ ସେ ଝିଅ ଦୁଇଟି ଏମାନଙ୍କୁ ଛାଡ଼ି ଦେଇ ଚାଲିଯାଇଚନ୍ତି । ଆଗକୁ ଯିବେ ? ନା ପଛକୁ ? ଜାଣିବେ କିପରି ? କିଏ ସେମାନଙ୍କୁ କହିବ ? ଆଗରେ କ’ଣ ଅଛି ? ଏ ସୁଡ଼ଙ୍ଗ ସରିବ କେଉଁଠି ? ଆଉ ଲକ୍ଷ୍ୟ ସ୍ଥଳ କେତେ ଦୂର ରହିଲା ? ଏଇପରି ଅଡ଼ୁଆ ତଡ଼ୁଆର କାଦୁଅ ଭିତରେ ଘାଣ୍ଟି ହେଉଥିଲା ବେଳେ କାନରେ ଏକ ମଧୁର କୋମଳ ଗୀତ ଗୁଞ୍ଜରି ଉଠିଲା–

 

‘‘ଅସୀମ ବାଟ ବାଟୋଇ ଆରେ,

ଆଗେଇ ଚାଲ ଆଗେଇ ଚାଲ;

ପଛର କଥାକୁ ପଛକୁ ଠେଲି,

ଆଗାମୀ ପାଇଁ ତୁ ଆଗେଇ ଚାଲ !

କର୍ମ ତୋହର ବହୁତ ବେଶୀ,

ନିହାତି ଅଳ୍ପ ରହିଚି ବେଳ,

ଅସୀମ ବାଟର ବାଟୋଇ ଆରେ,

ତୁ ଆଗେଇ ଚାଲ ଆଗେଇ ଚାଲ ।’’

 

ବିଜୁଳି ଗତିରେ ସେମାନେ ଉଠିପଡ଼ିଲେ । ଧମନୀର ରକତରେ ବିଜୁଳି ଖେଳୁଚି । ଶିର ସେମାନେ ଉଚ୍ଚ କଲେ । ବାଟ ପାଗଳ ଚାଲି–ପାଗଳ–କାମ ପାଗଳ ! ତିନୋଟି ସାଥୀ ସିଂହପରି ଆଗେଇଲେ ।

 

ସୁର୍ ଚାଲିଚି । ସେଇ ଅସୀମ ବାଟର ପଛରେ ଏମାନେ ପାହୁଣ୍ଡ ପକାଇ ଚାଲିଚନ୍ତି । ଗୀତର ପଦେ ପଦେ ବଳୀୟାନ୍ ହେଇ ଉଠୁଚନ୍ତି—

 

ଅନଳ ପୁତ୍ର ଜଳ ରେ ତୁହି,

ବିପଦ-ବଣକୁ ଜାଳ ରେ ଜାଳ;

ଅସୀମ ପଥର ଯାତ୍ରୀ ଆହେ,

ତୁମେ ଆଗେଇ ଚାଲ ଆଗେଇ ଚାଲ !’’

କାନରେ ବାଜୁଚି ଗୀତ, ନିଆଁର ଗୀତ !

 

କେତେବେଳ ଚାଲିବା ପରେ ସେମାନେ ଦେଖିଲେ ଏକ ବଡ଼ ଅଗଣା । ସେଠାରେ ନାନା ରକମର ରଥ । ବହୁତ ରଙ୍ଗର, ବହୁତ ଢଙ୍ଗର ।

 

‘‘ଏ ରଥ ଗୁଡ଼ିକ କାହିଁକି ଏଠାରେ ଥୁଆ ହେଇଚି ?’’ ମିରିଗ ଆଗ ଚାହିଁ ପଚାରିଲା ।

 

–‘‘କିଏ କହିବ ?’’ କୋଇଲି ଦୁଃଖ କଲା ।

 

–‘‘ମୋ’ର ଆଶା ଏଥିଲାଗି ଭାବିବାକୁ ପଡ଼ିବନି । ଯୋଉ ସୁର୍ ଆମରି ମନରେ ଦେଲା ନୂଆ ବଳ, ଯୋଉ ଶକ୍ତି ଆମରି ବୁକୁରେ ଦେଲା ନୂଆ ସାହସ, ସିଏ ଆମକୁ ଟାଣି ଟାଣି ନେଉଚି ଶହ ଶହ ବିପଦର କଣ୍ଟା ଆଡ଼େଇ ଆଡ଼େଇ, ସେ କହିବ–ସେ କହିବ !’’ ହଳଦୀବସନ୍ତ ଏତକ କହିଲା । ଚାହିଁଲା ଉପରକୁ । ଖୋଜିଲା ସେମାନଙ୍କୁ ସାହାଯ୍ୟ ମିଳୁଚି କି ନାହିଁ, ଆଉ ତା’ର ଏଇ ଆଗତ କହିବାଟା ସତ ହେଉଚି କି ନାଇଁ ।

 

ସତକୁ ସତ କିଛି ସମୟ ବାଦ୍ ଏକ ଅଜଣା ଗଳା ଗାଇଲା ଏକ ମଧୁର ସଂଗୀତ–

 

ଏ ରଥ ଭିତରୁ ସେଇ ତରୁଟିକି

ଖୋଜି ଖୋଜି ତୁମେ ଆଣ,

ଯେଉଁ ରଥଟିରେ ସାରୀ ଛବି ଦିଏ

ବୀଣାର ତାରରେ ମାନ ।

 

ସେଇ ରଥେ ବସିକହ ତିନି ବାର–

 

‘‘ଶୁଣ ଆରେ ରହୁବର,

ନେଇଯା’ ଆମକୁ ନେଇଯା–ନେଇଯା–

ବାଣୀକଣ୍ଠ–ସାରୀ ପୁର ।’’

 

ଗୀତକୁ ଅନୁସରଣ କଲେ ତିନି ବନ୍ଧୁ । ଖୋଜି ଖୋଜି ପାଇଲେ ସେଇ ରଥଟିକୁ । ସେ ରଥରେ ଏକ କଦମ୍ବ ଗଛର ଛବି । ସେଇ କଦମ୍ବଗଛର ଚାରୋଟି ଶାଖା । ସବୁଠୁ ସୁନ୍ଦର ଯେଉଁ ଶାଖାଟି–ସେଥିରେ ବସିଚି ସାରୀଟିଏ । ଧରିଚି ଖଣ୍ଡେ ବୀଣା । ସତେ ସେପରି ସେ ତୋଳି ଦେଉଚି ଏକ ଅଫୁରନ୍ତ ଦିବ୍ୟ ସଙ୍ଗୀତର ମଧୁମୟ ମୂର୍ଚ୍ଛନା ।

 

ରଥରେ ଚଢ଼ିଲେ ସେମାନେ । ତିନି ଥର କରି ଗାଇଲେ–

 

‘‘ସାରୀସାର ବାଣୀ–କଣ୍ଠ ଯେ

ଯହିଁ ବଜାଏ ବୀଣା,

ରହୁବର-ସାର ସେ ପୁରେ

ନେଇଯିବୁଟି କି ନା !

ତା’ ଅମର ଗୀତେ ଭାଜିବ

ଶୁଆ ବିଷମ ତପ,

ସାରୀ ପାଖେ ନିଅ ରଥ ରେ,

ତୁ ଯେ ସୋଦର–ବାପ !’’

 

କୋଟି ବିଜୁଳିର ଗତିକୁ ଗୋଇଠା ମାଇଲା ରଥ । ଉଡ଼ି ଚାଲିଲା ସେ ଶୂନ୍ୟେ ଶୂନ୍ୟେ ! ନିମିଷକେ ବ୍ରହ୍ମାଣ୍ଡଟାକୁ ଚଉଦ ଘେରା ଘୂରିଯିବ କି ?

 

–ତେର–

 

ଅଦ୍ଭୁତ ଗତିରେ ଘୂରିଯାଉଚି ରଥର ଚକଗୁଡ଼ିକ । ଫରହର ଉଡ଼ୁଚି ରଥର ସୁନ୍ଦର ପତାକା । ପବନ ଡରିମରି ପଳାଇ ଯାଉଚି । ଆଗରୁ ଆଗକୁ ସେ ଯାଉଚି । ରଥ ତାକୁ ଗୋଡ଼ାଇଚି-। ଠେଲି ନେଇ ପାହାଡ଼ ଉପରେ କଚାଡ଼ି ଦେଉଚି । ଗଛ ଲତା ଶୋଇ ଯାଉଚନ୍ତି ।

 

ଘର୍‍ର୍‍ ......! ଘର୍‍ର୍‍....!! ଘର୍‍ର୍‍ !!! ରଥଚକର ଶବ୍ଦ ! ପୂରିଚି ଆକାଶ ଓ ଅବନୀ ।

 

ଗୋଟିଏ ଯାଗାରେ ଅଟକିଲା ରଥ । ତିନି ବିନ୍ଧୁ ଭାବିଲେ, ବାଣୀକଣ୍ଠ-ସାରୀ ଘରକୁ ଆସିଗଲେ ବୋଧେ । ଓହ୍ଲାଇ ପଡ଼ିଲେ ସେମାନେ ।

 

ଆଗରେ ମଣିମୟ କୋଠାଟିଏ । କେତେ ଅମୂଲ୍ୟ ରତ୍ନ । ପୁଣି ଗଢ଼ିବାର କି ଚମତ୍କାର କଳା ! ବରୁଣ ଦେବତାର ଏପରି ଘର ଥିବ କି ନା !

 

ଏକ ମଧୁର ସ୍ୱର । ଏକ ମଧୁର ଗୀତର ଗୁଞ୍ଜନ । ସାଥିରେ ଏଇ ଯେ ବୀଣାର ତାନ ! ପଥର ତରଳୁଚି–ହେଉଚି ପାଣି । ମରୁରେ ବହୁଚି ଝର । ହାଡ଼ରେ କଅଁଳି ଯାଉଚି ମାଉଁସ । ଧନ୍ୟରେ ସଙ୍ଗୀତ ! ଧନ୍ୟ ସେ ଗାଉଣା ! ଆଉ ଧନ୍ୟ ସେ ଗାୟକ !

 

କୋଇଲି କହିଲା— ‘‘ଇମିତି ଗାଇଲାବାଲା କିଏ ସେ ? ମନେ ହେଉଚି ବାଣୀକଣ୍ଠ ସାରୀ ପରା !’’

 

‘‘ହେଇ ଦେଖ, ହେଇ ଦେଖ ମିରିଗ ଓ କୋଇଲି । ଆମ ଦିହର ରଙ୍ଗ କିପରି ବଦଳି ଯାଉଚି ! କିପରି ଦିହର ତେଜ ଝଟକି ଉଠୁଚି ! ନାଚୁଚି ଆକାଶ, ନାଚୁଚି ଧରଣୀ, ନାଚୁଚନ୍ତି ବଣର ଗଛଲତା । ଦୂର ପାହାଡ଼ ବି ବାଦ୍ ଯାଉନି । ଗୀତ ଗାଇ ଗାଇ ସାରୀ ସଂସାରଟା ଯାକ ପାଗଳ ବନାଇ ଦେଉଚି ।’’ ହଳଦୀବସନ୍ତ ବହୁତ ଦୂର ଯାଏ ଆଖି ପକାଇ ଅଭିମତ ଦେଲା ।

 

ତିନି ସାଥୀ କୋଠା ଭିତରକୁ ପଶିଲେ ।

 

ଯେତିକି ଭିତରକୁ ଗଲେ, ସେତିକି ଅଧିକ ସୁନ୍ଦର ଦେଖାଗଲା ସେ କୋଠା । ଆହୁରି ସଙ୍ଗୀତ–ଆହୁରି ମଧୁର–ଆହୁରି ମନେରମ–ଆହୁରି ପାଗଳ । ଖାଲି ଗୋଟିଏ ସୁର୍ ନୁହେଁ, କାନରେ ବାଜିଲା କୋଟି କୋଟି ଗଳାର ସମ୍ମିଳିତ ସୁର । କାନ୍ଥ ଖୁମ୍ବ, ଛାତ, ଅଣୁ ପରମାଣୁର ସୁର୍-। ସେ ସମସ୍ତଙ୍କ ସହିତ ସ୍ୱର ମିଳାଇଲେ–କୋଇଲି, ହଳଦୀବସନ୍ତ ଓ ମିରିଗ–

 

‘‘ସବୁଜ ଧରଣୀ ତୋଳେ ସଙ୍ଗୀତ ନୀଳ ଆସ୍‍ମାନ୍‍ ତୁଲେ,

ଗୀତ ଗାଇ ଗାଇ ଦୂର ପରବତ ଗିରି-ଝର ସାଜି ବୁଲେ ।

ସକାଳ ଗାଉଚି, ଗାଉଚି ସଞ୍ଜ, ଗାଉଚି ତପନ ଶଶୀ,

ବଣଫୁଲ ଫଳ ସଭିଏଁ ଗାଇଲେ ଏକତାନେ ମିଳିମିଶି ।

ପବନ ଗାଉଚି, ଗାଉଚି ସିନ୍ଧି, ଗାଉଚି ରେ ମହା–ମେରୁ,

ପାଗଳ ସମାନ ଏକ ସୁର ଧରେ ସିଂହ ସହିତ ଫେରୁ;

ବିଶ୍ୱ ଗୀତିକାମୟ,

ଗୀତି-ମୁଖ ଆମେ ଗାଉଁ ତିନି ମିତ ବାଣୀକଣ୍ଠ ହେ ଜୟ !!

 

ଗୀତ ଗାଇ ଗାଇ ସେମାନେ ଚାଲିଚନ୍ତି । ପାଦ ପଡ଼ୁନି ଠିକ୍ ଭାବେ । ବାଟ କିଏ ? କିଏ ଅବାଟ ? କିଛି ଯେ ଜାଣିପାରୁ ନାହାନ୍ତି । ସବୁ ମାଡ଼ି ମକଚି ଚାଲିଚନ୍ତି । ମନ୍ତ୍ର-ଭୋଳା ସାପ ଏପରି କେଳା ପଛରେ ଧାଏଁ ।

 

ଗୀତର ନିଶାରେ ସେମାନେ ଅବଶ ହେଇପଡ଼ିଲେ । ହଠାତ୍ ଗୀତ ବନ୍ଦ ହେଇଗଲା ସେତିକିବେଳେ । ସେମାନେ ଫେରି ପାଇଲେ ନିଜ ନିଜର ଚେତା । ଓଃ ! କ’ଣ ହେଇଯାଇଥିଲା ରେ ?

 

ଦେଖିଲେ, ବାଣୀକଣ୍ଠ ସେମାନଙ୍କଠାରୁ ଅଳ୍ପ ଦୂରରେ । ଏକ ବିଚିତ୍ର କଦମ୍ବ ଗଛ । ତା’ର ଚାରୋଟି ଶାଖା । ସେଇ ଶାଖାର ଗୋଟିକରେ ସୁନା ସିଂହାସନ ପଡ଼ିଚି । ତା’ରି ଉପରେ ବସିଚି ବାଣୀକଣ୍ଠ ସାରୀ–ସରସ୍ୱତୀଙ୍କ ମାନସ-ପୁତ୍ର ! ସେଇଠି ବସି ସେ ବଜାଉଥିଲା ସରଗ–ଜିଣା ବୀଣା ।

 

ଏମାନଙ୍କୁ ଦେଖି ସେ ସମାଦର ଜଣାଇ କହିଲା—

 

‘‘ତିନି ମିତ ତୁମେ, ଆସ ହେ ଆସ,

ଘରକୁ ମୋହର ଆଲୁଅ କର;

ତୁମରି ପରଶେ ପାପ ଓ ତାପ

ଶରୀରୁ ମୋହର ହେଉ ହେ ଦୂର ।

ସାଧୁଜନ, ଟିକେ ଚରଣ-ଧୂଳି

ଶିରରେ ମୋହର ହୋଇଲେ ବୋଳି,

ଧୋଇଯିବ ଯେତେ ମଇଳା ଅଛି,

ସୂରୁଯ ସମାନ ଉଠିବ ଜଳି ।’’

 

ସେ ଓହ୍ଲାଇ ଆସିଲା କଦମ୍ବ ଡାଳରୁ । କହିଲା–‘‘ଏଇ ଯେ ବିଚିତ୍ର କଦମ୍ବ ଗଛଟି ଦେଖୁଚ, ତା’ର ମହିମା ବହୁତ । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କର ସାଥୀ ହେବ ଇଏ । ଚାରି ଶାଖାରେ ତା’ର ଲୁଚି ରହିଚନ୍ତି ସଙ୍ଗୀତ, ସାହିତ୍ୟ ଆଦି ଚାରି କଳା, ୠକ୍ ସାମ ଆଦି ଚାରି ଦେବ, ଆଉ ସତ୍ୟ, ତ୍ରେତୟା ଆଦି ଚାରି ଯୁଗ । କୁଆଡ଼େ ଆସିଲ ତୁମେମାନେ ଶୁଣେ ! କାହିଁ ? କିଛି କହୁ ନ ତ ମୋତେ ?’’ ସାରୀ ହସି ହସି କୁଣ୍ଢାଇ ପକାଇଲା ଜଣ ଜଣ କରି ତିନି ଜଣଙ୍କୁ ।

 

ତିନି ମିତ ମୂଳରୁ ଚୂଳ ଯାଏ ସବୁ କହିଗଲେ । ଆଉ ଅନୁରୋଧ କଲେ—

 

‘‘ବଜ୍ର-ଚଞ୍ଚୁ ଶୁକ କରେ ତପ ଆରାଧନ,

ଶିଳାଧର କରୁଅଛି ଶଙ୍ଖ–ସାଥେ ୠଣ,

ଚାଲ ସାଥି, ଆମ ସାଥେ ଦେବ ତୋଳି ତାନ,

ଭାଜିଲେ ତପ ଉଠିବ ଶୁକ ବଳବାନ ।

ବଜରଠୁ ଟାଣ ଯା’ର ହୋଇଅଛି ଥଣ୍ଟ,

ସେ ଏକା ପାରିବ ଭାଙ୍ଗି ଶିଳାଧର ଆଣ୍ଟ ।

 

ସାରୀ ସବୁକଥା ଶୁଣି, ତାର ବୀଣାର ଏକ ସରୁ ତାରରେ ଆଘାତ କଲା । ଏକ ମଧୁର ସ୍ୱର ସେଇକ୍ଷଣି ବାହାରି ପବନରେ ମିଳାଇଗଲା । ସେ ସ୍ୱରଟି ପବନରେ ବୁଡ଼ି ନ ଯାଉଣୁ ଏକ ସୁନ୍ଦର ଫୁଲ ପୃଥିବୀରେ ଫୁଟିଉଠିଲା । ସେ ଫୁଲଟି ଧୀରେ ଉପରକୁ ଉଠିଲା । ପବନରେ ଦୋହଲି ଦୋହଲି ତାହା ହେଇଗଲା ଏକ ପୁଷ୍ପକ ବିମାନ । ସେଇ ଫୁଲମୟ ବିମାନରେ ଚଢ଼ିଲେ ଚାରିଜଣ ।

ଶୂନ୍ୟେ ଶୂନ୍ୟେ ଚାଲିଲା ରଥ । ସାରୀ ସଙ୍ଗୀତ ଗାଇଲା । ଶୁଣିଲେ ତିନି ସାଥୀ, ଶୁଣିଲେ ଆକାଶ ଓ ପୃଥିବୀ ଏବଂ ପୃଥିବୀର ସମସ୍ତେ । ମଧୁର ନାଦ ତୋଳି ତୋଳି ଚାଲିଲା ଫୁଲର ରଥଟି ।

ଏଥର ସେମାନେ ଯୋଉ ବାଟରେ ଆସିଲେ, ସେ ବାଟର ସୌନ୍ଦର୍ଯ୍ୟ କହିଲେ ନ ସରେ । କୋଟି କୋଟି ଫୁଲ ଉପରେ ଗଡ଼ି ଗଡ଼ି ଚାଲିଚି ଫୁଲରଥ ।

କ୍ରମେ ସେମାନେ ବଜ୍ର- ଚଞ୍ଚୁର ଘର ନିକଟରେ ଆସି ପହଞ୍ଚିଲେ । ଦୂରରୁ ହଳଦୀବସନ୍ତ ଦେଖିଲା, ଆଗର ସେଇ ବାଳିକା ଦୁଇ ଜଣଙ୍କୁ । ଏମାନଙ୍କୁ ଦେଖି ସେମାନେ ମୁଠା ମୁଠା ହସର ମଲ୍ଲୀ ଫୁଲ ଫୁଟାଇ ବନ୍ଦାଇ ନେଇଗଲେ ।

ଭିତରେ ଗୋଟିଏ ଗୋଟିଏ କରି ଅନେକ ଜାଗା ସେମାନେ ଦେଖିଲେ । ଘର ଦୁଆର, ବଗିଚା ଝରଣା, ଫୁଲ ଫଳ ସବୁଠି ଆନନ୍ଦ, ସବୁଠି ରଙ୍ଗର ଖେଳ, ସବୁଠି ବାସନାର ହୋରି, ସବୁଠି ପବିତ୍ର ବିଳାସ, ସବୁଠି ସରଳ ଆଡ଼ମ୍ବର ।

ଶେଷରେ ଯାଇ ପହଞ୍ଚିଲେ, ବଜ୍ର-ଚଞ୍ଚୁ ଶୁକ ଯେଉଁଠି ବସି ତପ କରୁଥିଲା । କିନ୍ତୁ ସେଠି ଦେଖିଲେ ନାହିଁ ଆଡ଼ମ୍ବରର ଚିହ୍ନ । ସବୁ ସାଦା ସିଧା, ଅଥଚ ସବୁ ସୁନ୍ଦର । ଖୁବ୍ ମନୋରମ । ଏକାନ୍ତ ଆରାମଦାୟୀ, ବିଶୁଦ୍ଧ, ପବିତ୍ର, ଗମ୍ଭୀର । ଇଚ୍ଛା ହେବ ଯୁଗ ଯୁଗ ପାଇଁ ସେଇ ଜାଗାଟିର ଧୂଳିକଣା ହେଇ ରହିଯିବାକୁ ।

ପୂର୍ବର ଦୃଶ୍ୟ ସହିତ ଏ ଦୃଶ୍ୟର ତଫାତ୍ ଅନେକ ବେଶୀ । ଯେଉଁଠି ଖାଣ୍ଟି ସୁନା ବାଟରେ ଘାଟରେ ଯାହାକୁ ଯେତେ, ସେଠି ପିତ୍ତଳର ପୁଟ ଦରକାର ପଡ଼ିବ କିଆଁ ? ଯେଉଁଠି ପବିତ୍ରତାର ରାଜୁତି, ସେଠି ଆଡ଼ମ୍ବରକୁ ପରା ବାସନ୍ଦ !

ମନ୍ତ୍ର ଘୋଷୁଚି ବଜ୍ରଚଞ୍ଚୁଶୁକ । ସେ ଧ୍ୱନି ଚାରି ପାଖକୁ ଆହୁରି ଗମ୍ଭୀର କରୁଚି । ଆହୁରି ପବିତ୍ର ହେଉଚି ଖଣ୍ଡମଣ୍ଡଳ ।

‘‘ଜୀବନ ଯଦି ଦେଉ ହେ ପ୍ରଭୁ, ମରଣପାଇଁ ରହୁ ନି’ ଡର,

ସେନେହ ଯଦି ଦେଉଚ ଢାଳି ଲଗାଅ ନାଇଁ ମମତା-ଡୋର;

ପୀୟୂଷ-ଧାରା ଧରାରେ ବହୁ,

ଜହର ଯେତେ ମୋ’ ଲାଗି ରହୁ,

ଜଗତଲାଗି ଭଗତ ହେବି, ଭଗତ ହେବି ଚରଣେ ତୋର,

ଜୀବନ ଯଦି ଦେଲ ହେ ପ୍ରଭୁ, ମରଣଲାଗି ରହୁନି’ ଡର ।

 

ଆଖି ଅଧା ଖୋଲା–ଅଧା ଶୁଭୁଚି ତା’ର ଏଇ ମିନତି । ସଂସାରର ମଙ୍ଗଳ ପାଇଁ ସେ କରୁଚି ଅଳି । ନିଜେ ଜହର ଖାଇବ ପଛେ, ଧରାରେ ବହୁ ପୀୟୂଷ ।

 

ବାଣୀ-କଣ୍ଠ, କୋଇଲି, ହଳଦୀବସନ୍ତ ଓ ହରିଣ ଦୋହରାଇଲେ ବଜ୍ରଚଞ୍ଚୁର ଏଇ ମହାବାଣୀ ।

 

ବଜ୍ର–ଚଞ୍ଚୁ ଖୋଜିଲା ତା’ର ଆଖି ଧୀରେ–ଅତି ଧୀରେ ।

 

‘‘ଓ, ତୁମେମାନେ ଆସିଲ ! ଆସିଲ ତେବେ ଏ ଗରିବର କୁଡ଼ିଆଟିକି ପବିତ୍ର କରିବାକୁ-! କରିବାକୁ ମହାନ୍, କରିବାକୁ ବିଶାଳ ?’’ ବଜ୍ର-ଚଞ୍ଚୁ ବିନୀତ ଭାବେ କହି ଓହ୍ଲାଇଲା-

 

ଲମ୍ବିଚି ଉପରକୁ ଏକ ସୁନାଲତା । ଅଙ୍ଗରେ ତା’ର ମୁକ୍ତାର କଢ଼ି । ପତ୍ରଗୁଡ଼ିକ ନୀଳାର-। ଗୋଟି ଗୋଟି ହେଇ ଫୁଟିଚି କୋଟି ପଦ୍ମ । ଶେଷ ଆଗରେ ନଇଁ ପଡ଼ିଚି ଯେଉଁ ବଡ଼ ପଦ୍ମଟି, ତା’ର ଲକ୍ଷେଟି ପାଖୁଡ଼ା । ଲକ୍ଷେ ପାଖୁଡ଼ାର ମଝିରେ ଜଳୁଥିଲା ଯେଉଁ କେଶର ଉଜ୍ଜ୍ୱଳ ହେଇ, ସେଇଠି ବସି ତପ ସାଧୁଥିଲା ବଜ୍ର–ଚଞ୍ଚୁ । ଜଗତର କଲ୍ୟାଣ ପାଇଁ ତା’ର ଏ ଗହୀର ତପ-

 

ସେଇଠୁ ତଳକୁ ଆସିଲା ସେ । ଗୋଟି ଗୋଟି କରି ସମସ୍ତଙ୍କୁ କୁଣ୍ଢାଇ ପକାଇଲା ।

 

କୋଇଲି ଓ ହଳଦୀବସନ୍ତ ପଛ ଓ ବର୍ତ୍ତମାନର କଥା କହିବା ଲାଗି ଆଖି ଠରାଠରି ହେଲେ ।

 

ବାଣୀ–କଣ୍ଠ ସେମାନଙ୍କ ମନର କଥା ଜାଣି ପକାଇ କହିଲା—

 

‘‘ଗରୁଡ଼ ଯାହାର ପିତା, ଯା’ଠାରେ କରୁଣା,

ତାକୁ କି ଗୁପତ କିଛି ? ସବୁ ପରା ଜଣା !

ଆଗତ ଭବିଷ୍ୟ ସବୁ ଜାଣେ ବଜ୍ର ଚଞ୍ଚୁ,

ତା’ଠାରେ ବାଇୟା ତୁହି କିସ ତେବେ ପାଞ୍ଚୁ ?’’

 

ହସି ହସି ବଜ୍ରଚଞ୍ଚୁ କହିଲା—‘‘ବାପା ଯେତେବେଳେ ତୁମମାନଙ୍କୁ ପଠାଇଛନ୍ତି, ସେତେବେଳେ ତୁମେମାନେ ମୋର ପୂଜ୍ୟ । ତୁମମାନଙ୍କର ସେବା ପାଇଁ ସବୁବେଳେ ମୁଁ ତିଆର । ମୋର ବିଶ୍ୱାସ ଏଥିରେ କାହାରି ସନ୍ଦେହ ନାହିଁ ।’’

 

ସେଇଠୁ ବହୁତ କଥା ପଡ଼ିଲା । ନୂଆ ଅତିଥିମାନଙ୍କ ଚର୍ଚ୍ଚା ପାଇଁ ବଜ୍ର-ଚଞ୍ଚୁ ବ୍ୟସ୍ତ ହେଇପଡ଼ିଲା ।

 

ତା’ପରେ ଠିକ୍ ହେଲା ଆସିବା କଥା । ଆସିବାକୁ କୋଇଲି, ହଳଦୀବସନ୍ତ ଓ ହରିଣ ଜାଗତିଆର ହେଇଗଲେ । ସେମାନେ ଯେ ଆଜି ଗଡ଼ ଉପରେ ଗଡ଼ ଜିଣିଚନ୍ତି ! ସେମାନଙ୍କ ପାଦ କି ଆଉ ତଳେ ଲାଗୁଚି ? ବଜ୍ର–ଚଞ୍ଚୁ ଆଉ ବାଣୀ–କଣ୍ଠ ବି ବାହାରି–ପଡ଼ିଲେ ।

 

ପାଦେ ଦି’ ପାଦ ଯାଇଚନ୍ତି କି ନାଇଁ, ହଠାତ୍ ଗୋଟିଏ ଛୋଟ ବାଳିକା ସେମାନଙ୍କ ଆଗରେ ନାଚିଗଲା । ଆଉ ଗାଇଲା–

 

‘‘ବାଟୋଇ,

ଆଗକୁ ଯାଆନା ଯାଆନା,

ବାଣୀ କଣ୍ଠ ସାରୀକି ଏଇଟି !

ବଜ୍ର–ଚଞ୍ଚୁକି ଇଆ ନାଁ ?

ଆଗକୁ ଯାଆ ନା ଯାଆ ନା ।’’

 

‘‘କିଏ ତୁମେ ? କିପରି ଜାଣିଲ ଆମ ନାଁ ? ଆଉ ମନା କରୁଚ କିଆଁ ଯେ ?’’ ବଜ୍ର–ଚଞ୍ଚୁ ପ୍ରଶ୍ନ କଲା ।

 

ଝିଅଟି କହିଲା–‘‘ମୁଁ କିଏ, ସେ କଥା ପରେ ଜାଣିବ । କିନ୍ତୁ ତୁମେ ସବୁ ପାଗଳ, ବଦ୍ଧ ପାଗଳ ।’’

 

‘‘କିମିତି କଥା ଏ ?’’ ବାଣୀ–କଣ୍ଠ ପଚାରିଲା ।

 

‘‘ଶୁଣ’’ ଝିଅଟି କହିଲା । ‘‘ତୁମେ ଜାଣିଚ କି ? ଜାଣିନ ? ବଜ୍ର–ଚଞ୍ଚୁ ବହୁତ ବଳଶାଳୀ ସତ, ହେଲେ, ସେ ଶିଳାଧରକୁ ହାଣି ପାରିବନି । ତା’ ଚଞ୍ଚୁ ଲାଲ ନୁହେଁ ଯେ !’’

 

‘‘ଆଁ । କି କଥା ?’’ ସମସ୍ତେ ଏକ ସ୍ୱରରେ କହିଲେ ।

 

‘‘ଖାଲି ସେତିକି ନୁହେଁ, ସାରୀର ଚଞ୍ଚୁ ବି ସୁନାପରି ହଳଦିଆ ହେବ । ନ ହେଲେ ତା’ ଗୀତରେ ବଜ୍ର ଚଞ୍ଚୁର ବଳ ଆସିବନି । ଶୁଆର ଏଇ ନୀଳ ଥଣ୍ଟ, ସାରୀର ଏଇ କଳା ଥଣ୍ଟ, ଏଥିରେ କାମ ଚଳିବ ନି ଭାଇ, କାମ ଚଳିବନି ।’’ ବାଳିକାଟି କହିଲା ।

 

‘‘ତେବେ ଉପାୟ ? ଉପାୟ କ’ଣ ନାଇଁ ।’’

 

–ଚଉଦ–

 

କହୁଚି ଝିଅଟି–

 

‘‘ହଳଦୀବସନ୍ତ କନକଗୋରା,

ରୂପଟି ତୋହର କେମନ୍ତ ତୋରା;

ବୁକୁକୁ ତୋହର ବିଦାରି ନଖେ,

ନ ହେବୁ କାତର ସହିବୁ ଦୁଃଖେ ।’’

 

ଟିକିଏ ରହିଲା ସେ । ବାକିତକ କହିବ କି ନାଇଁ ବୋଲି ବୋଧେ ଭାବୁଥିଲା–

 

‘‘ଟୋପି ଟୋପି ଯେତେ ଅଛି ଶୋଣିତ,

ସାରୀ–ଥଣ୍ଟେ ସବୁ ଦିଅ ଛାଣି ତ !’’

 

‘‘ବନ୍ଦ କର, ତୋ’ର ଏଇ ନିଦାରୁଣ କଥାଗୁଡ଼ିକ । ବନ୍ଦ କର ବାଳିକା !’’ ସାରୀ ବାଣୀ-କଣ୍ଠ ପାଟି କରି କହିଉଠିଲା ।

 

ଝିଅଟି ଏଥର କହିଲା—ପୁଣି ଏକ ନୂଆ କଥା, ସତେ ଯେପରି ସାରୀ କିଛି କହିନି କି ତା’ କଥାକୁ ସେ ବାଳିକାଟି ମୋଟେ ଶୁଣିନି ।

 

‘‘ଅଳତା ଲୁଚାଇ ନିଜର ଆଖେ,

ଡେଇଁ ଡେଇଁ ଆମ୍ବ ଗହଳ ଶାଖେ,

ତୋଳିଲ ପଞ୍ଚମ ଯେଉଁ କୋକିଳ,

ଶୁଣ ଶୁଣ ଆଜ ଶୁଣ ମୋ’ ବୋଲ ।’’

 

ଚମକି ଉଠିଲା ଶୁଆ । ହୁଏତ ଆଉରି ଏକ ନିଷ୍ଠୁର କଥା ପୁଣି ଶୁଣିବାକୁ ହେବ । କୋଇଲି ପକ୍ଷୀ ଝାଡ଼ିଦେଲା । ଶୁଣିଲା ମନ ଦେଇ । ସେ ଯେପରି ଏଥିପ୍ରତି ଖାତିର କରୁନି ।

 

ଗାଉଚି ବାଳିକା–

 

‘‘ଆଖିକି ଚିର ରେ ଆଖିକି ଚିର,

ସିରି ସିରି ବହୁ ରୁଧିର ଧାର,

ଲେପ ନିଜେ ନେଇ ଶୁଆର ଥଣ୍ଟ,

ହେଇଗଲେ ନାଲି ହେବ ସେ ଆଣ୍ଟ ।

ଶିଳାଧର ଶିଳା ହେବରେ ଚୂନା,

ବେଳ ଥାଉ ଥାଉ କର ଭାବନା;

ଆଗରୁ ଚେତାଇ ଦେଉଚି ମୁହିଁ,

ତେଣିକି ମୋହର ଦୋଷଟି ନାହିଁ ।’’

 

ଆଖିର ପଲକରେ ଝିଅଟି ମିଶିଗଲା ଶୂନ୍ୟରେ । ବାଣୀ-କଣ୍ଠ ଓ ବଜ୍ର-ଚଞ୍ଚୁ କଥା କହିପାରିଲେନି । ଯେଉଁମାନେ ଜଗତ କାମରେ ଏତେ ଦୁଃଖ ସହିଲେ, ସେମାନଙ୍କର କ’ଣ ଏଇ ଦଶା ହେବ ?

 

ହଳଦୀବସନ୍ତ କହିଲା—

 

‘‘ଏ ମର୍ତ୍ତ୍ୟ–ମଣ୍ଡଳେ ଦିହ ଯେ ଧରେ,

ଦେବତା ହୋଇଲେ ଅବଶ୍ୟ ମରେ;

ମରଣକୁ ତେବେ ଡର କାହିଁକି,

ପଣ କଥା କ’ଣ ମନେ ନାହିଁ କି ?’’

 

କୋଇଲି ଦେଖୁ ଦେଖୁ ଚିରି ପକାଇଲା ଆଖି । ଯେଉଁ ଲହୁ ବହିଲା, ସେ ପୋଛି ପକାଇଲା ଯତନରେ । ବଜ୍ର–ଚଞ୍ଚୁ ଥଣ୍ଟରେ ସେ ବୋଳି ଦେଲା ହସି ହସିକା ।

 

ହଳଦୀବସନ୍ତ ନିଜର ବୁକୁ ବିଦାରିଲା । ରକତ ନେଇ ସେ ବୋଳିଲା ସାରୀର କଳା ଥଣ୍ଟରେ ।

 

କ୍ରମେ ଶୁଆର ଥଣ୍ଟ ହେଇ ଆସିଲା ନାଲି । ସାରୀର ଚଞ୍ଚୁ ହେଇଗଲା ହଳଦିଆ । ଟୋପି ଟୋପି ରକତ ଢାଳୁ ଢାଳୁ ମରି ଗଡ଼ି ପଡ଼ିଲେ କଳା କୋଇଲି ଓ ହଳଦୀବସନ୍ତ ।

 

ମିରିଗ ସାଥୀମାନଙ୍କୁ ଡାକିଲା । ଆଖିର ଲୁହରେ ସେ ଭସାଇଦେଲା ସେମାନଙ୍କ ଶବ । ଚେତା ହାରି ପଡ଼ିଯାଇଚି ବଜ୍ର ଚଞ୍ଚୁ । ତା’ର ବଜ୍ର କଠୋର ଛାତି ବି ଏ ଦୁଃଖ ସହି ପାରିଲାନି । ବାଣୀ-କଣ୍ଠ ମଲାପରି ପଡ଼ିଗଲା । ତା’ର ବିଶ୍ୱମୋହନ କଳରବ ସ୍ଫୁରିଲା ନାଇଁ ।

 

ଗୁଣ ବାହୁନି ବାହୁନି ବସି ଲୁହ ଝରାଉଚି ହରିଣ । ଆଖିରେ ତା’ର ଭାସିଯାଉଚି ମିତମାନଙ୍କ ରୂପ । କାନରେ ବାଜି ଯାଉଚି ସେମାନଙ୍କ କଳ କଳ ଭାଷା । ବୁକୁରେ ଫୁଲେଇ ଫୁଲେଇ ଉଠୁଚି ପିଛିଲା ଦିନର ଯେତେ ସୁଖ, ଯେତେ ଦୁଃଖ । ସବୁ ମନେ ପକାଇ କ୍ରନ୍ଦନ କରୁଚି ହରିଣ–

 

‘‘କାହିଁ ଗଲ ସାଥୀ କାହିଁ ଗଲ ସବୁ

ଉଠ ରେ ଉଠ,

ସକାଳ ଫେଇଲା ପୂରୁବ ଦିଗର

ସୁନା–କବାଟ,

ନକର ମଠ,

ଉଠରେ ଉଠ ।

 

ରାଗ ଅଭିମାନ ଛାଡ଼ିଦିଅ ସବୁ

ଛାଡ଼ରେ ଛାଡ଼,

କଅଁଳି ପବନ ତୁହାଇ ବହୁଚି

ଉଡ଼ରେ ଉଡ଼,

ଅଳସ ଛାଡ଼,

ଉଡ଼ରେ ଉଡ଼ ।’’

 

ହରିଣ କରୁଣ କଣ୍ଠରେ ଗାଇ ଚାଲିଚି । ଯେତେ ଉଠଉଚି କେହି ଉଠୁନାହାନ୍ତି, ତାକୁ କେହି କିଛି କହୁନାହାନ୍ତି । ହଳଦୀବସନ୍ତ ଦୁଷ୍ଟାମ କରି ଆଖି ଖୋଲୁନି । କୋଇଲି ଗାଳି ଦେଉନି । ସେମାନେ ଆଉ ତା’ ଶିଙ୍ଗରେ ବସୁନାହାନ୍ତି । ଏ ପାଖରୁ ଧଇଲେ ସେ ପାଖକୁ ଢଳି ପଡ଼ୁଛନ୍ତି । ଫୁଲପରି କଅଁଳ ବୁକୁ ଉପରେ ରକତ ଲାଗି ଅଠା ହେଇଯାଇଚି । ଭୂଇଁରେ ରକତ ପଡ଼ି ଧୂଳି ବିଣ୍ଡା ବାନ୍ଧିଯାଇଚି ।

 

ସାଇଁ...ସାଇଁ...ସାଇଁ ! ମେଘ ଆସୁଚି ? ଆସୁଚି ବତାସି ? ହରିଣ ଭାଳୁଚି–ନିଜର ପ୍ରିୟଜନମାନଙ୍କର ଆଜି ମରଣ ହେଇଚି । ଶୁଆ ଓ ସାରୀ ତ ଚେତାହୀନ ! ସେ ଯିବ କୁଆଡ଼େ ? ଯୋଉମାନଙ୍କୁ ନେଇ ସେଦିନ ସେ ଡେଇଁ ଡେଇଁ ଆସିଥିଲା, ସେମାନେ ଯେ ତାକୁ ଏକା କରି ଧାଇଁ ଧାଇଁ ପଳାଇଗଲେ । କାହାକୁ ନେଇ ସେ ଯିବ ଫେରି ? କାହାକୁ କ’ଣ କହିବ ? ଏ ମେଘ ତେବେ କାହିଁକି ? ତା’ର ସେଇ ବଜ୍ର ଗଲା କୁଆଡ଼େ ? ମୋତେ ରଖିଚି କାହିଁକି ? ମୁଁ ତ ମରିଗଲେ ସବୁ ଶେଷ ହେଇଯାଆନ୍ତା । ଶେ...ଷ...ହେ...ଇ...ଯା...ଆ...ନ୍ତା !

 

‘‘ଶେଷ ହେଇ ଯାଆନ୍ତା ? ଧୈର୍ଯ୍ୟ ଧର ହରିଣ !’’

 

ଚମକି ଉଠିଲା ହରିଣ । ପଛରେ ତା’ର ସ୍ୱୟଂ ଗରୁଡ଼ । ନୁହେ ମେଘ–ନୁହେ ଝଡ଼–ନୁହେ ଦୁର୍ଦ୍ଦିନ ।

 

‘‘ଶେଷ ପରୀକ୍ଷାରେ ମୋ’ର ତୁମେମାନେ ଉତୁରିଯାଇଚ । ଗୋଟି ଗୋଟି କରି କୋଟି କୋଟି ପରୀକ୍ଷା କରିଚି । ସବୁଥିରେ ତୁମେମାନେ ଜିତିଚ । ଆଉ ନାହିଁ ହରିଣ–ଆଉ ନାଇଁ । ଏମାନେ ସମସ୍ତେ ଜୀବନ ଫେରି ପାଇବେ । ଏ ପରୀକ୍ଷା ନ କରିଥିଲେ, ମୋ’ର ପରୀକ୍ଷା ଅପୂରା ରହିଥାଆନ୍ତା । ଜୀବନ ଦେଇ ଜୀବନ ରକ୍ଷା କରିବାରେ ମହାନତା ଥାଏ । ତା’ ତମେ କରିଚ । ଜଗତର ହିତ ପାଇଁ କେବଳ ନିଜର ସୁଖ ସୁବିଧା ନୁହେଁ, ହସି ହସି ତୁମେ ମରଣକୁ ଡାକି ନେଇଚ-। ଟିକିଏ ବି କୁଣ୍ଠିତ ହେଇନ । ସେଇ ମହାତ୍ୟାଗକୁ ଚିରଦିନ ପାଇଁ ମନେ ରଖିବାକୁ ଆଜିଠୁ ସାରୀ ଥଣ୍ଟ ହେବ ହଳଦିଆ । ଶୁଆର ହେବ ନାଲି ଥଣ୍ଟ ।’’ ଗରୁଡ଼ କହି ଚାଲିଚନ୍ତି ।

 

ତଳେ ଧୂଳିରେ ଧୂସର ହେଇ ଗଡ଼ୁଚି ହରିଣ ।

 

ଅମୃତ ନୟନରେ ଚାହିଁଲେ ଗରୁଡ଼ ।

 

ଆଖିମଳି ଉଠିଲେ ସମସ୍ତେ । ନିଦରୁ ଯେପରି ସଭିଏଁ ଉଠୁଚନ୍ତି ! ସତେ ଅବା ଆଗରୁ କିଛି ହେଇ ନ ଥିଲା !

 

ପ୍ରଭୁ ଗରୁଡ଼ଙ୍କ ପଦତଳେ ପଡ଼ି ତାଙ୍କର ବନ୍ଦନା ଗାଇଲେ–ସାରୀ, ଶୁଆ, କୋଇଲି, ହଳଦୀବସନ୍ତ, ହରିଣ ।

 

ଅଦୃଶ୍ୟ ହେଇଗଲେ ପକ୍ଷୀରାଜ ଗରୁଡ଼ । ଗଲାବେଳେ କହିଗଲେ–

 

‘‘ମହାବୀର ତମେ ଆଗେଇ ଚାଲରେ ଆଗେଇ ଚାଲ,

ଶକତିରେ ତମ ଚୂନା ହେଇଯାଉ ପାହାଡ଼–ଚୂଳ,

ଆଗେଇ ଚାଲ ।

 

ମହାବୀର ତମେ ପାହୁଲ ଟାଣରେ ପାହୁଲ ଟାଣ,

ଭୂଇଁରେ ମିଶାଅ ରାହୁର ଟାଣରେ କେତୁର ମାନ,

ପାହୁଲ ଟାଣ ।

 

ମହାବୀର ତମେ କମର ଭିଡ଼ରେ କମର ଭିଡ଼,

ତଲୁଆର ତୋର ପଜାଇ ସଜାଇ କରି ନେ ଦାଢ଼,

କମର ଭିଡ଼ ।

 

ପାଞ୍ଚୋଟି ସାଥୀ ଶୁଣୁଛନ୍ତି, ଦଶୋଟି କାନରେ ନିଆଁମୟ ବାଣୀ–‘‘ଆଗେଇ ଚାଲ, ଆଗେଇ ଚାଲ, ଆଗେଇ ଚାଲ ।’’

 

ସେମାନଙ୍କ ମୁହଁରୁ ବାହାରୁଚି–

 

‘‘ନମୋ ଗରୁଡ଼ାୟ...ନମୋ ଗରୁଡ଼ାୟ... ନମୋ ଗରୁଡ଼ାୟ !’’

 

‘‘ଆଗେଇ ଚାଲ... ।’’

 

‘‘ନମୋ ଗରୁଡ଼ାୟ... !’’

 

–ପନ୍ଦର–

 

ଦୂରରୁ ବଜ୍ରଚଞ୍ଚ, ବାଣୀକଣ୍ଠ, କୋଇଲି, ହଳଦୀବସନ୍ତ, ହରିଣ ହସି ହସି ଆସୁଚନ୍ତି । ସେମାନଙ୍କୁ ପାଛୋଟି ନେବାଲାଗି ସମସ୍ତେ ଦଉଡ଼ିଗଲେ । ରକମ ରକମର ଢୋଲ, କେତେ ଚାଙ୍ଗୁ, କେତେ କାହାଳୀ, କୋଉଠି ମର୍ଦ୍ଦଳ, କାହିଁ ତ ଦମାଲୁ–ବାଜା ଉପରେ ବାଜା, ଫୁଲମାଳ ଉପରେ ଫୁଲମାଳ । ଧାଡ଼ିଧାଡ଼ି ବଗ ମଲ୍ଲୀ ଫୁଲର ମାଳା ତିଆରି କଲେ ଆକାଶରେ । ଭଦାଳିଆ ଗୋଟିକ ପଛରେ ଗୋଟିଏ–ଇନ୍ଦ୍ରଧନୁ ତିଆରି ହେଲା । ଏ ହେଲା ଫାଟକ । ପଛକୁ ପଛ ସିଂହ ବସିଲେ ଫାଟକ ଜଗୁଆଳ–ସେମାନେ । ସେମାନେ ପହରା କରିବେ । ମୟୁରମାନେ କଲେ ନାଚ–ନେଲେ ବାହାଦୂରୀ । ଜୁଳୁଜୁଳାର ଦୀପ ଜଳିଲା । ପକ୍ଷୀମାନେ ରାବି ରାବି ଗୀତ ଗାଇଲେ । ବାଘ ପିଟିଲା ଲାଞ୍ଜ । ଖରିଆ ଟେକିଲା କାନ ।

 

ସଭା ହେଲା । ସମସ୍ତେ ଏ ପାଞ୍ଚଜଣଙ୍କ ଜୟ ଜୟକାର କଲେ ।

 

ଉଡ଼ିଆସିଲା ଡାମରା କୁଆ ।

 

ପାଞ୍ଜି ଆଡ଼େଇ ଆଡ଼େଇ ସେ ଖୋଜିଲା ଏକ ଶୁଭ ମୁହୂର୍ତ୍ତ, ଯେଉଁ ସମୟରେ ଶିଳାଧରର ମୁଣ୍ଡରେ ଚୋଟ ହାଣିବ ବଜ୍ର–ଚଞ୍ଚୁ ।

 

ସମୟ ଠିକ୍ ହେଲା ।

 

ବାଣୀକଣ୍ଠ ଧଇଲା ବୀଣା–ଗାଇଲା ଗୀତ । ସେ ଗୀତ ନିଆଁର । ସେ ସୁର୍ ଜାଗରଣର-। ସେ ଗୀତ ଶୁଣିଲେ ଖରିଆ ବି ଶତ ସିଂହକୁ ମାଡ଼ିବସିବ, ମେଣ୍ଢା ଛୁଆ ବାଘ ଉପରକୁ କୁଦିପଡ଼ିବ, କପୋତଶିଶୁ ବାଜ ଉପରକୁ ଝାମ୍ପି ପଡ଼ିବ ।

 

କିର୍‍ର... ! ...କିର୍‍ର... କିର୍‍ର... ! ବଜ୍ର–ଚଞ୍ଚୁ ଡାକିଲା । ଆଗାମୀ ଯୁଦ୍ଧର ପହିଲା ଭେରୀ ।

 

ଚକ୍ର କାଟି କାଟି ସେ ଉଡ଼ିଲା ପବନରେ । ଡେଣା ପିଟିଲା । ତଳକୁ ଓହ୍ଲାଇଲା । ସେ ଛୁଇଁଗଲା ଶିଳାଧରର ଚୂଳ ।

 

ଶିଳାଧର ସଙ୍କୁଚିତ ହେଇଗଲା । ତା’ ଦିହ ଶୀତେଇ ଉଠିଲା । ବଜ୍ର-ଚଞ୍ଚୁର ଭାରା ସେ ସହି ପାରିଲାନି । ସାଧବ ବୋହୂ ପୋକକୁ ଛୁଇଁ ଦେଲେ ସେ ଗୋଡ଼ ମେଞ୍ଚା କରିଦିଏ ।

 

ଠକ୍...ଠକ୍...ଠକ୍... ! ଠକ୍...ଠକ୍...ଠକ୍... ! ଚଞ୍ଚୁ ହାଣୁଚି ବଜ୍ର–ଚଞ୍ଚୁ ଶୁକ । ଶିଳାଧର-? ତା’ର ପୁଣି ଏତେ ବଳ ଅଛି ? ଅଛି ଏତେ ଶକ୍ତି ? ସେ ପାରିବ ସମ୍ଭାଳି ବଜ୍ର-ଚଞ୍ଚୁର ଥଣ୍ଟ ମାଡ଼-?

 

ଚୋଟ ଚୋଟ କରି ସାତ ଚୋଟ ହାଣିଲା ବଜ୍ର-ଚଞ୍ଚୁ । ବାଣୀ–କଣ୍ଠର ଗଳାରେ ଗୀତ । ଅଛିଣ୍ଡା ଲହର । ନିଠେଇ ନିଠେଇ କାନରେ ବାଜୁଚି । ତାଳୁରୁ ତଳପା ଖେଳାଉଚି ଶିହରଣ । ପବନ ଗରମ, ଆକାଶ ଗରମ ।

 

‘‘ବଜ୍ର–ଚଞ୍ଚୁ, ବଜ୍ର ପରି ଥଣ୍ଟ ତବ ହାଣ,

ଟିକି ଟିକି ଦିଅ କରି ପର୍ବତ ଗୁମାନ;

ଅତି ଗରବର ତା’ର ପାଉ ସେଇ ଶିକ୍ଷା,

ଧରଣୀର ମାନ ଆଜି ହେଇଯାଉ ରକ୍ଷା ।

 

ବଜ୍ର-ଚଞ୍ଚୁ ପାଉଚି ବଳ । ଅକ୍ଷରେ ଅକ୍ଷରେ ପଦେ ପଦେ ତା’ର ନୂଆ ଶକ୍ତି ଆସୁଚି । ଆଗଠାରୁ ସେ ଜୋରରେ ହାଣିଚାଲିଚି ।

 

ଭୁଷୁଡ଼ି ପଡ଼ୁଚି ପର୍ବତ । ଗଦ୍...ଗଦ୍...ଗଦ୍ ! ଫାଟିଗଲା ଶିଳାଧରର ବୁକୁ । ରକ୍ତ ବାନ୍ତି କରି ମୁହଁ ମାଡ଼ି ପଡ଼ିଗଲା ଉଦ୍ଧତ ଶିଳାଧର ।

 

ଘୋ...ଘୋ...ଘୋ... !! ପ୍ରଳୟ ଗର୍ଜନ କରି ଡେଇଁ ପଡ଼ିଲା ଶଙ୍ଖ । ପାଦତଳେ ତା’ର ମରି ଶୋଇଚି ଶିଳାଧର । ବାଲିର କଣା । ବାଲିକଣା ପରି ନଗଣ୍ୟ ନିଶ୍ଚଳ ହେଇ ଯାଇଚି ଦର୍ପିତ ପର୍ବତରାଜ । ମାଡ଼ି ମକଚି ଯାହା କଲେ ବି ସେ ଆଉ ଉଠି ଶଙ୍ଖକୁ ବାଧା ଦେଉନି । ଅଥଚ ତା’ରି ପାଇଁ କାଲି କ’ଣ ଯେ ଘଟି ନ ଯାଇଚି ! ମଣିଷ ଗରବ କରେ । ନିଜକୁ ବଡ଼ ବୋଲି ଭାବେ । ଧରାକୁ ମଣେ ସରା । ମରିଗଲେ ? ମରିଗଲେ ସବୁ କୁଆଡ଼େ ଯାଏ ? ସେ ହୁଏ ଧୂଳିକଣାଠାରୁ ହୀନ, ଅପଦାର୍ଥ । ତେବେ ଏତେ ଗରବ କାହିଁକି ?

 

ଘୋ...ଘୋ...ଘୋ... ! ବିଜୟ ବିଭୋର ଶଙ୍ଖ । ପୃଥିବୀଫଟା ପାଟି କଲା ସେ ।

 

କ’ଣ ହେଲା ମୋ’ ଭଉଣୀର ? ଦୂରରୁ ଚମକି ଫେରି ଚାହିଁଲା କୋଇଲି । କିଛି ସେ ଜାଣି ପାରିଲାନି । ଖାଲି ଶୁଣିଲା ଘୋ...ଘୋ...ଘୋ...

 

ଏଣେ ସମସ୍ତେ ବାଣୀ–କଣ୍ଠ ସାରୀ ଓ ବଜ୍ର–ଚଞ୍ଚୁ ଶୁଆକୁ ଆଦର ଗଉର କରି ବାଟେଇ ଦେଲେ ।

 

ଆଗରୁ ତ ପଣ ଥିଲା । ସେଇ ପଣ ଅନୁସାରେ କୋଇଲି ପଛକୁ ଚାହିଁବାରୁ ଏଥର ଚାଲିଲା ଆଖି ବୁଜିବୁଜିକା । ପାଉନି ବାଟ । ଏଠି କୁଟି ହେଉଚି, ସେଠି ଛେଚି ହେଉଚି । ଗୋଟାଏ ଜାଗାକୁ ପନ୍ଦର ଘେରା ଘୂରୁଚି ।

 

ଛ’ ଦିନର ବାଟ ତା’ର ! ଛ’ ଦିନର ବାଟ । ଏବେ ଛ’ମାସ ପୂରିବ ଯେ ! ତେବେ ବି ଶେଷ ନାଇଁ ଏ ବାଟର ! ପଛର ଭୁଲ୍‍କୁ ଭାଳୁଚି କୋଇଲି–ନିଜ କାମ ଯୋଉ ସମୟରେ କରିବା କଥା ମୁଁ କଲିନି । ବେଳ ଚାଲିଗଲା । ଖାଲି ଖୁସିଗପରେ ଏତେ ଦିନ ବହିଗଲା । ଜୀବନଟା ବୃଥାରେ ବିତିଗଲା । ମୁଁ କିଛି କରି ପାରିଲିନି ।

 

‘‘ଯେତେବେଳେ ଯେଉଁ କାମ ସେବେଳେ ନ କଲେ

ପଛକୁ ରହଇ ସବୁ ନୋହେ କରି ଭଲେ;

ବୁଦ୍ଧିବାଟ ଗୋଟି ଗୋଟି ହୋଇଯାଏ ବଣା,

ସେଥିଲାଗି ସାଥୀ ତୋ’ର କାମଟିକି ଅନା ।’’

 

ଚିନ୍ତି ଚିନ୍ତି ଚାଲିଚି କୋଇଲି—ଏଥର ମୋଡ଼ି ହେଉଚି ନାକକାନ । ଆଉ କେବେ ଏପରି କରିବିନି । ପହିଲେ ନିଜର କର୍ତ୍ତବ୍ୟ, ତା’ପରେ ଯାଇ ସୁଖ ଶରଧା । ବିଶ୍ରାମ ବେଳେ କାମ କଲେ ସିନା ପ୍ରକୃତ ବିଶ୍ରାମ ମିଳେ !

 

ଶଙ୍ଖ ଆସି ପରାଶରଙ୍କ ଆଶ୍ରମ ନିକଟରେ । ‘ପରାଶର ପାହାଡ଼’ ତଳେ ସେ ଚାହିଁ ରହିଚି । କେତେବେଳେ ଆସିବ କୋଇଲି ? କେତେବେଳେ ଆସିବ ତା’ର ନାନୀ ? ଓ ହୋ ! କେତେଗୁଡ଼ାଏ ଦିନ ବହିଗଲାଣି ! ସେ ଏତେଦିନ ଧରି ଦେଖି ପାରିନି ତା’ ନାନୀକି । ଶୁଣି ପାରିନି ତା’ ଗଳାର ଗୀତ । ଆଉ ତା’ ପରି କୋଇଲି ଉପରେ କିଛି ବିପଦ ପଡ଼ିଲା କି ? ନ ହେଲେ, ଯେମିତି ମଠୋଈ ସିଏ–ଗୀତ ଗାଉ ଗାଉ କୋଉଠି ବା ଚେର ଲଟକି ଯାଇଥିବ । ଏ କୋଇଲି ନାନୀଟା ବଡ଼ ଗପୁଡ଼ି । ଗପ ପେଡ଼ି ମେଲିଚି ତ ବେଳ ଜାଣେନି । ଗୀତ ଗାଉଚି ତ ଖାଇବା ପିଇବା ସବୁ ଭୁଲେ ।

 

ଭାଲୁ ବିଚାର କରୁ କରୁ ଶଙ୍ଖ ଶୁଣିବାକୁ ପାଇଲା ଦୂରରୁ–କଳ...କଳ...କଳ... !

 

ବୁଝି ପାରିଲା ଶଙ୍ଖ–ନାନୀ ତା’ର ଏଇ ଆସିଗଲା । ସିଏ ଦଉଡ଼ିଗଲା । ଦିହେଁ ଆସିଗଲେ ପାଖକୁ । ନାନୀର ଆଖି ଖୋଲି ଦେଇ ଶଙ୍ଖ କହିଲା–‘‘ଘୋ...ଘୋ...ଘୋ... ନାନୀ ଲୋ ! ନାନୀ...’’

 

‘‘କଳ...କଳ...କଳ... ମୁଁ ଆସିଗଲି ଶଙ୍ଖ ଲୋ ! ବହୁତ ଡେରି କରି ପକାଇଲି ।’’

 

‘‘ଘୋ...ଘୋ...ଘୋ... !!! ହଁ, ନାନୀ, ବହୁତ ତୋର ବିଳମ୍ବ ହେଲା । କ’ଣ କରୁଥିଲୁ କିଲୋ ?’’

 

ଦିହେଁ ହାତ ଧରାଧରି ହେଲେ । ପାଣିରେ ମିଶାଇଲେ ପାଣି । ଆଖି ପୂରାଇ ଦିହେଁ ଦିହିଁଙ୍କୁ ଅନେକ ବେଳଯାଏ ଦେଖିଲେ ।

 

‘‘ଘୋ...ଘୋ...ଘୋ...’’

‘‘କଳ...କଳ...କଳ...’’

 

ଶଙ୍ଖ କୋଇଲି ଦିହେଁଯାକ ଗୀତରେ ମିଶାଇଲେ ଗୀତ । ବହୁଦିନ ପରେ ଦେଖାର ଗୀତ । କିଏ କିପରି ଆସିଲା ? ବାଟଯାକର ଗଦା ଗଦା କଥାଣୀ ।

 

X X X

 

‘‘କୁଳୁ...କୁଳୁ...କୁଳୁ...’’

‘‘କୁଳୁ...କୁଳୁ...କୁଳୁ...’’

 

‘‘ନାନୀ, ଏ ନାନୀ ! ଏ ଶଙ୍ଖ ନାନୀ । କୋଇଲି ମ ? କିଲୋ, ଶୁଭୁନି କାହାକୁ ? ଆରେ...ଶୁଣ ! ଶୁଣ ଭଲା !!’’

 

ଶଙ୍ଖ କୋଇଲି ଗପି ଚାଲିଚନ୍ତି । ଅଝଟ ବେଣୀଗୁଡ଼ାକ ପିଠିପାଖେ ଦୋହଲୁଚି ।

 

‘‘ନାନୀ, ମୁଁ ଡାକୁଚି ଯେ ! ମୁଁ ମ–ତମରି ସର । ସାବତ ମାଆର ଝିଅ ବୋଲି ଅନଉଁନା କିଲୋ ? କୁଳୁ...କୁଳୁ...କୁଳୁ !’’ ମଧୁର ଗଳାରେ ଲହର ଖେଳାଇ ଅଭିମାନ ମିଶା ସ୍ୱରରେ ସର ପାଟି କରି କହିଲା ।

 

ଦି ଭଉଣୀ ପଛକୁ ଚାହିଁଲେ ।

 

‘‘ଆରେ... ! ସର ! ସୁନାଟା ଆମର, ଟିକିଟି ଆମର କୁନିଟି ଆମର, ତୁ କୁଆଡ଼େ ଲୋ ପାଗଳି ?’’ ଦିହେଁ ଯାକ ତା’ ଆଡ଼କୁ ଦଉଡ଼ି ଆସିଲେ ।

 

ପରାଶରଙ୍କ ଆଶ୍ରମ ନିକଟରେ ଯୋଉ ପାହାଡ଼, ତା’ରି ତଳୁ ଟିକି ପାଦ ଚାଲି ଦଉଡ଼ି ଆସିଲା ଅଝଟ ସର । ‘‘ବାଃ ! ତମେ ସବୁ ମୋତେ ଛାଡ଼ି ଆସି ପାରିଲ, ନା ? ତମେ ସିନା ନାନୀ ମୋତେ ଛାଡ଼ି ଆସିପାରିଲ, ପର କରିଦେଲ; ମୁଁ ହେଲେ ପାରିଲିନି । ସେଇଥିଲାଗି ତମରି ପଛେ ପଛେ ଗୋଡ଼େଇ ଆସିଲି ଲୋ !’’ ଖନେଇ ଖନେଇ ସର ତା’ର ଟିକି ଜୀବନର କଥାଣୀ ବୟାନ କରୁ କରୁ ଡେଇଁ ପଡ଼ିଲା ଶଙ୍ଖ କୋଇଲି ଦି’ ଭଉଣୀର ମଝକି ।

 

ଭଉଣୀକି କୋଳରେ ନେଇ ତା’ ଗାଲରେ ଶହ ଶହ ଚୁମା ଦେଇ ସେମାନେ ତାକୁ ପଚାରିଲେ–‘‘ଆଉ ବା’ ? ବା’ କଥା କିଛି କହିଲୁନି ଯେ ସର ।’’

 

‘‘ବା’ କଥା କ’ଣ ହେଇଥିବ ବୁଝି ପାରୁନ ? ତମକୁ ତ ଝୁରି ଝୁରି ମୁଁ ଶେଷ ନିଃଶ୍ୱାସ ଛାଡ଼ିଲି; ଆଉ ବା’ ମଧ୍ୟ ସେଇ ଆକାଶରେ ।’’ ସର ଟିକ ଅଙ୍ଗୁଳିଟି ଉପରକୁ ଟେକି ଦେଖାଇ ଦେଲା ।

 

ଖୁବ୍ ଜୋରରେ ଦୁଇ ପାଖୁ ଦୁଇ ଭଉଣୀ ସରକୁ କୁଣ୍ଢାଇ ପକାଇଲେ । ଆଉ କାନ୍ଦି ଉଠିଲେ ବିକଳ ହେଇ–

 

‘‘କାଳ...କାଳ...କାଳ... !’’

‘‘ଘୋ...ଘୋ...ଘୋ... !’’

‘‘କୁଳୁ...କୁଳୁ...କୁଳୁ... !’’

 

କୋଇଲି...ଶଙ୍ଖ...ସର... ! ସେଇ ବାଲି, ସେଇ ପଥର । ତା’ରି ଶେଯ ଉପରେ ତିନୋଟି ଭଉଣୀର ଅଧୀର ଦେହ ଲୋଟି ପଡ଼ିଚି, ଫାଟି ପଡ଼ିଚି । ଲୁହର ଧାରା ଶହ ଶହ ଧାରରେ ବହି ଛୁଟିଚି ।

 

ହଠାତ୍ ଘୋଟି ଆସିଲା କୁହୁଡ଼ି । ମେଘଲୋକରୁ ମରଲୋକଯାଏ ଖାଲି କୁହୁଡ଼ିର ଶାଢ଼ି ଘୋଡ଼େଇ ହେଇଗଲା ଲକ୍ଷକୋଟି ପରସ୍ତ କରି । ସେଇ କୁହୁଡ଼ି ଭେଦି ବହି ଆସିଲା–ଏକ ଅମୃତ ଆଲୋକ । କେଉଁ ଅନନ୍ତ ଦୂରରୁ ତାହା ଆସୁଥିଲା କେଜାଣି ! ଆଲୋକରେ ଭାସି ଆସିଲା ଧଳା ପଦ୍ମଟିଏ । ପଦ୍ମଭିତରେ ଶୋଇଚି ଗୋଟିଏ ବରଫପରି ଧଳା କଅଁଳ କମନୀୟ ଶିଶୁ । ଲେଖନୀଟିଏ ପାଖରେ । ତାଳପତ୍ରର ଖେଦା ମୁକୁଳା ।

 

ଦଉଡ଼ି ଆସିଲେ କାନ୍ଦି ଭୁଲି ତିନି ଭଉଣୀ । ପିଲା ମନ ତ ବକଟେ ନାଁ’କୁ । ଏ ପିଲାଟିକି ପାଇ ସେ ଭୁଲିଗଲେ ସବୁ ।

 

‘‘କିଏ ! କିଏ !!’’

 

କୁହୁଡ଼ି ଯାଇଚି କଟି । ସୂରୁପ ସୁନା କିରଣର ପରାଗ ବୁଣୁଥିଲା । ପବନ ମଧୁର ଗନ୍ଧୁ ବୋହି ହାଲିଆ ହେଇ ଚାଲି ପାରୁ ନ ଥିଲା ।

 

‘‘କିଏ ?’’

 

‘‘ବେଦବ୍ୟାସ ! ବେଦବ୍ୟାସ... !! ବେଦବ୍ୟାସ... !!!’’

 

କିଏ ଜଣେ କହିଲା, ‘‘ଶୁଣ ସର, ଶୁଣ ଶଙ୍ଖ, ଶୁଣ କୋଇଲି–ଶୁଣ ଏଇ ମଙ୍ଗଳ ସଙ୍ଗୀତ-।’’

 

ତିନି ଭଉଣୀ ଛୁଆଟିକି ଘେରିଗଲେ–ହାତରେ ହାତ ଛନ୍ଦି ତା’ ଚାରିପାଖେ ଖେଳି ବୁଲିଲେ ।

 

ଶୁଭୁଥିଲା ଏକ ଅଦେଖା ଗଳାର ମଧୁମନ୍ଦ୍ର ଗୀତ–

 

‘‘ବେଦ–ସାଗରକୁ ମନ୍ଥିବ ଯେହୁ

ଆପଣା ବଳେ,

ସେଇ ବେଦବ୍ୟାସ ଜନମେ ପରା

ତୁମରି କୋଳେ ।

 

ଭୁଲ ନି’ ନିଜକୁ ଯମୁନା, ନାଇଁ

ଭୁଲ ଭାରତୀ,

ଭୁଲି ନି’ ଜାହ୍ନବୀ ନିଜରେ, ନାଇଁ

ଭୁଲ ଗୋ ସତୀ ।

 

ଅଭିଶାପ ତୁମ ତୁଟିଚି, ତୁମେ

ଶଙ୍ଖ କୋଇଲି

ସରସ୍ୱତୀ ଆଗୋ ସର ଯେ, ଏଠି

ଖେଳୁଥା ବାଲି ।

 

ଘୋ...ଘୋ...ଘୋ...ଶଙ୍ଖ ହସିଲା ।

କଳ...କଳ...କଳ...କୋଇଲି ବି ।

କୁଳୁ...କୁଳୁ...କୁଳୁ...ସର ମଧ୍ୟ ।

ଏଁ... ?

 

ବ୍ରାହ୍ମଣୀ !!

 

(ସରିଲା)

Image